Unknown

ଉତ୍କଳ ରଚନା

ରାୟ ୰ ରାଧାନାଥ ରାୟ ବାହାଦୂର

 

ପ୍ରଥମ ଅଧ୍ୟାୟ

ପ୍ରସ୍ତାବନା

ବ୍ୟାକରଣରେ ଯେଉଁ ଅଂଶମାନ ବାକ୍ୟରଚନାର ଉପଯୋଗୀ, ଏ ଅଧ୍ୟାୟରେ ସେମାନଙ୍କୁ ଅନ୍ତର୍ଗତ କରାଗଲା । ସନ୍ଧିପ୍ରବରଣ ବ୍ୟାକରଣର ଆଦ୍ୟରେ ସନ୍ନିବେଶିତ ହୋଇଅଛି । ଏହି ଗ୍ରନ୍ଥ ବ୍ୟାକରଣମୂଳକ ହେଲେହେଁ ଏଥିରେ ତାହା ପରିତ୍ୟକ୍ତ ହେଲା । ବସ୍ତୁତଃ ଏହି ଗ୍ରନ୍ଥରେ ସନ୍ଧିପ୍ରକରଣ ସନ୍ନିବେଶିତ କରିବା ଅନାବଶ୍ୟକ । ମନର ଭାବ ପ୍ରକାଶ କରିବା ବିଷୟରେ ସନ୍ଧି କିଛିହିଁ ସାହାଯ୍ୟ କରେ ନାହିଁ । ସନ୍ଧିପ୍ରକରଣର ବର୍ଣ୍ଣ ସଙ୍ଗରେ ଯେପରି ସଂପର୍କ ଅଛି, ମନ ସଙ୍ଗରେ ସେପରି ସଂପର୍କ ନାହିଁ ।

 

ଏଥିରେ ଯେଉଁ ସାଧନୀଗୁଡ଼ିକ ପ୍ରଦତ୍ତ ହେଲା, ସେ ସମସ୍ତ ଛାତ୍ରମାନଙ୍କର ଆୟତ୍ତ ହେଲେ ବାକ୍ୟରଚନାରେ ସେମାନଙ୍କର ଅଭ୍ୟାସ ଜନ୍ମିବ । ବାକ୍ୟରଚନାର କ୍ଷମତା ଜନ୍ମିଲା ଉତ୍ତାରେ ଦ୍ୱିତୀୟରେ ସେଗୁଡ଼ିକ ରୂପାନ୍ତରିତ ବା ସଂକ୍ଷିପ୍ତ କରି ଶିଖିବେ ।

 

ଏଥିରେ ଯେଉଁ ପ୍ରଶ୍ନମାନ ପ୍ରଦତ୍ତ ହେଲା, ସେମାନଙ୍କର ଉତ୍ତରଦାନ ବିଷୟରେ ଶିକ୍ଷକ ଯେପରି ସ୍ଥଳରେ କି ସାହାଯ୍ୟ ନ କଲେ ନ ଚଳେ, କେବଳ ସେହିପରି ସ୍ଥଳରେ ସାହାଯ୍ୟ ମାତ୍ର କରିବେ । ଛାତ୍ରମାନଙ୍କ ସାଧ୍ୟ ବିଷୟରେ ସାହାଯ୍ୟ ଯେତେ ଅଳ୍ପ ହୁଏ, ତେତିକି ଭଲ । ଛାତ୍ରମାନେ ଶିକ୍ଷକଙ୍କର ସାହାଯ୍ୟ ପ୍ରତୀକ୍ଷା ନ କରି ଆତ୍ମନିର୍ଭରଶୀଳ ହେବାକୁ ଅଭ୍ୟାସ କଲେ, ସେମାନଙ୍କର ପ୍ରକୃତ ଶିକ୍ଷା ହେବ ।

 

ଗ୍ରନ୍ଥର କଳେବର ବୃଦ୍ଧି ଭୟରେ ଅଳ୍ପସଂଖ୍ୟକ ପ୍ରଶ୍ନ ଦିଆଯାଇଅଛି । ଯେଉଁଠାରେ ଅପ୍ରଚୁରତା ଲକ୍ଷିତ ହେବ ସେ ସ୍ଥଳରେ ପ୍ରଦତ୍ତ ପ୍ରଶ୍ନର ଅନୁକରଣରେ ଶିକ୍ଷକ ମହାଶୟ ଅନ୍ୟ ପ୍ରଶ୍ନମାନ ସ୍ୱୟଂ ପ୍ରସ୍ତୁତ କରି ଦେଇପାରିବେ ।

 

ପ୍ରଥମ ସାଧନୀ

ପ୍ରଶ୍ନ –ବୃକ୍ଷର ଭିନ୍ନ ଭିନ୍ନ ଅଂଶର ନାମ ଲେଖ ।

ଉତ୍ତର – ଶାଖା, ପତ୍ର, ମୂଳ, ଫଳ, ବକ୍କଳ, ଅଙ୍କୁର, ପୁଷ୍ପ, କଳିକା, ରସ, କାଣ୍ଡ ।

ପ୍ର – ଉଲ୍ଲିଖିତ ଉଦାହରଣ ଅନୁକରଣରେ ନିମ୍ନଲିଖିତ ବସ୍ତୁ ବା ପ୍ରାଣୀମାନଙ୍କର ବିଭିନ୍ନ ଅଙ୍ଗ ବା ଅଂଶର ନାମ ଲେଖ ।

 

୧ ।

ଗୋରୁ, ପୁଷ୍କରିଣୀ, ପକ୍ଷୀ, ନଦୀ, ଶରୀର, ହସ୍ତୀ, ଘର, ପୁସ୍ତକ ଇତ୍ୟାଦି ।

୨ ।

ଯେତେ ପ୍ରକାର ବୃକ୍ଷ ଓ ଲତାର ନାମ ଜାଣ ଲେଖ ।

୩ ।

ବିଦ୍ୟାଳୟରେ ଥିବା ପଦାର୍ଥମାନଙ୍କର ନାମ ଲେଖ ।

୪ ।

ଯେତେ ପ୍ରକାର ପଶୁ ଓ ପକ୍ଷୀର ନାମ ଜାଣ ଲେଖ ।

 

 

୫ ।

ଯେତେ ପ୍ରକାର କୀଟ ଓ ପତଙ୍ଗର ନାମ ଜାଣ ଲେଖ ।

୬ ।

ଯେତେ ପ୍ରକାର ପରିଚ୍ଛଦ ଲୋକେ ବ୍ୟବହାର କରନ୍ତି ସେମାନଙ୍କର ନାମ ଉଲ୍ଲେଖ କର ।

୭ ।

ହାଟ ବଜାରରେ ଯେଉଁ ପଦାର୍ଥମାନ ବିକ୍ରୀ ହେଉଥିବାର ଦେଖିଅଛ, ସେମାନଙ୍କର ନାମ ଲେଖ ।

୮ ।

ରାତ୍ରିରେ ଆକାଶରେ ଯାହା ଯାହା ଦେଖିଥାଅ, ସେମାନଙ୍କର ନାମ ଲେଖ ।

୯ ।

ଯେତେ ପ୍ରକାର ଫଳ ଓ ଶସ୍ୟର ନାମ ଜାଣ ଲେଖ ।

 

ପ୍ର – ନିମ୍ନଲିଖିତ ପଦାର୍ଥମାନ ଉଲ୍ଲିଖିତ କେଉଁ ପ୍ରଶ୍ନର ଉତ୍ତରରେ ଅନ୍ତର୍ଭୁକ୍ତ ହୋଇ ପାରିବ ?

 

ଶୁଣ୍ଡ, ଡେଣା, ଆଳୁ, ଟୋପି, ଧୂମକେତୁ, ବାଦୁଡ଼ି, ଗୁଣ୍ଡୁଚି, ଚୌକି, କବାଟ, ହୁଡ଼ା, ଲାଞ୍ଜ, ମେଜ, ପୁସ୍ତକ, ମସଲା, ମାଛ, କାଗଜ, ଶୁକ୍ର, ଚଣା, କଦଳୀ, ମସୁର, ଗହମ, ଭ୍ରମର, କୃମି, ହଳଦୀବସନ୍ତ, ହସ୍ତ, ଶିଙ୍ଗ, ନଖ, ଖୁରା, ଅଶୋକ, ଅପରାଜିତା ।

 

ଦ୍ୱିତୀୟ ସାଧନୀ

 

୧ । ନିମ୍ନଲିଖିତ ବିଶେଷ୍ୟ ପଦଗୁଡ଼ିକ ବିଶେଷଣଯୁକ୍ତ କରି ଲେଖ ।

 

ଆକାଶ, ଜଳ, ପର୍ବତ, ପତ୍ର, ଲତା, ଫଳ, ବୃକ୍ଷ, ମେଘ, ନଦୀ, ସ୍ତ୍ରୀ, ବାଳକ, ଘର, ଘୋଟକ, ବସ୍ତ୍ର, କୁମ୍ଭ, ଭୃତ୍ୟ, ମିତ୍ର, ବାଳିକା, ସରୋବର, ହସ୍ତୀ, ପୁଷ୍ପ, ସୂର୍ଯ୍ୟ, ପ୍ରଜା, କ୍ଷେତ୍ର, ରାଜା ଶର, କାଷ୍ଠ, ମଣି, ସର୍ପ, ବ୍ୟାଘ୍ର, ଶବ୍ଦ, ଭୂମି, ପ୍ରାଚୀର, ସମୁଦ୍ର, ଦ୍ୱୀପ, ଦର୍ପଣ, ଚନ୍ଦ୍ର, ନକ୍ଷତ୍ର, ଶଙ୍ଖ, ଦେବ, ଦଣ୍ଡ, ବାହୁ ।

 

୨ । ନିମ୍ନଲିଖିତ ବିଶେଷଣ ପଦମାନଙ୍କରେ ଉପଯୁକ୍ତ ବିଶେଷ୍ୟ ପଦ ଯୋଗ କର ।

 

(କ) ଚିକ୍କଣ, ମଧୁର, ହରିତ, ପୀତ, ଉତ୍ତମ, କ୍ଷୁଦ୍ର, ଶ୍ୱେତ, ରକ୍ତ, ଗଭୀର, ଚଞ୍ଚଳ, କୋମଳ, ସୁନ୍ଦର, ତୀକ୍ଷ୍ଣ, ପାର୍ବତ୍ୟ, ଅରଣ୍ୟ, ନାବ୍ୟ, ଗ୍ରାମ୍ୟ, ପ୍ରଶସ୍ତ, ତରଳ, ଘନ, କଟୁ, ଶୁଷ୍କ, ଭୀରୁ, ନୀଚ, ଖର୍ବ, ଉଚ୍ଚ, ଅଧମ, ବିଷମ, ବିଶାଳ, ଦରିଦ୍ର, ଉଜ୍ଜ୍ୱଳ, ଉଷ୍ମ, ମିଷ୍ଟ ।

 

(ଖ) ଉଦାର, ପବିତ୍ର, ପ୍ରାକୃତିକ, ଆତୁର, ଆର୍ତ୍ତବ, ସ୍ୱର୍ଗୀୟ, ଅସାଧାରଣ, ବଦାନ୍ୟ, ପାର୍ଥିବ, ଲୌକିକ, ଐହିକ, ସତ୍, କୃତ୍ରିମ, ଦୈହିକ, ମାସିକ, ବ୍ୟସ୍ତ, ବକ୍ର, ଅଗାଧ ।

 

ପ୍ରଶ୍ନ – ୧ । ନିମ୍ନଲିଖିତ ବିଶେଷ୍ୟ ପଦଗୁଡ଼ିକୁ ପ୍ରତ୍ୟୟ ପରିବର୍ତ୍ତନଦ୍ୱାରା ବିଶେଷଣ ପଦରେ ପରିଣତ କର ।

 

(କ) ଅନୁଗ୍ରହ, ବିଷାଦ, ଖେଦ, ବିସ୍ମୟ, ସଂସ୍କାର, ପାକ, ଶଙ୍କା, ଆହରଣ, ଅବତରଣ, ପ୍ରତିଘାତ, ସନ୍ନିବେଶ, ସମ୍ଭାର ।

(ଖ) ୠଷି, ରାଜା, ନଗର, ସମୁଦ୍ର, ଜଳ, ଦେବ, ଧୂମ, ହୋମ, ପିତା, କୁଳ, ମୁଖ, ଗିରି, ଚକ୍ଷୁ, ଦନ୍ତ, ସୂର୍ଯ୍ୟ ।

 

୨ । ନିମ୍ନଲିଖିତ ବିଶେଷଣ ପଦମାନଙ୍କୁ ପ୍ରତ୍ୟୟ ପରିବର୍ତ୍ତନ ଦ୍ୱାରା ବିଶେଷ୍ୟ ପଦରେ ପରିଣତ କର ।

 

(କ) ଗୀତ, ରୁଷ୍ଟ, ଶୁଷ୍କ, ସମସ୍ତ, ଆସକ୍ତ, ଉଦ୍‌ବିଗ୍ନ, ସନ୍ଦିଗ୍‌ଧ, ଗର୍ହିତ, ସଂଯୁକ୍ତ, ପ୍ରଶସ୍ତ, ପୂଜନୀୟ, ଭୋକ୍ତବ୍ୟ, ଆସନ୍ନ, ଉକ୍ତ, ବିହିତ, ଶକ୍ତ, ଦୀପ୍ତ ।

 

(ଖ) ସୁନ୍ଦର, ପ୍ରିୟ, ନୀଳ, ଗୁରୁ, ଋଜୁ, ତୀବ୍ର, ସ୍ନିଗ୍‌ଧ, ମହତ୍, ବଡ଼, ଗମ୍ଭୀର, ଦୀର୍ଘ, ସ୍ଥୂଳ, ଉପଯୋଗୀ, ତେଜସ୍ୱୀ, ନିପୁଣ ।

 

ତୃତୀୟ ସାଧନୀ

୧ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ କର୍ତ୍ତୃପଦ ଦେଇ ପୂରଣ କର ।

- ଦୌଡ଼ୁଅଛି ।

- ତପସ୍ୟା କରୁଅଛନ୍ତି ।

- ଭୋଜନ କରୁଅଛି ।

- ଦଣ୍ଡକାରଣ୍ୟକୁ ଗଲେ ।

- ବର ଦେଲେ ।

- ସୀତାଙ୍କୁ ହରଣ କରିଥିଲା ।

- ଅଭିଶାପ ଦେଲେ ।

- ସରଯୁନଦୀ ପାର ହେଲେ ।

- ଗଦା ପ୍ରହାର କଲେ ।

- ଶର ନିକ୍ଷେପ କଲେ ।

 

୨ । ନିମ୍ନଲିଖିତ ବିଶେଷ୍ୟଗୁଡ଼ିକୁ କର୍ତ୍ତୃପଦରେ ବ୍ୟବହାର କରି ବାକ୍ୟ ରଚନା କର ।

 

ପିତା, ଶିକ୍ଷକ, ପ୍ରଭୁ, ବ୍ୟାଘ୍ର, ହରି, ଲୌହକାର, କୁମ୍ଭକାର, ଧୀବର, ତନ୍ତୁବାୟ, ବର୍ଦ୍ଧକୀ, ଗଣକ, ରଜକ, ନାୟକ, ନର୍ତ୍ତକୀ, ପୁରୋହିତ, ମୁନି, ବାହକ, ୠଷି, କ୍ଷତ୍ରିୟ, ରାଜା, ସୂର୍ଯ୍ୟ ।

 

୩ । ନିମ୍ନଲିଖିତ ଖଣ୍ଡବାକ୍ୟସମୂହରେ ଶୂନ୍ୟ ସ୍ଥଳମାନ କର୍ମପଦଦ୍ୱାରା ପୂରଣ କର ।

 

ରାଜା – ଦେଲେ । ଶିକ୍ଷକମାନେ – କଲେ । ଦସ୍ୟୁମାନେ – ବେଷ୍ଟନ କଲେ । ପ୍ରଭୁ – ପ୍ରହାର କଲେ । ଦୁଷ୍ମନ୍ତ – ବିବାହ କରିଥିଲେ । ସମ୍ରାଟ – ସ୍ଥାପନ କଲେ । କଲମ୍ବସ୍ – ଆବିଷ୍କାର କରିଥିଲେ । କାଳିଦାସ – ରଚନା କରିଥିଲେ । ଇଂରାଜମାନେ ଭାରତବର୍ଷର – କରିବେ । ଦାସୀ – ଜାଳି ଦେଲା । ସୁଦକ୍ଷିଣା – ପ୍ରସବ କଲେ । ବର୍ତ୍ତମାନ ଭାରତବର୍ଷର ଅନେକ ଲୋକ – ଯାଉଅଛନ୍ତି । ବଣିକମାନେ – ନିର୍ମାଣ କରୁଅଛନ୍ତି ।

 

୪ । ନିମ୍ନଲିଖିତ ଶବ୍ଦଗୁଡ଼ିକୁ କର୍ମପଦରେ ବ୍ୟବହାର କରି ବାକ୍ୟ ରଚନା କର ।

 

ମତ୍ସ୍ୟ, ଧନୁ, ଦୂତ, ଯୌବନ, କାଳ ପୃଥିବୀ, ଦେବତା, କ୍ରୀଡ଼ା, ମାତା, ଲେଖନୀ, ନଗର, ତଣ୍ଡୁଳ, ଦଣ୍ଡ, ପଣ୍ଡିତ, ଦର୍ଶକ, ଅନ୍ନ ।

କ୍ରୀଡ଼ା, ମାତା, ଲେଖନୀ, ନଗର, ତଣ୍ଡୁଳ, ଦଣ୍ଡ, ପଣ୍ଡିତ, ଦର୍ଶକ, ଅନ୍ନ ।

 

୫ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ କରଣକାରକ ଦେଇ ବାକ୍ୟ ସମ୍ପୂର୍ଣ୍ଣ କର ।

 

- ଦେଶ ପ୍ଲାବିତ ହେଲା ।            - ଦେହ କମ୍ପିତ ହେଲା ।

- ଚରିତ୍ର ସଂଶୋଧିତ ହୁଏ ।            - କୁମ୍ଭ ପୂର୍ଣ୍ଣ କର ।

- ବସ୍ତ୍ର ଉଡ଼ିଗଲା ।                  - ପୁସ୍ତକ ଲିଖିତ ହେଲା ।

 

ରାମ- ରାବଣର ବକ୍ଷଃସ୍ଥଳ ଭେଦ କଲେ । ଭୀମ- ଦୁର୍ଯ୍ୟୋଧନଙ୍କର ଊରୁ ଭଗ୍ନ କଲେ । ଯୁଧିଷ୍ଠିର – ସର୍ବତ୍ର ଭୟଲାଭ କଲେ ।

 

୬ । ନିମ୍ନଲିଖିତ ଶବ୍ଦଗୁଡ଼ିକୁ କରଣ ପଦରେ ବ୍ୟବହାର କରି ବାକ୍ୟ ରଚନା କର ।

ଖଡ଼୍ଗ, ଲଙ୍ଗଳ, ଶସ୍ୟ, ପ୍ରବାହ, ଯଷ୍ଟି, ସେନା, ଶାସ୍ତ୍ର, ଔଷଧ, ଜାଗରଣ, ଶଙ୍କା, କ୍ରୋଶ, ତୃଷା ।

 

୭ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ସମ୍ପ୍ରଦାନ ପଦ ଦେଇ ବାକ୍ୟ ପୂର୍ଣ୍ଣ କର ।

ସେ – ଅର୍ଘ୍ୟ ଦେଲେ । - ଜଳ ପ୍ରଦାନ କର । - ଅନ୍ନ ଦିଅ । - ବସ୍ତ୍ର ଦାନ କର । - ପୁଷ୍ଟିକର ଆହାର ଦେବା ଉଚିତ । - ଜ୍ଞାନ ଦେବା – ଚକ୍ଷୁ ଦେବା ପରି । ପାର୍ଥନା ପୂର୍ଣ୍ଣ କରିବାର କ୍ଷମତା ନ ଥିଲେ – ଆଶା ଦେବା ଅନୁଚିତ ।

 

୮ । ନିମ୍ନଲିଖିତ ଶବ୍ଦମାନଙ୍କୁ ସମ୍ପ୍ରଦାନ ପଦରେ ବ୍ୟବହାର କରି ବାକ୍ୟ ରଚନା କର ।

ଦରିଦ୍ର, ବିପ୍ର, କୁକୁର, ବଳଦ, ରୋଗୀ, ରାଜା, ଛାତ୍ର, ଗୁରୁ, ମୂର୍ଖ, ଭୋଖୀ, ଶୋଷୀ, ଦୁଃଖୀ ।

 

୯ । ନିମ୍ନଲିଖିତ ଖଣ୍ଡବାକ୍ୟ ମଧ୍ୟରେ ଅପାଦାନ ପଦ ଦେଇ ବାକ୍ୟ ପୂର୍ଣ୍ଣ କର ।

 

ପାଣ୍ଡବମାନେ – ପ୍ରସ୍ଥାନ କଲେ । - ବଜ୍ରପାତ ହେଲା । ସିଂହ – ନିର୍ଗତ ହେଲା । ସଭ୍ୟମାନେ – ଫେରି ଆସିଲେ । - ଅନେକ ଧନ ବିତରିତ ହେଲା । - ପୁରୀ ପର୍ଯ୍ୟନ୍ତ ରାଜଦାଣ୍ଡ ଅଛି । ଗଙ୍ଗା – ନିର୍ଗତ ହୋଇଅଛି । ଦୁର୍ଯ୍ୟୋଧନ – ବାହାରିଲେ ।

 

୧୦ । ନିମ୍ନଲିଖିତ ଶବ୍ଦମାନଙ୍କୁ ଅପାଦାନରୁପେ ବ୍ୟବହାର କରି ବାକ୍ୟ ରଚନା କର ।

 

ବୃକ୍ଷ, ପର୍ବତ, ନଦୀ, ଜଳ, ଚକ୍ଷୁ, ମନ, ଶରୀର, ଦିଗ, ମୃତ୍ତିକା, କଟକ, ଇଙ୍ଗ୍‌ଲଣ୍ଡ, ଆଶା, ମୁଖ, ପଦ, ମୃଦଙ୍ଗ, ଦନ୍ତ, ପଙ୍କ, ଦୁଗ୍‌ଧ, ଗୁଡ଼ ।

 

୧୧ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ସମ୍ବନ୍ଧ ପଦ ଦେଇ ବାକ୍ୟ ପୂର୍ଣ୍ଣ କର ।

 

କୃଷ୍ଣ – ଗର୍ବ ଭଞ୍ଜନ କଲେ । ଚୋରମାନେ – ସର୍ବସ୍ୱ ହରଣ କଲେ । ପଦ୍ମ – ଶୋଭାବର୍ଦ୍ଧନ କରେ । ବିଦ୍ୟା – ଭୂଷଣସ୍ୱରୂପ । ଦୂରରୁ – ବର୍ଣ୍ଣ ନୀଳ ଦିଶେ । ଅସାଧ୍ୟ କାର୍ଯ୍ୟ ନାହିଁ-। - ଦୃଷ୍ଟି ସର୍ବବ୍ୟାପିନୀ । ଜଗଦୀଶ୍ୱର – ହୃଦୟ ଦେଖୁଅଛନ୍ତି । - ଦଣ୍ଡ ଅବଶ୍ୟ ହେବ । ପୁରସ୍କାର ଅବଶ୍ୟ ମିଳିବ ।

 

୧୨ । ନିମ୍ନଲିଖିତ ଶବ୍ଦଗୁଡ଼ିକୁ ସମ୍ବନ୍ଧ ପଦରେ ବ୍ୟବହାର କରି ବାକ୍ୟ ରଚନା କର ।

କୃଷ୍ଣ, ଚନ୍ଦ୍ର, ସଭା, କୋକିଳ, ମାତା, ବୃକ୍ଷ, ନକ୍ଷତ୍ର, ବସନ୍ତ, ରୋଗ, ଖଦ୍ୟୋତ, ସାଗର, ନିଦାଘ, କମଳ, ସର୍ପ ।

 

୧୩ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ଅଧିକରଣ ପଦ ଦେଇ ବାକ୍ୟ ପୂର୍ଣ୍ଣ କର ।

 

- ସମସ୍ତେ ସ୍ୱାର୍ଥ ଲୋଡ଼ନ୍ତି । - କେହି ନ ଥିଲେ । - ଆମ୍ବ ପାଚେ । - ତରୁମାନେ ମୁକୁଳିତ ହୁଅନ୍ତି । - ମନର ବୃତ୍ତ ସତେଜ ଥାଏ । - ସିନ୍ଧୁ ଘୋଟକ ଅଛନ୍ତି । ତାହାଙ୍କ – ଦୟା ନାହିଁ । - ଅନେକ ସୁଖ ଅଛି । - ଅନେକ ନଦୀ ଅଛି । - କେବଳ ବାଲୁକାରାଶି ଲକ୍ଷିତ ହୁଏ । - ସ୍ଥିତିସ୍ଥାପକ ଗୁଣ ଅଛି । ଆକବର ଆରୋହଣ କଲେ । ବିଶ୍ୱାମିତ୍ର – ଉପବେଶନ କଲେ । - ପାଞ୍ଚ ଦଶ ଅଛି । ତାହାଙ୍କର – କଳଙ୍କ ନାହିଁ । ଲକ୍ଷ୍ମଣଙ୍କ – ଶରବିଦ୍ଧ ହେଲା ।

 

୧୪ । ନିମ୍ନଲିଖିତ ଶବ୍ଦମାନଙ୍କୁ ଅଧିକରଣ ରୂପେ ବ୍ୟବହାର କରି ବାକ୍ୟ ରଚନା କର ।

 

କଲିକତା, ଭାରତବର୍ଷ, ଶ୍ରେଣୀ, ବିଦ୍ୟାଳୟ, ବସନ୍ତ, ମଧ୍ୟାହ୍ନ, ଅନ୍ନ, ହୃଦୟ, ଶରୀର, ଜଳ, ମୂଳ, ମସ୍ତକ, ଯଶଃ, କାଶୀ, ହରିଦ୍ୱାର, ଧନ, ଶିରା, ପୁଷ୍ପ, ମାଂସ ।

 

୧୫ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ଶୂନ୍ୟ ସ୍ଥଳମାନ ଯଥାଯୋଗ୍ୟ କାରକ ପଦ ଦେଇ ପୂର୍ଣ୍ଣ କର ।

 

- ଅସ୍ତ ହେଲେ । - ଅବସାନ ହେଲା । ଅନ୍ଧକାର – ଆଚ୍ଛନ୍ନ କଲା । ପକ୍ଷୀମାନେ – ଯାଇଥିଲେ, - ଦେଖି – ଫେରି ଆସିଲେ ଏବଂ – ଆହାର ଦେଲେ । ଗୋପାଳମାନେ – ଘେନ ଫେରି ଆସିଲେ । - ଅତ୍ୟନ୍ତ ଶୋଭା ଧାରଣ କଲା । - ଫୁଟିଲା । - ଚନ୍ଦ୍ର ଉଦିତ ହେଲେ – ଧୀରେ ବହିଲା ।

 

ସୂର୍ଯ୍ୟତେଜ ପ୍ରଚଣ୍ଡ ହୁଏ, - ଜଳ ଶୁଷ୍କ ହୋଇଯାଏ, କେହି – ବାହାରି ପାରନ୍ତି ନାହିଁ, - ଝାଳ ବହେ, - ବେଗରେ ପବନ ବହେ, ଦିନ ବଢ଼େ – ଛିଡ଼େ, ଆକାଶ – ଆଚ୍ଛନ୍ନ ହୁଏ । - ଜଳରେ ପୂର୍ଣ୍ଣ ହୁଏ, ମାର୍ଗରେ ଅତିଶୟ – ହୁଏ, ବେଙ୍ଗମାନେ – ନୂତନ – ପାଇ ଡାକନ୍ତି, କଦମ୍ବ ଓ ମାଳତୀ - -, - - ଚାରିଦିଗ ମୋଦିତ ହୁଏ । ଆତ, ତାଳ ସପୁରି, ପଣସ ପ୍ରଭୃତି ପାଚେ ।

 

ଶରତ୍‌କାଳରେ – ନିର୍ମଳ ହୁଏ, - କର୍ଦ୍ଦମ ଶୁଖିବାକୁ ଆରମ୍ଭ ହୁଏ, - -, - - ଅତ୍ୟନ୍ତ ଶୋଭା ହୁଏ, - - ଜ୍ୟୋତ୍ସ୍ନା । ଅତି ନିର୍ମଳ ହୁଏ, କ୍ଷେତ୍ର – ପରିପୂର୍ଣ୍ଣ ଦେଖି ବଡ଼ ପ୍ରୀତି ହୁଏ ।

 

- ଦୁର୍ଭିକ୍ଷରେ – ମିଳେ, - ଅତ୍ୟନ୍ତ ଦୁର୍ମୂଲ୍ୟ ହୋଇଥିଲା ।

 

୧୬ । ନିମ୍ନଲିଖିତ ବିଶେଷ୍ୟଗୁଡ଼ିକୁ ବ୍ୟବହାର କରି ବାକ୍ୟ ରଚନା କର ।

 

ହଳ, ବଳ, କୁଳ, ଶିଳା, କର୍ଣ୍ଣ, କନ୍ୟା, ଅଗ୍ନି, ବନ, ଯୌବନ, ଲେଖନ, ଆସନ, ଆଚରଣ, ପୁଷ୍କରିଣୀ, ରଥ, ଘୃତ, ପୁତ୍ତ୍ର, ହସ୍ତୀ, ଲତା, ନଦୀ, ବ୍ୟାଧି, ପତ୍ନୀ, ବସ୍ତ୍ର, ନାମ, ଭୂମି, ଆମ୍ର, ଆଶ୍ରମ, ଶରୀର, କୁଟୀର, ମନ୍ଦିର, ପ୍ରାଚୀର, କେଶ, ମେଷ, ମନୁଷ୍ୟ, ବଳସ, ଅଶ୍ରୁ, ପୁଷ୍ପ, ପଶୁ, ପକ୍ଷୀ, ଭାଗ, ମେଘ, ମୃଗ, ବାଳକ, ନାସିକା, ରାଜା, ସ୍ତମ୍ଭ, ସୂର୍ଯ୍ୟ, ବାୟୁ, ଚନ୍ଦ୍ର ।

 

ପ୍ରଶ୍ନ – ୧ । ନିମ୍ନଲିଖିତ ବିଭିନ୍ନ କାରକମାନ ଏକତ୍ର ବ୍ୟବହାର କରି ଗୋଟିଏ ଗୋଟିଏ ବାକ୍ୟ ରଚନା କର ।

(କ) କର୍ତ୍ତା, କର୍ମ, କରଣ (ଖ) କର୍ତ୍ତା, କର୍ମ, ଅଧିକରଣ (ଗ) କର୍ମ, ସମ୍ପ୍ରଦାନ ଓ ସମ୍ବନ୍ଧପଦ (ଘ) କର୍ତ୍ତା, ଅପାଦାନ, ଅଧିକରଣ ।

 

୨ । ସମସ୍ତ କାରକ ବ୍ୟବହାର କରି ଗୋଟିଏ ବାକ୍ୟ ରଚନା କର ।

୩ । ନିମ୍ନଲିଖିତ ଛଅଟି ବିଶେଷ୍ୟ ପଦକୁ ଯଥାଯୋଗ୍ୟ କାରକରେ ବ୍ୟବହାର କରି ଗୋଟିଏ ବାକ୍ୟ ରଚନା କର ।

ହସ୍ତ, ସନ୍ଧ୍ୟା, ରାମ, ଘର, ଭିକ୍ଷୁକ, ଚାଉଳ ।

 

ଚତୁର୍ଥ ସାଧନୀ

୧ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ଶୂନ୍ୟ ସ୍ଥଳମାନ ଯଥୋଚିତ କାଳର କ୍ରିୟା ପଦ ଦ୍ୱାରା ପୂର୍ଣ୍ଣକର ।

 

ସଖି ! ଏ ଭୂଷଣ କର୍ଣ୍ଣରେ - । କଟକର ଦୁଇ ଦିଗରେ ଦୁଇ ନଦୀ - । ସର୍ପ ଅତ୍ୟନ୍ତ କ୍ରୂର-। ପ୍ରଜାମାନେ ବିଗତ ଦୁର୍ଭିକ୍ଷରେ ଅନାହାରରେ ପ୍ରାଣ । ଅନସୂୟା ବନରେ ଫୁଲ । ମୃଦୁ ପବନରେ ବୃକ୍ଷର ପତ୍ର - । ଦେଶ ପର୍ଯ୍ୟଟନର ଅନେକ ଜ୍ଞାନ । ଲକ୍ଷ୍ମଣ ରାମଙ୍କ କୁଟୀର ଦ୍ୱାରରେ ଧନ ବଢ଼ିଲେ ମନ - । ଆଜିକୁ ପାଞ୍ଚ ବର୍ଷରେ ଏ ବୃକ୍ଷ - । ବୃନ୍ଦାବନରେ ବଂଶୀ - । ବାନରମାନଙ୍କ ଗର୍ଜନ ଶୁଣି ରାକ୍ଷସ ସେନା - । ତାହାଙ୍କ ନେତ୍ରରୁ ଅଶ୍ରୁ - । ଏ କର୍ମ ସେ – ନାହିଁ । ବିଷରେ ଦେହ-। ବଟଫଳ ପଦ୍ମରାଗ ମଣିପରି - । ତୃଷାରେ ହଂସ - । ଦୁର୍ଗାବତୀ ହସ୍ତରେ - । ଶରତ୍ କାଳର ରୌଦ୍ର ଦେହକୁ - । ବାରୁଦରେ ଅଗ୍ନି - । ପ୍ରଭାତରେ ଉଠି ମୁଖ - । ରାମେଶ୍ୱର ପର୍ଯ୍ୟନ୍ତ ରାଜଦାଣ୍ଡ-। ତାହାଙ୍କୁ ଶୃଗାଳ - । ସାବିତ୍ରୀ ସତ୍ୟବାନଙ୍କୁ - । ପରଶୁରାମ ବ୍ରାହ୍ମଣମାନଙ୍କୁ-। ସେ ଅହିଫେନ - । ବର୍ଷାକାଳରେ ବୃଷ୍ଟି - । ବ୍ରାହ୍ମଣମାନେ ପ୍ରାପ୍ତି ଆଶାରେ -, କିନ୍ତୁ ସେମାନଙ୍କର ଆଶା ବିଫଳ - । ପୃଥିବୀ ମଧ୍ୟରେ ଯେତେ କବି – ବାଲ୍ମୀକି ତନ୍ମଧ୍ୟରେ ଅଗ୍ରଗଣ୍ୟ-। ତୁମ୍ଭେ ଯିବା ପୂର୍ବରୁ ସେ - । ଜଗଦୀଶ୍ୱର ମନୁଷ୍ୟକୁ ବୁଦ୍ଧି - । ତୁମ୍ଭର ଆଦେଶ ପାଇଥିଲେ - । ରାଜପୁରୁଷମାନେ ଯଦି ପୂର୍ବରୁ ସାବଧାନ -, ତାହାହେଲେ ନଅଙ୍କରେ ଏତେ ଲୋକ - । ଏ ରୋଗକୁ ଦେଶୀୟ ବୈଦ୍ୟ ଭଲ - ନାହିଁ । ଇଂରାଜମାନେ ଭାରତବର୍ଷ ଉତ୍ତମରୂପେ - । ଗଡ଼ଜାତ ରାଜାମାନେ ଯେବେ ସତ୍କାର୍ଯ୍ୟରେ ତାହାହେଲେ ଅଳ୍ପ ଦିନ ମଧ୍ୟରେ ଓଡ଼ିଶାର ମୁଖ ଉଜ୍ୱଳ - । ପୁରାଣରେ – ଯେ, ପୂର୍ବକାଳରେ ପର୍ବତମାନେ - । ଆଜିକାଲି ବ୍ରାହ୍ମଣମାନେ ସବୁ କର୍ମ ଛାଡ଼ି କେବଳ ଭିକ୍ଷାକୁ - । ସେ ଯେବେ ଏ କାର୍ଯ୍ୟରେ ମନ -, ତାହାହେଲେ ଏତେ ସରିକ କାହିଁକି - ? ଭବଭୂତି ଦାକ୍ଷିଣାତ୍ୟରେ ଜନ୍ମ - ।

 

୨ । ଉପଯୁକ୍ତ ଣିଜନ୍ତ ବା ପ୍ରେରଣାର୍ଥ କ୍ରିୟା ଲଗାଇ ନିମ୍ନଲିଖିତ ଖଣ୍ଡବାକ୍ୟମାନ ପୂର୍ଣ୍ଣ କର ।

 

ସେ ତାଙ୍କ କ୍ରୋଧ – ବଣିକ ମୂଳଧନକୁ ସର୍ବଦା - । ମାଧବ ବଡ଼ ଅହଙ୍କାରୀ, ସବୁବେଳେ ଆପଣା ବିଦ୍ୟା - । ସେ ପତ୍ର ଲେଖିଥିଲେ ଏହା ମୁଁ ପ୍ରମାଣ - । ସେ ଦୁହିଁଙ୍କ ମଧ୍ୟରେ ବହୁ ଦିନରୁ ବିବାଦ – ଥିଲା, ମୁଁ ପଛକୁ ପୁଣି ଦୁଇ ଜଣଙ୍କୁ - । ଧରଣୀଧର ବୃକ୍ଷରୁ ଯୋଡ଼ିଏ ଫଳ - । ଇନ୍ଦ୍ର ମଦନଙ୍କୁ ଆପଣା ସିଂହାସନ ପାର୍ଶ୍ୱରେ - । ମନ୍ତ୍ରୀ ରାଜାଙ୍କ ଛାମୁରେ ଏ କଥା - । ରାଜା ଅପରାଧୀର ବନ୍ଧନ - । ହାତୀକୁ ହାତୀ - ।

 

୩ । (କ) ଆତ୍ମହତ୍ୟା – ଉଚିତ ନୁହେ ।

(ଖ) ଆତ୍ମହତ୍ୟା କରିବା ଉଚିତ ନୁହେଁ ।

 

ଏଠାରେ ଯେପରି ‘କରିବା’ ଏହି କ୍ରିୟାବାଚକ ବିଶେଷ୍ୟ ପଦଦ୍ୱାରା ‘କ’ ଚିହ୍ନିତ ଖଣ୍ଡବାକ୍ୟ ପୂର୍ଣ୍ଣ ହେଲା, ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କୁ ସେହିପରି ପୂର୍ଣ୍ଣ କର ।

 

ପରର ଦୁଃଖ – ଉଚିତ ନୁହେଁ । ଦିନରେ ଅଧିକ – ମନ୍ଦ । କଟୁ କଥା – ଅନୁଚିତ । ଅନ୍ୟର ଭ୍ରମ ଦେଖି ଆପଣା ଭ୍ରମ – ଉଚିତ । ଦତ୍ତଦ୍ରବ୍ୟ – ବଡ଼ଦୋଷ । ପ୍ରତିଦିନ ପ୍ରାତଃକାଳରେ-– ସ୍ୱାସ୍ଥ୍ୟ ପକ୍ଷରେ ଉତ୍ତମ । ଆତ୍ମରକ୍ଷା – ପ୍ରାଣୀର ସ୍ୱଭାବସିଦ୍ଧ ଅଟେ । ପରଦ୍ରବ୍ୟ – ତାହାଙ୍କର ତ୍ରୁଟିନାହିଁ । ଅତିଥିଙ୍କୁ – ସେ ସର୍ବଦା ତତ୍ପର । ରୋଗୀକୁ ଔଷଧ ଦେଇ ସୁସ୍ଥ – ମହାପୁଣ୍ୟ । ତାଙ୍କ – ସିନା ଏତେ କଥା ହେଲା । ସ୍ଥିର ସମୁଦ୍ରରେ ନୌକା – କିଛି ପୌରୁଷ ନାହିଁ । ମନ ମଧ୍ୟରେ କ୍ରୋଧକୁ – ନୀଚ ଲୋକର କାର୍ଯ୍ୟ ଅଟେ । ଗୋଟିଏ ଘର ଗଢ଼ିବାଠାରୁ – ସହଜ ।

 

(୧) ନ ଥିଲା ଲୋକର ଯାବତ କଷ୍ଟ ।

(୨) ଶରଣ ନେଇଥିବା ଲୋକର କେବେ ଅନିଷ୍ଟ ନ କର ।

 

ଉଲ୍ଲିଖିତ ଉଦାହରଣଦ୍ୱୟରେ ‘ଥିଲା’ ଓ ‘ନେଇଥିବା’ ଏହି ଦିଓଟି କ୍ରିୟାବାଚକ ବିଶେଷଣ-। ପ୍ରଥମ ଉଦାହରଣରେ କ୍ରିୟା ଅକର୍ମକ ଥିବାରୁ ବିଶେଷଣ ଅକର୍ମକ ଏବଂ ଦ୍ୱିତୀୟ ଉଦାହରଣରେ କ୍ରିୟା ସକର୍ମକ ଥିବାରୁ ବିଶେଷଣ ସକର୍ମକ ହୋଇଅଛି । ଉଲ୍ଲିଖିତ ଆଦର୍ଶର ଅନୁକରଣରେ ନିମ୍ନଲିଖିତ କ୍ରିୟାଗୁଡ଼ିକୁ ବିଶେଷଣ ରୂପେ ବ୍ୟବହାର କରି ବାକ୍ୟ ରଚନା କର ।

ଖାଇବା, ଥିବା, ଆସିବା, ରହିବା, ବସିବା, ହସିବା, ମାରିବା, ପାଇବା, ନେବା, କରିବା ।

 

୫ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କର ଶୂନ୍ୟ ସ୍ଥଳରେ କ୍ରିୟାବାଚକ ବିଶେଷଣ ବ୍ୟବହାର କରି ପୂର୍ଣ୍ଣ କର ।

୧ ।

ସଡ଼କ ପାଖରେ – ଗ୍ରାମମାନଙ୍କରେ ମାରୀଭୟ ଉପସ୍ଥିତ ହୋଇଅଛି ।

୨ ।

ସହରରେ କୀଣି – ଲୋକଙ୍କର ସଂଖ୍ୟା ଅଧିକ ।

୩ ।

ଯେ କୁକାର୍ଯ୍ୟ କଲା, ସେ ଲଜ୍ଜିତ ନ ହେଲା, - ଲୋକେ ଲଜ୍ଜିତ ହେଲେ ।

୪ ।

ଏ ତୁମ୍ଭ – କଥା ସିନା ?

୫ ।

ଲୋକ ଉପରେ ପ୍ରହାର କଲେ କଣ ହେବ ?

 

 

୬ ।

ବିଦ୍ୟା ତ ଆଉ – ପଦାର୍ଥ ନୁହେ ।

୭ ।

ପ୍ରହାରୀ ସଡ଼କରେ – ଲୋକଙ୍କୁ ସାବଧାନ କରାଇଦେଲା ।

୮ ।

- ଜଳ ସ୍ଥିର ଜଳ ଅପେକ୍ଷା ନିର୍ମଳ ।

୯ ।

ସ୍ନାନ – ଲୋକଙ୍କ ମଧ୍ୟରୁ ଜଣକୁ କୁମ୍ଭୀର ଧରିଲା ।

୧୦ ।

ଭାର – ଲୋକ ଭାରକଷ୍ଟ ଜାଣେ ।

 

୬ । (କ) ସେ ଗଲେ । (ଖ) ସେ ପଳାଇ ଗଲେ । (ଗ) ସେ ଶତ୍ରୁକୁ ମାରି ଗଲେ ।

 

ଅସମାପିକା କ୍ରିୟା ପ୍ରୟୋଗ ଦ୍ୱାରା ‘କ’ ଚିହ୍ନିତ ବାକ୍ୟ ବର୍ଦ୍ଧିତ ହୋଇ ‘ଖ’ ଚିହ୍ନିତ ବାକ୍ୟରେ ଅକର୍ମକ କ୍ରିୟା ଏବଂ ‘ଗ’ ଚିହ୍ନିତ ବାକ୍ୟରେ ସକର୍ମକ କ୍ରିୟାଯୁକ୍ତ ହୋଇଅଛି । ଏହି ଆଦର୍ଶ ଅନୁକରଣରେ ନିମ୍ନଲିଖିତ ବାକ୍ୟଗୁଡ଼ିକ ଅକର୍ମକ ଓ ସକର୍ମକ ଉଭୟବିଧ ଅସମାପିକା କ୍ରିୟାର ପ୍ରୟୋଗଦ୍ୱାରା ପରିବର୍ଦ୍ଧିତ କର ।

 

୧ ।

ଦିଲୀପ ବଶିଷ୍ଠଙ୍କ ଆଶ୍ରମକୁ ଗଲେ ।

୨ ।

ଚନ୍ଦ୍ରାପୀଡ଼ ଅରଣ୍ୟରେ ପ୍ରବିଷ୍ଟ ହେଲେ ।

୩ ।

ଦୁଷ୍ମନ୍ତ ଶକୁନ୍ତଳାଙ୍କୁ କହିଲେ ।

୪ ।

ହରିଣ ସିଂହ ଗର୍ତ୍ତରେ ପଶିଲା ।

୫ ।

ବ୍ୟାଧ ଶର ସନ୍ଧାନ କଲା ।

୬ ।

ରାଜା ସୈନ୍ୟଙ୍କୁ ଦଣ୍ଡ ଦେଲେ ।

୭ ।

ପକ୍ଷୀ ରାବ କଲା ।

୮ ।

କମଳ ପ୍ରସ୍ଫୁଟିତ ହେଲା ।

୯ ।

ରୋଗୀ ଅସ୍ଥିର ହେଲା ।

୧୦ ।

ବୈଦ୍ୟ ଔଷଧ ଦେଲେ ।

୧୧ ।

ବଡ଼ ଶ୍ରାନ୍ତି ହେଲା ।

୧୨ ।

ଲତା ପଲ୍ଲବିତ ହେଲା ।

୧୩ ।

ଆରଙ୍ଗଜେବ୍ ସିଂହାସନ ଅଧିକାର କଲେ ।

୧୪ ।

କାଠ କୂଳରେ ଲାଗିଲା ।

୧୫ ।

ସେ ବିରକ୍ତ ହେଲେ ।

 

୭ । (କ) ସେ କହିଲେ । (ଖ) ସେ ଯାଉଁ ଯାଉଁ କହିଲେ ।

 

ଅସମାପିକା କ୍ରିୟା ଯୋଗରେ ‘କ’ ଚିହ୍ନିତ ବାକ୍ୟ ଯେପରି ‘ଖ’ ଚିହ୍ନିତ ବାକ୍ୟରେ ପରିଣତ ହେଲା, ନିମ୍ନଲିଖିତ ବାକ୍ୟଗୁଡ଼ିକ ସେହିପରି ପରିଣତ କର ।

 

୧ ।

ସର୍ପ ଦଂଶନ କଲା ।

୨ ।

କଥା କହିବ ନାହିଁ ।

୩ ।

ସେ ଚାଲିଗଲେ ।

୪ ।

ନର୍ତ୍ତକୀ ପଡ଼ିଗଲା ।

୫।

ସେ ଭାସିଗଲେ ।

୬ ।

ରାମ ଲକ୍ଷ୍ମଣଙ୍କୁ ଦେଖିଲେ ।

୭ ।

ଅର୍ଜ୍ଜୁନ ପର୍ବତରେ ପଡ଼ିଗଲେ ।

୮ ।

ଲୋକେ ଲେଖକ ହୁଅନ୍ତି ।

୯ ।

ବୃଦ୍ଧ ବଞ୍ଚିଲେ ।

୧୦ ।

ସେ ମଲେ ।

 

୮ । (କ) ସଭା ଭାଙ୍ଗିଗଲା । (ଖ) ସେ ଯାଉଁ ଯାଉଁ ସଭା ଭାଙ୍ଗିଗଲା ।

 

ଏହି ଆଦର୍ଶର ଅନୁକରଣରେ ନିମ୍ନଲିଖିତ ବାକ୍ୟମାନଙ୍କୁ ପରିବର୍ଦ୍ଧିତ କର ।

୧ ।

ହାତ କାଟିଗଲା ।

୨ ।

ମହାଦେବ ବାହାରିଲେ ।

୩ ।

ଅଗ୍ନି ବାହାରିଲା ।

୪ ।

ଦୀପ ନିଭିଗଲା ।

୫ ।

ସେମାନେ କଳହ କଲେ ।

୬ ।

ଚୋର ପଳାଇଲା ।

 

୯ । (କ) ମୁଁ ଯିବି । (ଖ) ସେ ଆସିଲେ ମୁଁ ଯିବି ।

ଏହି ଆଦର୍ଶର ଅନୁକରଣରେ ନିମ୍ନଲିଖିତ ବାକ୍ୟଗୁଡ଼ିକୁ ବର୍ଦ୍ଧିତ କର ।

 

୧ ।

ସେ ପଳାଇବେ ।

୨ ।

ନେଉଳ କି ସ୍ଥିର ଥାଏ ?

୩ ।

ଚଳି ପାରିବ ନାହିଁ ।

୪ ।

ଶତ୍ରୁ କଣ ଛାଡ଼ି ଦିଏ ?

୫ ।

ଚୂନରଙ୍ଗ ହୋଇଯାଏ ।

୬ ।

ସେ କର୍ମ ପରିତ୍ୟାଗ କରିବେ ।

୭ ।

ମନ ଫୁଲିଯାଏ ।

୮ ।

ଦେହ ଶୀର୍ଣ୍ଣ ହୋଇଯାଏ ।

 

 

୯ ।

ଅଙ୍ଗ ଅବଶ ହୋଇଯାଏ ।

୧୦ ।

ପିମ୍ପୁଡ଼ି ମରନ୍ତି ।

୧୧ ।

ସଂସାର ଅରଣ୍ୟପ୍ରାୟ ହୁଏ ।

୧୨ ।

ଦଣ୍ଡ ହୁଏ ।

୧୩ ।

କିଛି ଭଲ ଲାଗେ ନାହିଁ ।

୧୪ ।

କୁମୁଦ ଫୁଟେ ।

୧୫ ।

ବର୍ଷା ହୁଏ ।

୧୬ ।

ଛାତ୍ରମାନେ ଠିଆ ହୁଅନ୍ତି ।

 

୧୦ । (କ) କୃଷ୍ଣ ଅର୍ଜ୍ଜୁନଙ୍କୁ – ଉପଦେଶ ଦେଲେ । (ଖ) କୃଷ୍ଣ ଅର୍ଜ୍ଜୁନଙ୍କୁ ଯୁଦ୍ଧ କରିବାକୁ ଉପଦେଶ ଦେଲେ ।

ଉଲ୍ଲିଖିତ ଆଦର୍ଶର ଅନୁକରଣରେ ନିମ୍ନଲିଖିତ ଖଣ୍ଡବାକ୍ୟମାନ ପୂର୍ଣ୍ଣ କର ।

୧ ।

ତାହାଙ୍କର ଆଦେଶ ନ ଥିଲା ।

୨ ।

ମୋର ବଳ ନାହିଁ ।

୩ ।

ସେ ନ ଦେଲେ ।

 

 

୪ ।

ମିଳିବ ତ ?

୫ ।

ସେ – କହିଲେ ।

୬ ।

ଏଠାରେ – କାରଣ ଅଛି ।

୭ ।

ତାହାଙ୍କର ଅବକାଶ ନାହିଁ ।

୮ ।

ମୋହର ପ୍ରବୃତ୍ତ ହେଲା ନାହିଁ ।

 

ପଞ୍ଚମ ସାଧନୀ

୧ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ କ୍ରିୟା ବିଶେଷଣ ଦେଇ ବାକ୍ୟ ପୂର୍ଣ୍ଣ କର ।

 

ସେ – ମୂର୍ଖ ହୋଇ ରହିବେ । ତାହାଙ୍କୁ – କହିଲି । ତାହାଙ୍କ ଗୃହକୁ – ଗମନ କଲି । ମୋହର – ଯିବାର ଅଛି । ରାବଣ ସୀତାଙ୍କ କୁଟୀର ନିକଟରେ – ଉପସ୍ଥିତ ହେଲା । ତାହାଙ୍କ ସଙ୍ଗରେ – ସାକ୍ଷାତ୍ ହୁଏ । ସେ – କହିଲେ, ସେଥିରୁ ତାହାଙ୍କର ନିର୍ଦ୍ଦୋଷତା – ଜଣାଗଲା । ବସନ୍ତ କାଳରେ ବାୟୁ – ବହେ । ଦୀପ – ଜଳୁଥିଲା । - ହେଲେ – ହେବ । ସେ ଏକ ଅନ୍ନରେ ରହିବେ ନାହିଁ – ରହିବେ ।

 

୨ । ନିମ୍ନଲିଖିତ କ୍ରିୟାବିଶେଷଣଗୁଡ଼ିକୁ ବ୍ୟବହାର କରି ବାକ୍ୟ ରଚନା କର ।

ଅତ୍ୟନ୍ତ, ଚଞ୍ଚଳ, ଅନାୟାସରେ, ଏକାବେଳକେ, ଶୀଘ୍ର, ବାରମ୍ବାର, ସତ୍ୱର, ପରସ୍ପର, ଭଲ, ସେପରି ।

 

୩ । ବିଶେଷଣର ବିଶେଷଣଦ୍ୱାରା ନିମ୍ନଲିଖିତ ଖଣ୍ଡବାକ୍ୟମାନ ପୂର୍ଣ୍ଣ କର ।

ସେ – ଦୁଷ୍ଟ ଲୋକ । ତାଙ୍କର ଆଚରଣ – ମନ୍ଦ । ବିକ୍ରମ – ଅସତ୍ ଚରିତ୍ର ଲୋକ ଥିଲେ-। - ନୀଳବର୍ଣ୍ଣ ମେଘ – ସୁନ୍ଦର ଦିଶେ । ଦମୟନ୍ତୀ – ରୂପବତୀ ଥିଲେ । ପ୍ରଫୁଲ୍ଲ ପଦ – ସୁନ୍ଦର ।

 

ଷଷ୍ଠ ସାଧନୀ

 

ଉପଯୁକ୍ତ ଅବ୍ୟୟ ପଦ ଦେଇ ନିମ୍ନଲିଖିତ ଖଣ୍ଡ ବାକ୍ୟମାନ ପୂର୍ଣ୍ଣ କର ।

୧ ।

ରାବଣ ଗୁପ୍ତବେଶରେ ପଞ୍ଚବଟୀକୁ ଆସିଲେ – ସୀତାଙ୍କୁ ହରଣ କଲେ ।

୨ ।

ରାମ ଅତ୍ୟନ୍ତ ଶୋକାନ୍ୱିତ ହୋଇ ସୀତାଙ୍କୁ ଖୋଜିଲେ – ପାଇଲେ ନାହିଁ ।

୩ ।

ସବୁ ୠତୁ ମଧ୍ୟରେ ଶରତ୍ – ବସନ୍ତ ଅତୀବ ମନୋହର ।

୪ ।

ରାତ୍ରିରେ ଚନ୍ଦ୍ର – ନକ୍ଷତ୍ର ଆକାଶର ଶୋଭା ସମ୍ପାଦନ କରନ୍ତି ।

 

 

୫ ।

ବାଲ୍ମୀକି ମୁନି ପୁଷ୍ପ, ଦୂର୍ବାଦଳ – ହୋମକାଷ୍ଠ ଘେନି ଆସୁଥିଲେ ।

୬ ।

ତାହାଙ୍କର – ଏପରି କ୍ଷମତା ଅଛି – ସେ ଯେ କାହିଁକି କଷ୍ଟ ପାଉଛନ୍ତି ।

୭ ।

ରାମ ହସିଲେ ସେଥିରେ ମୋହର – ଦୁଃଖ ନାହିଁ – ବାନରମାନେ ହସିବେ ଏହା ମୁଁ – ସହି ପାରିବି ନାହିଁ ।

୮ ।

ସିଂହ ବଳବାନ୍ ସତ୍ୟ – ସେ ପଶୁ ବ୍ୟତୀତ ଅନ୍ୟ କିଛି ନୁହେ ।

 

 

୯ ।

ହୁକୁମ ହେଲା – ନାଜର ଏ ବିଷୟରେ ବିହିତ ବନ୍ଦୋବସ୍ତ – କରିବେ ।

୧୦।

ସେ ଯାହା ପ୍ରାର୍ଥନା କଲେ, ତାହା ପାଇଲେ – ତାଙ୍କର ମନ ତୃପ୍ତି ହେଲା ନାହିଁ ।

୧୧।

ସେ ଏଡ଼େ ଦୁଷ୍ଟ – ବ୍ରହ୍ମାଣ୍ଡରେ ତାହା ପରି ଆଉ ଗୋଟିଏ ନାହିଁ ।

୧୨।

ପରର ଦୁଃଖ ଶୁଣି ଯାହାର ମନ ନ ଦ୍ରବିଲା, ତାହାକୁ - ।

 

 

୧୩।

ମୁଁ ଯାଇଥିଲି, ସେ ଯାଇଥିଲେ - ?

୧୪।

ସେ ଯିବେ – ଯାନ୍ତୁ, ମୁଁ କହିବି - ?

୧୫।

ତୁମ୍ଭେ – ଗଲେ ଚଳିବ ?

୧୬।

ହେ ଲଙ୍କେଶ୍ୱର ! ସୀତାଙ୍କୁ ପ୍ରତ୍ୟର୍ପଣ କର – ସବଂଶରେ ମରିବ ।

 

 

୧୭।

ସେ ଆସିବାରୁ – ଏତେ କଥା ହେଲା ।

୧୮ ।

ମୋତେ ମାର – ମୋ କଥା ଶୁଣ ।

୧୯।

ଯାହାର ମୁଁ ନିତାନ୍ତ ଅନୁଗତ ଥିଲି, ସେ – ବିପଦ ବେଳେ ମୋତେ ଚାହିଁଲା ନାହିଁ ।

୨୦।

ବିଧି ବାମ ହେଲେ, ଏହିପରି – ହେଉଥାଏ ?

୨ । ନିମ୍ନଲିଖିତ ଅବ୍ୟୟମାନ ବ୍ୟବହାର କରି ବାକ୍ୟ ରଚନା କର ।

କିନ୍ତୁ, ମାତ୍ର, ଯଦି, ସିନା, ଯେ ଯେବେ, ତଥାପି, ପଛକେ, ସୁଦ୍ଧା, ମଧ୍ୟ, ଅବା, ଅଥବା, ବା, କିମ୍ବା, ଏଣୁ, ତେଣୁ, ତ, ଟି, ଆହା, ପ୍ରତି, ଧିକ୍, ଅହୋ, ହେ, ଅତଏବ, ସୁତରାଂ ।

 

ପ୍ରଶ୍ନ

 

ନିମ୍ନଲିଖିତ ସମାପିକା ଏବଂ ଅସମାପିକା କ୍ରିୟା ପଦ ବ୍ୟବହାର କରି ବାକ୍ୟ ରଚନା କର ।

 

ଉଇଁଲେଣି, କହୁଁ କହୁଁ, ଦିଅନ୍ତା, ଦେଖୁ ଦେଖୁ, ଭେଟିବା, ଆସୁ ଆସୁ, ଦିଶୁଛି, ଝାସିଲେ, ଘଟିଥାଏ, ଜାଣୁ ଜାଣୁ, ଦେଇ ପାରେଁ, ଥାଉଁ ଥାଉଁ, କରି ଆସୁଛନ୍ତି, ଥାନ୍ତା, ଦେଉଁ ଦେଉଁ, ଲାଗିଲେ, ଯାଇଥିବ, ହେବଣି, କହି କହି, ଲେଖି ଲେଖି, ଶୋଇ ଶୋଇ, ସଜାଇଲେ, ମାତିଲେ, ଧାଇଁ ଧାଇଁ, ଉବୁରିଲେ ।

 

୨ । ନିମ୍ନଲିଖିତ କ୍ରିୟାବିଶେଷଣମାନ ବ୍ୟବହାର କରି ବାକ୍ୟ ରଚନା କର ।

ସତ୍ୱର, ବୃଥା, ଶୀଘ୍ର, ଅକ୍ଲେଶରେ, ସଗର୍ବରେ, ଧୀରେ ଧୀରେ, ଅଳ୍ପେ ଅଳ୍ପେ, ଯେତେ, କେମନ୍ତେ, ସବିନୟ, ବିନୟପୂର୍ବକ, ଚିରକାଳ, ବହୁତ, ଯେପରି, ଭକ୍ତିଭରେ, ନିର୍ଭୟରେ, ସସୈନ୍ୟରେ, ଏତେ, ପୁତ୍ରନିର୍ବିଶେଷରେ, ମୁକ୍ତକଣ୍ଠରେ, ସୁନ୍ଦର, ଅଚିରେ ।

 

୩ । ଉପଯୋଗୀ ପଦଦ୍ୱାରା ନିମ୍ନଲିଖିତ ବାକ୍ୟମଧ୍ୟରେ ଶୂନ୍ୟସ୍ଥାନ ପୂରଣ କର ।

 

(୧) ସୃଷ୍ଟିର ପ୍ରାରମ୍ଭରୁ ପୃଥିବୀ ସଙ୍ଗେ ଭୂମିକମ୍ପ ପ୍ରାୟ ସମୁଦ୍ର -, ଆଉ ରକ୍ଷା – ପୂର୍ବେ ଯେତେ ଅଗ୍ନ୍ୟୁତ୍ପାତ – ବର୍ତ୍ତମାନ ତେତେ - । ସେମାନେ ମାର୍ଗରେ ବିପକ୍ଷ ସୈନ୍ୟଙ୍କ – କ୍ରୋଧ ଓ ଦ୍ୱେଷ ସଂବରଣ - । ଶାସ୍ତ୍ରରେ – ଯେ, ମନୁଷ୍ୟ କୃତକର୍ମର ଫଳ - । ସେ ଯଦି ଏଠାକୁ – ତେବେ କଦାପି ଏପରି - । (୨) କେତେକ ଲୋକ ଅଛନ୍ତି – ପରିଶ୍ରମକୁ ଘୃଣା କରନ୍ତି, - କେବଳ ଆଳସ୍ୟରେ କାଳକ୍ଷେପ କରନ୍ତି, - ଜୀବନକୁ ଧିକ୍ । ସତ୍ୟ ଯେ ପ୍ରଧାନ ଧର୍ମ, - ଆପତ୍ତି ନାହିଁ । ସ୍ୱଦେଶର ହିତସାଧନ – କର୍ତ୍ତବ୍ୟ – ବର୍ତ୍ତମାନ – ଆସିଲା ? – ମଧ୍ୟରୁ – ତୁମ୍ଭର ପ୍ରିୟତମ ? (୩) ମିଥ୍ୟା – ମହାପାପ ମନକୁ ସର୍ବଦା କୌଣସି କାର୍ଯ୍ୟର – ଉ+ଚିତ । ବିପଦରେ – ଏବଂ ସମ୍ପଦରେ କ୍ଷମା – ବିଧେୟ । ଆଳସ୍ୟରେ କାଳ – ଅଥବା ବୃଥା କଳହ – ଲୋକର କାର୍ଯ୍ୟ । ଆପଣାର ଦୋଷ – କଦାପି ଭଲ ନୁହେ । (୪) ମା – ପିଲା କାନ୍ଦେ । ତାହା କଥା – ମନେ – ବଡ଼ କଷ୍ଟ ହୁଏ-। ଶୀତ – ବସନ୍ତ ଆସେ । ଗୋଠ – ଖଣ୍ଡିଆ ମାତନ୍ତି । କାର୍ଯ୍ୟ ନ କରି କେବଳ – କଣ ହେବ-? ନଦୀ – ତୀରବାସୀମାନଙ୍କର ଆତଙ୍କ ଉପସ୍ଥିତ ହୁଏ । ସାଧୁଙ୍କ ନିକଟରେ – ମନରୁ କଳ୍ମୁଷ ଦୂର ହୁଏ ।

 

ସପ୍ତମ ସାଧନୀ (ଦୀର୍ଘୀକରଣ)

ପ୍ରଥମ ଉଦାହରଣ

୧ ।

ଭୀମ ସଂହାର କଲେ ।

 

(ଏହି ବାକ୍ୟଟି କର୍ମକାରକ ଯୋଗରେ ଦୀର୍ଘୀକୃତ ହେଲେ)

୨ ।

ଭୀମ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

(ବିଶେଷଣ ଯୋଗରେ ଦୀର୍ଘୀକୃତ ହେଲେ)

 

 

୩ ।

ମହାବୀର ଭୀମ ଦୁଷ୍ଟ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

(କରଣକାରକ ଯୋଗରେ ଦୀର୍ଘୀକୃତ ହେଲେ)

୪ ।

ମହାବୀର ଭୀମ ଗଦାଦ୍ୱାରା ଦୁଷ୍ଟ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

(ସମ୍ବନ୍ଧ ପଦ ଯୋଗରେ ଦୀର୍ଘୀକୃତ ହେଲେ)

 

 

୫ ।

ଯୁଧିଷ୍ଠିରଙ୍କର ଭ୍ରାତା ମହାବୀର ଭୀମ ଗଦାଦ୍ୱାରା ଦୁଷ୍ଟ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

(ଅଧିକରଣକାରକ ଯୋଗରେ ଦୀର୍ଘୀକୃତ ହେଲେ)

୬ ।

ଯୁଧିଷ୍ଠିରଙ୍କର ଭ୍ରାତ ମହାବୀର ଭୀମ ସନ୍ଧ୍ୟା ସମୟରେ କୁରୁକ୍ଷେତ୍ରରେ ଗଦାଦ୍ୱାରା ଦୁଷ୍ଟ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

(ଅସମାପିକା କ୍ରିୟା ଯୋଗରେ ଦୀର୍ଘୀକୃତ ହେଲେ)

୭ ।

ଯୁଧିଷ୍ଠିରଙ୍କର ଭ୍ରାତା ମହାବୀର ଭୀମ କ୍ରୋଧରେ ଅଧୀର ହୋଇ ସନ୍ଧ୍ୟା ସମୟରେ କୁରୁକ୍ଷେତ୍ରର ଗଦାଦ୍ୱାରା ଦୁଷ୍ଟ ଦୁର୍ଯ୍ୟୋଧନଙ୍କୁ ସଂହାର କଲେ ।

 

ଦ୍ୱିତୀୟ ଉଦାହରଣ

 

୧ ।

ପତ୍ର ପତିତ ହେଲା ।

 

(ବିଶେଷଣ ଯୋଗରେ ଦୀର୍ଘୀକୃତ ହେଲେ)

୨ ।

ଶୀର୍ଣ୍ଣ ପତ୍ର ପତିତ ହେଲା ।

 

(ଅପାଦାନକାରକ ଯୋଗରେ ଦୀର୍ଘୀକୃତ ହେଲେ)

୩ ।

ବୃକ୍ଷରୁ ଶୀର୍ଣ୍ଣ ପତ୍ର ପତିତ ହେଲା ।

 

(ଅଧିକରଣ କାରକ ଯୋଗରେ ଦୀର୍ଘୀକୃତ ହେଲେ)

 

 

୪ ।

ଶୀତୠତୁରେ ବୃକ୍ଷରୁ ଶୀର୍ଣ୍ଣ ପତ୍ର ଭୂମିରେ ପତିତ ହେଲା ।

 

(ଅସମାପିକା କ୍ରିୟା ଯୋଗରେ ଦୀର୍ଘୀକୃତ ହେଲେ)

୫ ।

ଶୀତଋତୁରେ ଶୀର୍ଣ୍ଣ ପତ୍ର ଛିନ୍ନ ହୋଇ ବୃକ୍ଷରୁ ଭୂମିରେ ପତିତ ହେଲା ।

 

(କରଣକାରକ ଯୋଗରେ ଦୀର୍ଘୀକୃତ ହେଲେ)

୬ ।

ଶୀତଋତୁରେ ଶୀର୍ଣ୍ଣ ପତ୍ର ବାୟୁଦ୍ୱାରା ଛିନ୍ନ ହୋଇ ବୃକ୍ଷରୁ ଭୂମିରେ ପତିତ ହେଲା ।

 

ତୃତୀୟ ଉଦାହରଣ

୧ ।

ବିଦ୍ୟା ଦାନ କର ।

 

(ସମ୍ବୋଧନ ପଦ ଯୋଗରେ ଦୀର୍ଘୀକୃତ ହେଲେ)

୨ ।

ହେ ପଣ୍ଡିତ ! ବିଦ୍ୟା ଦାନ କର ।

 

(ସମ୍ପ୍ରଦାନକାରକ ଯୋଗରେ ଦୀର୍ଘୀକୃତ ହେଲେ)

 

 

୩ ।

ହେ ପଣ୍ଡିତ ! ଛାତ୍ରମାନଙ୍କୁ ବିଦ୍ୟା ଦାନ କର ।

 

(କ୍ରିୟାବିଶେଷଣ ଯୋଗରେ ଦୀର୍ଘୀକୃତ ହେଲେ)

୪ ।

ହେ ପଣ୍ଡିତ ! ଛାତ୍ରମାନଙ୍କୁ ଯତ୍ନପୂର୍ବକ ବିଦ୍ୟା ଦାନ କର ।

 

(ବିଶେଷଣ ଯୋଗରେ ଦୀର୍ଘୀକୃତ ହେଲେ)

 

 

୫ ।

ହେ ପଣ୍ଡିତ ! ନିଜ ଛାତ୍ରମାନଙ୍କୁ ଯତ୍ନପୂର୍ବକ ବିଦ୍ୟା ଦାନ କର ।

 

(ସକର୍ମକ ଅସମାପିକା କ୍ରିୟା ଯୋଗରେ ଦୀର୍ଘୀକୃତ ହେଲେ)

୭ ।

ହେ ପଣ୍ଡିତ ! ମନ ଦେଇ ନିଜ ଛାତ୍ରମାନଙ୍କୁ ଯତ୍ନପୂର୍ବକ ବିଦ୍ୟା ଦାନ କର ।

 

(ସମ୍ବନ୍ଧ ପଦ ଯୋଗରେ ଦୀର୍ଘୀକୃତ ହେଲେ)

 

 

୭ ।

ହେ ପଣ୍ଡିତ ! ମନ ଦେଇ ନିଜ ଛାତ୍ରମାନଙ୍କୁ ଯତ୍ନପୂର୍ବକ ସେମାନଙ୍କର ବିଦ୍ୟା ଦାନ କର ।

 

ନିମ୍ନପ୍ରଦର୍ଶିତ ରୀତିରେ ମନ ମଧ୍ୟରେ ପ୍ରଶ୍ନ କଲେ ବାକ୍ୟର ଦୀର୍ଘୀକରଣ ସହଜରେ ସମ୍ପାଦିତ ହୋଇପାରେ ।

 

ପ୍ରଥମ ଉଦାହରଣ

 

୧ ।

ପଦ୍ମ ପ୍ରସ୍ଫୁଟିତ ହେଲା ।

 

(କିପରି ପଦ୍ମ ପ୍ରସ୍ଫୁଟିତ ହେଲା ? ଉତ୍ତର ବିଶେଷଣ ହେବ)

୨ ।

ରକ୍ତ ପଦ୍ମ ପ୍ରସ୍ଫୁଟିତ ହେଲା ।

 

(କାହା ଯୋଗେ ପ୍ରସ୍ଫୁଟିତ ହେଲା ? ଉତ୍ତର କରଣ ପଦ ହେବ ।)

 

 

୩ ।

କିରଣଦ୍ୱାରା ରକ୍ତ ପଦ୍ମ ପ୍ରସ୍ଫୁଟିତ ହେଲା ।

 

(କାହା କିରଣରେ ଫୁଟିଲା ? ଉତ୍ତର ସମ୍ବନ୍ଧପଦ ହେବ)

୪ ।

ସୂର୍ଯ୍ୟଙ୍କର କିରଣଦ୍ୱାରା ରକ୍ତ ପଦ୍ମ ପ୍ରସ୍ଫୁଟିତ ହେଲା ।

 

(କେଉଁଠି ପ୍ରସ୍ଫୁଟିତ ହେଲା ? ଉତ୍ତର ସ୍ଥାନାଧିକରଣ ହେବ ।)

 

 

୫ ।

ସୂର୍ଯ୍ୟଙ୍କର କିରଣଦ୍ୱାରା ସରୋବରରେ ରକ୍ତ ପଦ୍ମ ପ୍ରସ୍ଫୁଟିତ ହେଲା ।

 

(କେଉଁ ସମୟରେ ପ୍ରସ୍ଫୁଟିତ ହେଲା ? ଉତ୍ତର କାଳାଧିକରଣ ହେବ ।)

୬ ।

ପ୍ରଭାତ ସମୟରେ ସୂର୍ଯ୍ୟଙ୍କର କିରଣଦ୍ୱାରା ସରୋବରରେ ରକ୍ତ ପଦ୍ମ ପ୍ରସ୍ଫୁଟିତ ହେଲା ।

 

 

 

(କିରୂପେ ପ୍ରସ୍ଫୁଟିତ ହେଲା ? ଉତ୍ତର କ୍ରିୟାବିଶେଷଣ ହେବ ।)

୭ ।

ପ୍ରଭାତ ସମୟରେ ସୂର୍ଯ୍ୟଙ୍କର କିରଣଦ୍ୱାରା ସରୋବରରେ ରକ୍ତ ପଦ୍ମ ଧୀରେ ଧୀରେ ପ୍ରସ୍ଫୁଟିତ ହେଲା ।

 

ଦ୍ୱିତୀୟ ଉଦାହରଣ

 

୧ ।

ରାମ ଗମନ କଲେ ।

 

(କେଉଁଠାରୁ ଗମନ କଲେ ? ଉତ୍ତର ଅପାଦାନ ପଦ ହେବ ।)

୨ ।

ରାମ ଅଯୋଧ୍ୟାରୁ ଗମନ କଲେ ।

 

(କଣ କରି ଗମନ କଲେ ? ଉତ୍ତର ସକର୍ମକ ଅସମାପିକା କ୍ରିୟା ହେବ ।)

 

 

୩ ।

ଧନ ଦେଇ ରାମ ଅଯୋଧ୍ୟାରୁ ଗମନ କଲେ ।

 

(କାହାକୁ ଦେଇ ଗମନ କଲେ ? ଉତ୍ତର ଅବଶ୍ୟ ସମ୍ପ୍ରଦାନ ପଦ ହେବ ।)

 

 

୪ ।

ବ୍ରାହ୍ମଣଙ୍କୁ ଧନ ଦେଇ ରାମ ଅଯୋଧ୍ୟାରୁ ଗମନ କଲେ ।

 

(କେତେ ଧନ ଦେଇ ଗମନ କଲେ ? ଉତ୍ତର ବିଶେଷଣ ହେବ ।)

୫ ।

ବ୍ରାହ୍ମଣଙ୍କୁ ପ୍ରଚୁର ଧନ ଦେଇ ରାମ ଅଯୋଧ୍ୟାରୁ ଗମନ କଲେ ।

 

ପ୍ରଶ୍ନ – ଉଲ୍ଲିଖିତ ଆଦର୍ଶସମୂହର ଅନୁକରଣରେ ନିମ୍ନଲିଖିତ ବାକ୍ୟମାନଙ୍କର ଦୀର୍ଘତା ସମ୍ପାଦନ କର ।

 

୧ । ବାୟୁ ପ୍ରବାହିତ ହେଲା । ୨ । ସିଂହ ଗର୍ଜିଲା । ୩ । ଆନନ୍ଦ ଜାତ ହେଲା । ୪ । ଲକ୍ଷ୍ମଣ ସଙ୍ଗରେ ଗଲେ । ୫ । କୌରବ ମାନେ ଅଭିମନ୍ୟୁଙ୍କୁ ଆକ୍ରମଣ କଲେ । ୬ । ଦେଉଳ ଦିଶେ । ୭ । ଦୁର୍ବାସା ଅଭିଶାପ ଦେଲେ । ୮ । ଅର୍ଜ୍ଜୁନଙ୍କର ମୃତ୍ୟୁ ହେଲା । ୯ । ନୀଳନଦ ପ୍ରବାହିତ ହେଉଅଛି । ୧୦ । ଚନ୍ଦ୍ର ଉଦିତ ହେଲେ । ୧୧ । ବିସୂଚିକା ପ୍ରବଳ ହୁଏ । ଜୟଦ୍ରଥ ହରଣ କଲେ । ୧୩ । ସୀତା ରୋଦନ କଲେ । ୧୪ । କୃଷ୍ଣ ସାରଥି ହେଲେ । ୧୫ । ଅଶ୍ରୁପାତ ହେଲା । ୧୬ । ଗହ୍ୱର ପ୍ରତିଧ୍ୱନିତ ହେଲା । ୧୭ । ମହାନଦୀ ପୂର୍ଣ୍ଣ ହୁଏ । ୧୮ । କେଶ ଶୁକ୍ଲ ହୁଏ । ୧୯ । ପମ୍ପାତୀରରେ ରହିଲେ ।୨୦। ପଢ଼ିବା ଉଚିତ ।

 

ଦ୍ୱିତୀୟ ଅଧ୍ୟାୟ

ପରିବର୍ତ୍ତନ ଓ ସଂକ୍ଷେପଣ

ମନର ଭାବ ପ୍ରକାଶ କରିବା ନିମନ୍ତେ କିରୂପେ ବାକ୍ୟ ପ୍ରସ୍ତୁତ କରିବାକୁ ହେବ, ପୂର୍ବ ଅଧ୍ୟାୟରେ ତାହା ପ୍ରଦର୍ଶିତ ହୋଇଅଛି । ସେହି ବାକ୍ୟ ପୁଣି କିରୂପେ ସଂକ୍ଷିପ୍ତ ଅଥବା ରୂପାନ୍ତରିତ ହେବ, ଏହି ଅଧ୍ୟାୟରେ ତାହା ବିବୃତ ହୋଇଅଛି ।

 

ସର୍ବନାମ, କୃତ୍‌ପ୍ରତ୍ୟୟ, ସନ୍‌ ପ୍ରଭୃତି ତିଙ୍‌ନ୍ତର କତିପୟ ପ୍ରତ୍ୟୟ, ତଦ୍ଧିତପ୍ରତ୍ୟୟ ଏବଂ ସମାସ, ଏହିମାନଙ୍କଦ୍ୱାରା ବାକ୍ୟ ସଂକ୍ଷିପ୍ତ ଅଥବା ରୂପାନ୍ତରିତ ହୁଏ । ସର୍ବନାମଦ୍ୱାରା ବାକ୍ୟର ପୁନରୁକ୍ତି ପରିହାର ହୁଏ । ଏ ବିଷୟରେ ଦୃଷ୍ଟାନ୍ତ ସର୍ବତ୍ର ବ୍ୟାକରଣରେ ସୁଲଭ । ତେଣୁ ଏ ବିଷୟରେ ଅଧିକ ଲେଖିବାର ପ୍ରୟୋଜନ ନାହିଁ ।

 

ଅନ୍ୟାନ୍ୟ ପ୍ରକ୍ରିୟାମାନଙ୍କର ଉପଯୋଗିତା ନିମ୍ନରେ ପ୍ରଦର୍ଶିତ ହେଉଅଛି ।

 

୧ । କୃତ୍‌ପ୍ରତ୍ୟୟଦ୍ୱାରା ବାକ୍ୟ ରୂପାନ୍ତରିତ ବା ସଂକ୍ଷିପ୍ତ ହୁଏ ।

ଯଥା – ଲୌହ ଖଣିରୁ ଜନ୍ମେ ।

ରୂପାନ୍ତରିତ – ଲୌହ ଖଣିରୁ ଜାତ ହୁଏ ।

ସଂକ୍ଷିପ୍ତ – ଲୌହ ଖଣିଜ ଅଟେ ।

 

୨ । ସନ୍ ପ୍ରତ୍ୟୟଦ୍ୱାରା ବାକ୍ୟ ସଂକ୍ଷିପ୍ତ ହୁଏ ।

ଯଥା – ତାହାଙ୍କର ପାନ କରିବାର ଇଚ୍ଛା ହେଲା ।

ସଂକ୍ଷିପ୍ତ – ତାହାଙ୍କର ପିପାସା ହେଲା ।

 

୩ । ତଦ୍ଧିତ ପ୍ରତ୍ୟୟଦ୍ୱାରା ବାକ୍ୟ ସଂକ୍ଷିପ୍ତ ଏବଂ ରୂପାନ୍ତରିତ ହୁଏ । ଯଥା –

୧ । ସେ ସରଳ ଅଟନ୍ତି ।

ରୂପାନ୍ତରିତ – ତାଙ୍କଠାରେ ସାରଲ୍ୟ ଅଛି ।

 

୨ । ଯେଉଁ ବ୍ୟକ୍ତିର ଧନ ଅଛି, ସେ ସବୁ କରିପାରେ । ସଂକ୍ଷିପ୍ତ – ଧନୀ ବ୍ୟକ୍ତି ସବୁ କରିପାରେ ।

୩ । ସମାସଦ୍ୱାରା ବାକ୍ୟ ସଂକ୍ଷିପ୍ତ ଏବଂ ରୂପାନ୍ତରିତ ହୁଏ । ଯଥା – ଭୀଷ୍ମଦେବ ଇନ୍ଦ୍ରିୟମାନଙ୍କୁ ଜୟ କରିଥିଲେ । ରୂପାନ୍ତରିତ ଓ ସଂକ୍ଷିପ୍ତ – ଭୀଷ୍ମଦେବ ଜିତେନ୍ଦ୍ରିୟ ଥିଲେ ।

 

ସମାସଦ୍ୱାରା ମନର ଭାବ ଅତି ସଂକ୍ଷେପରେ ବ୍ୟକ୍ତ ହୁଏ । ଇଙ୍ଗ୍ରାଜିରେ ଯାହାକୁ Adjective sentence ବା ବା ବୈଶେଷଣିକ ବାକ୍ୟ କହନ୍ତି, ସଂସ୍କୃତରେ ସମାସଦ୍ୱାରା ତାହା ଗୋଟିଏ ବିଶେଷଣରେ ପରିଣତ ହୁଏ । ସର୍ବ ସ୍ଥଳରେ ଯେ ସମାସ କରିବାକୁ ହେବ ଏମନ୍ତ ନୁହେ । ଅତି ଦୀର୍ଘ ସମାସ ସଂସ୍କୃତରେ ଦୂଷଣୀୟ । ଅତି ଦୀର୍ଘସମାସ ପ୍ରୟୋଗ କଲେ ଭାଷା ଦୁର୍ବୋଧ୍ୟ ହୋଇଉଠେ । ସଂକ୍ଷିପ୍ତତାର ଅନୁରୋଧରେ ସୁବୋଧ୍ୟତା ବିସର୍ଜନ କରିବା ଅନୁଚିତ । ଏ ବିଷୟରେ କୌଣସି ନିୟମ ନିର୍ଦ୍ଧାରଣ କରିବା ଅସମ୍ଭବ । କେବଳ ଏତିକି ବକ୍ତବ୍ୟ ଯେ, ସମାସଦ୍ୱାରା ଯେଉଁ ସ୍ଥଳରେ ଶ୍ରୁତିକଟୁତା ଓ ଦୁର୍ବୋଧ୍ୟତା ଘଟିବାର ସମ୍ଭାବନା, ସେପରି ସ୍ଥଳରେ ସମାସ କରିବା ଉଚିତ ନୁହେ । ଦୁଇ ଚାରି ଖଣ୍ଡି ସାହିତ୍ୟ ଗ୍ରନ୍ଥ ପଢ଼ିଲେ ଏ ବିଷୟରେ ଛାତ୍ରମାନଙ୍କର ଜ୍ଞାନ ସ୍ୱତଃ ଜନ୍ମିବ । ଏଠାରେ କେବଳ ଗୋଟିଏ ଦୁଇଟି ଦୃଷ୍ଟାନ୍ତ ଦେଇ ପ୍ରକୃତ ପ୍ରସ୍ତାବର ଅବତାରଣା କରାଯିବ ।

 

ପ୍ରଥମ ଉଦାହରଣ

 

‘‘ଜଗତକୁ ଅଭୟ ଦାନ କରିବା ରାମଚନ୍ଦ୍ରଙ୍କର ବ୍ରତ ଥିଲା ।’’

ସମାସଦ୍ୱାରା ଏହି ବାକ୍ୟକୁ ନିମ୍ନଲିଖିତ ଆକାରରେ ପରିଣତ କରାଯାଇ ପାରେ ।

‘‘ରାମଚନ୍ଦ୍ର ଜଗଦଭୟଦାନବ୍ରତ ଥିଲେ ।’’

 

କିନ୍ତୁ ଉତ୍କଳ ଭାଷାରେ ଏପରି ଦୀର୍ଘ ସମାସ ଦୂଷଣୀୟ; ସୁତରାଂ ଏପରି ସମାସ ପ୍ରୟୋଗ କରିବା ବିଧେୟ ନୁହେ ।

ପରନ୍ତୁ ସମାସ ପ୍ରୟୋଗ ବିଷୟରେ ପ୍ରଚଳିତତା, ଅପ୍ରଚଳିତତା ଅଥବା ପ୍ରଯୁକ୍ତତା ବିଚାର କରିବା ଉଚିତ ।

 

ଦ୍ୱିତୀୟ ଉଦାହରଣ

 

‘‘ଅୟଂ ହି ରୂଚିରସ୍ତସ୍ୟାଃ କାଳୋ ରୁଚିରକାନନଃ’’

ସମାସ ରଖି ସଂସ୍କୃତର ଏହି ପଙ୍‌କ୍ତିଟି ଓଡ଼ିଆରେ ଅନୁବାଦ କଲେ ଏହିପରି ହେବ । ‘‘ଏହି ରୁଚିର କାନନସମୟ ତାଙ୍କର ଅତ୍ୟନ୍ତ ପ୍ରିୟ ଅଟେ ।’’

 

କିନ୍ତୁ ଉତ୍କଳ ଭାଷାରେ ଏପରି ସମାସର ବ୍ୟବହାର ପ୍ରଚଳିତ ନ ଥିବାରୁ ତାହା ଦୂଷଣୀୟ ଅଟେ । ଉଚିତ ଅନୁବାଦ ନିମ୍ନ ପ୍ରକାରେ ହେବ ।

 

‘‘ଏହି ସମୟରେ କାନନ ଅତ୍ୟନ୍ତ ରୁଚିର ଦିଶେ, ଯେଣୁ ଏହା ତାଙ୍କର ଅତ୍ୟନ୍ତ ପ୍ରିୟ ସମୟ ଅଟେ ।’’

 

ତୃତୀୟ ଉଦାହରଣ

 

‘‘ଆହାରେ ବ୍ୟବହାରେ ଚ ତ୍ୟକ୍ତଲଜ୍ଜଃ ସୁଖୀ ଭବେତ୍ ।’’

ସମାସ ରଖି ଏହି ବାକ୍ୟକୁ ଓଡ଼ିଆରେ ଅନୁବାଦ କଲେ ନିମ୍ନପ୍ରକାର ହେବ –

‘‘ଆହାର ଓ ବ୍ୟବହାରରେ ତ୍ୟକ୍ତଲଜ୍ଜ ଲୋକ ସୁଖୀ ହୁଏ ।’’

 

କିନ୍ତୁ ଓଡ଼ିଆରେ ଏପରି ପ୍ରୟୋଗ ଅପ୍ରଚଳିତ ଥିବାରୁ ଦୂଷ୍ୟ ଅଟେ । ଏହାର ପ୍ରକୃତ ଅନୁବାଦ ଏହିପରି ହେବ –

‘‘ଆହାର ଏବଂ ବ୍ୟବହାର ବିଷୟରେ ଯେଉଁ ବ୍ୟକ୍ତି ଲଜ୍ଜା ତ୍ୟାଗ କରେ, ସେ ସୁଖୀ ହୁଏ ।’’

 

ଚତୁର୍ଥ ଉଦାହରଣ

 

‘ତାହାଙ୍କଠାରେ ମୁଦ୍ରା ଅଛି ।’

ସମାସ କଲେ ଏହି ବାକ୍ୟ ନିମ୍ନ ଆକାର ଧାରଣ କରିବ –

‘‘ସେ ସମୁଦ୍ର ଅଟନ୍ତି ।’’ ଏପରି ହେଲେ ବ୍ୟାକରଣ ଦୋଷ ଘଟିବ ନାହିଁ ସତ୍ୟ, ମାତ୍ର ଦୁର୍ବୋଧ୍ୟ ଏବଂ ଅପ୍ରଚଳିତ ହେବାରୁ ଓଡ଼ିଆ ଭାଷାରେ ଏପରି ସମାପ୍ତ ଦୂଷଣୀୟ ହେବ ।

 

ପ୍ରଥମ ସାଧନୀ

୧ । (କ) ସେ ଯାଉଅଛି । (ଖ) ସେ ଗମନ କରୁଅଛି ।

ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଏହି ଆଦର୍ଶ ଅନୁସାରେ ‘କୃ’ ଧାତୁ ସାହାଯ୍ୟରେ ରୂପାନ୍ତରିତ କର ।

୧ ।

ରାଜା ଶୋଇଅଛନ୍ତି ।

୨ ।

ହସ୍ତୀ ତଣ୍ଡୁଳ ଖାଉଅଛି ।

୩ ।

ବୀରମାନେ ଅସ୍ତ୍ର ଧରିଅଛନ୍ତି ।

୪।

ରାକ୍ଷସ ଗର୍ଜିଲା ।

୫ ।

କୋକିଳ ରାବୁଥିଲା ।

୬ ।

ବୟସ୍ୟ ହସିଲେ ।

୭ ।

ସେ ଅଦ୍ଭୁତ କାର୍ଯ୍ୟ ସାଧିଲେ ।

୮ ।

ସେ ବିଚାରିଲେ ।

 

 

୯ ।

ମୁଁ କନ୍ୟା ଦେବି ନାହିଁ ।

୧୦ ।

ଦମୟନ୍ତୀ ନଳଙ୍କୁ ବରିଲେ ।

୧୧ ।

ଛାତ୍ରମାନେ ପୁସ୍ତକ ଆଣିଲେ ।

୧୨ ।

ରାଜା ଶଯ୍ୟାରୁ ଉଠିଲେ ।

୧୩ ।

ନର୍ତ୍ତକୀମାନେ ନାଚିଲେ ।

୧୪।

ସେ ବ୍ୟାକରଣ ପଢ଼ୁଛନ୍ତି ।

୧୫ ।

ପୁରୋହିତମାନେ ମନ୍ତ୍ର ଉଚ୍ଚାରିଲେ ।

୧୬ ।

ସେ ପଳାଇଲେ ।

 

 

୧୭ ।

ଅଗସ୍ତ୍ୟ ସମୁଦ୍ର ଶୋଷିଲେ ।

୧୮।

ମୁନିମାନେ ଆଶ୍ରମରେ ବସିଥିଲେ ।

୧୯ ।

ରାମ ଜିତିଗଲା ।

୨୦ ।

ମୋ କଥା ସେ ଘେନିଲେ ନାହିଁ ।

୨ । (କ) ସେ ପଡ଼ିଲେ । (ଖ) ସେ ପତିତ ହେଲେ ।

 

ନିମ୍ନଲିଖିତ ବାକ୍ୟମାନଙ୍କୁ ‘ଭୂ’ ଧାତୁର ସାହାଯ୍ୟରେ ଉଲ୍ଲିଖିତ ଆଦର୍ଶ ଦୃଷ୍ଟିରେ ରୂପାନ୍ତରିତ କର ।

୧ ।

ଦୀପ ଜଳିଲା ।

୨ ।

ରାମ ଅଯୋଧ୍ୟାକୁ ଫେରି ଆସିଲେ ।

୩ ।

ଦମୟନ୍ତୀ ଭୟରେ କାନ୍ଦିଲେ ।

୪ ।

ଚନ୍ଦ୍ରାପୀଡ଼ ଜାଗିଥିଲେ ।

୫ ।

ସେ ପୁରସ୍କାର ପାଇଲେ ।

୬ ।

ରଜ୍ଜୁ ଛିଡ଼ିଗଲା ।

୭ ।

ହନୁମାନ ଲଙ୍କାରୁ ବାହାରିଲେ ।

୮ ।

ଅଶୋକ ଫୁଲ ଫୁଟିଲା ।

୯ ।

ସେ ସ୍ଥାନରୁ ଧବଳଗିରି ଦିଶେ ।

୧୦ ।

ଅଗ୍ନି ନିଭିଗଲା ।

 

 

୧୧ ।

ଭରତ ସିଂହାସନରେ ବସିଲେ ନାହିଁ ।

୧୨ ।

ନଦୀ ବଢ଼ିଲା ।

୧୩ ।

ପାଣ୍ଡବମାନଙ୍କର ସମ୍ପଦ ବଢ଼ିଲା ।

୧୪ ।

ନୌକା ବୁଡ଼ିଗଲା ।

୧୫ ।

ହସ୍ତୀର ଗଣ୍ଡସ୍ଥଳରୁ ମଦଜଳ କ୍ଷରିଲା ।

୧୬ ।

ବୃକ୍ଷ ପଲ୍ଲବିଲା ।

୧୭।

ମୃଗମାନେ ତୃଷାର୍ତ୍ତ ହୋଇ ଧାଇଁଲେ ।

 

 

୧୮।

ସାଗର ଉଛୁଳିଲା ।

୧୯ ।

ଆକାଶରୁ ନକ୍ଷତ୍ର ଖସିଲା ।

୨୦ ।

ବ୍ୟାସ ଆସନରୁ ଉଠିଲେ ।

୨୧ ।

ବ୍ୟାଘ୍ରର ଗର୍ଜ୍ଜନ ଶୁଣି ସେ ଡରିଲେ ।

୨୨ ।

ବକାସୁର ମଲା ।

୨୩ ।

ଗୃହରେ ଅଗ୍ନି ଲାଗିଲା ।

୨୪ ।

ବାନରମାନେ ମଧୁବନରେ ପଶିଲେ ।

 

୩ । ନିମ୍ନଲିଖିତ କର୍ତ୍ତୃବାଚ୍ୟର ବାକ୍ୟଗୁଡ଼ିକୁ କର୍ମ ବାଚ୍ୟରେ ପରିଣତ କର ।

୧ ।

ସେ ମୋତେ ବଞ୍ଚନା କଲେ ।

୨ ।

ରାମ ରାବଣଙ୍କୁ ବଧ କଲେ ।

୩ ।

ସୂର୍ଯ୍ୟ ଆଲୋକ ପ୍ରଦାନ କରୁଅଛନ୍ତି ।

 

 

୪ ।

ମୁଁ ସେ କାର୍ଯ୍ୟ ସମ୍ପାଦନ କରିପାରିବି ନାହିଁ ।

୫ ।

ବ୍ୟାସଦେବ ଅନେକ ଗ୍ରନ୍ଥ ରଚନା କରିଥିଲେ ।

୬ ।

ସେ ଏହି ଆପତ୍ତି ଉତ୍ଥାପନ କଲେ ।

୭ ।

ଜଗଦୀଶ୍ୱର ଏହି ଜଗତକୁ ସୃଷ୍ଟି କରିଅଛନ୍ତି ।

 

 

୮ ।

ମୁଁ ପ୍ରତିଜ୍ଞା ରକ୍ଷା କରି ପାରିଲି ନାହିଁ ।

୯ ।

କଣ୍ୱ ଶକୁନ୍ତଳାଙ୍କୁ ପାଳନ କରିଥିଲେ ।

୧୦ ।

ସର୍ପ ତାହାଙ୍କୁ ଦଂଶନ କଲା ।

୧୧ ।

ପୃଥିବୀ ସବୁ ପଦାର୍ଥକୁ ଆକର୍ଷଣ କରେ ।

 

 

୧୨ ।

ସେ ମୋତେ ଋଣରୁ ମୁକ୍ତ କଲେ ।

୧୩ ।

ରାମ ବିଭୀଷଣଙ୍କୁ ଅନୁଗ୍ରହ କରିଥିଲେ ।

୧୪ ।

ନଦୀ ଦେଶର ଉପକାର କରେ ।

୧୫ ।

କୃଷ୍ଣ ଶିଶୁପାଳଙ୍କୁ ହତ୍ୟା କରିଥିଲେ ।

୧୬ ।

ମୁନିମାନେ ଫଳ ମୂଳ ଆହରଣ କରୁଥିଲେ ।

 

୪ । (କ) ସେ ସ୍ଥାନ ଆପଣଙ୍କର ଦେଖିବା ଉଚିତ ।(ଖ) ସେ ସ୍ଥାନ ଆପଣଙ୍କର ଦ୍ରଷ୍ଟବ୍ୟ ।

ଏହିପରି ‘କୃତ୍’ ପ୍ରତ୍ୟୟ (ତବ୍ୟ, ଅନୀୟ, ଯ) ଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକ ରୂପାନ୍ତରିତ କର ।

 

୧ ।

ସେ କାର୍ଯ୍ୟ ଆପଣଙ୍କର କରିବା ଉଚିତ ।

୨ ।

ମୋହର ପଚିଶ ଟଙ୍କା ପାଇବାକୁ ଅଛି ।

୩ ।

ତାହାଙ୍କର ଯୁକ୍ତି ଖଣ୍ଡିତ ହେବାର ନୁହେ ।

୪ ।

ଏହା ସମସ୍ତେ ବାଞ୍ଛା କରିବେ ।

 

 

୫ ।

ଶରୀର – ତତ୍ତ୍ୱ ସମସ୍ତଙ୍କର ଅବଶ୍ୟ ଜାଣିବା ଉଚିତ ।

୬ ।

ସେ ଯେପରି କୁବାକ୍ୟ କହିଲେ, ତା କହିବାର ନୁହେ ।

୭ ।

ଏ ଘଟନାରେ ସମସ୍ତେ ଶୋକ କରିବେ ।

୮ ।

ଯେଉଁ କର୍ମକୁ ସେମାନେ ନିନ୍ଦା କରିବେ ତାହା ପରିହାର କରିବା ଉଚିତ ।

 

 

୯ ।

ସମସ୍ତେ ତାହାଙ୍କୁ ପ୍ରଶଂସା କରିବେ ।

୧୦ ।

ଧନକୁ ସେ ସ୍ପୃହା କରିବେ ନାହିଁ ।

 

୫ । (କ) ସେ ଗାନ କରନ୍ତି । (ଖ) ସେ ଗାୟକ ଅଟନ୍ତି ।

ଏହିପରି ‘ଅକ’ ପ୍ରତ୍ୟୟ ଯୋଗରେ ନିମ୍ନଲିଖିତ ବାକ୍ୟମାନ ରୂପାନ୍ତରିତ କର ।

 

୧ ।

ଭୀମ ବିରାଟ ରାଜାଙ୍କର ଗୃହରେ ପାକ କରୁଥିଲେ ।

୨ ।

ଜଗଦୀଶ୍ୱର ବିଶ୍ୱ ପାଳନ କରୁଥିଲେ ।

୩ ।

ଯେ ରକ୍ଷା କରିବେ, ସେ ଭକ୍ଷଣକଲେ ଆଉ ନିସ୍ତାର ନାହିଁ ।

୪ ।

ପଣ୍ଡାମାନେ ଜଗନ୍ନାଥଙ୍କୁ ସେବା କରନ୍ତି ।

 

 

୫ ।

ଯେ ନୃତ୍ୟ କରେ, ତାହାର ଲଜ୍ଜା ନାହିଁ ।

୬ ।

ଏ ଦେଶରେ ଗୋପାଳମାନେ ଶିବିକା ବହନ କରନ୍ତି ।

୭ ।

ବଙ୍ଗଦେଶରେ ଅଧିକାଂଶ ବ୍ରାହ୍ମଣ ଶକ୍ତି ଉପାସନା କରନ୍ତି ।

 

 

୮ ।

ରାଜା ନିବେଦନ କରିବା ବ୍ୟକ୍ତିର ପ୍ରାର୍ଥନା ଶୁଣିଲେ ।

୯ ।

ଯନ୍ତ୍ର ଚଳାଇବା ବ୍ୟକ୍ତି ସେଠାରେ ନ ଥିବାରୁ ଏପରି ଆପଦ ଘଟିଲା ।

୧୦ ।

ଦୂତର ଦୋଷ ନ ଘେନି ତାହାକୁ ପ୍ରେରଣ କରିଥିବା ଲୋକର ଦୋଷ ଘେନିବା ଉଚିତ-

 

୬ । (କ) ସେ ଏହି କର୍ମ କରିଅଛନ୍ତି । (ଖ) ସେ ଏହି କର୍ମର କର୍ତ୍ତା ଅଟନ୍ତି ।

ଏହିପରି ‘ତୃ’ ପ୍ରତ୍ୟୟଦ୍ୱାରା ନିମ୍ନଲିଖିତ ବାକ୍ୟମାନ ରୂପାନ୍ତରିତ କର ।

 

୧ ।

ବିଦ୍ୟା ଯେ ଦାନ କରନ୍ତି ତାହାଙ୍କର ବିଦ୍ୟା ବୃଦ୍ଧି ହୁଏ, ଯେ ଗ୍ରହଣ କରନ୍ତି ତାଙ୍କର ମଧ୍ୟ ବୃଦ୍ଧି ହୁଏ ।

୨ ।

ପରାଶର ମୁନି ଏହି ବିଧି ବିଧାନ କରିଅଛନ୍ତି ।

୩ ।

ଇଂରାଜମାନେ ଭାରତବର୍ଷ ଜୟ କରିଅଛନ୍ତି ।

 

 

୪ ।

ଯେଉଁମାନେ ଯନ୍ତ୍ର ନିର୍ମାଣ କରନ୍ତି, ସେମାନେ ପ୍ରକୃତ ଉପକାରକ ।

୫ ।

ସେ ଧର୍ମ ବିଷୟରେ ଉପଦେଶ ଦିଅନ୍ତି ।

୬ ।

ଆଲେକ୍‌ଜାଣ୍ଡର ଆଲେକ୍‌ଜାଣ୍ଡ୍ରିୟା ସ୍ଥାପନ କରାଇଲେ ।

୭ ।

ପରଶୁରାମ କ୍ଷତ୍ରିୟମାନଙ୍କୁ ହନନ କରୁଥିଲେ ।

 

 

୮ ।

ସେ ଆମ୍ଭ ପ୍ରତି ବିଦ୍ୱେଷ କରନ୍ତି ।

୯ ।

ଯେ ମାଂସ ବିକ୍ରୟ କରେ, ତାହାକୁ ଅନେକେ ଘୃଣା କରନ୍ତି ।

୧୦ ।

ସେ ପୁସ୍ତକ ଯେ ରଚନା କରିଅଛନ୍ତି, କେଡ଼େ ବଡ଼ ଲୋକ ସେ ନ ହୋଇଥିବେ ?

 

୭ । (କ) ଏ ପୁସ୍ତକ ଦୁଃଖ ହରଣ କରେ । (ଖ) ଏ ପୁସ୍ତକ ଦୁଃଖହରଣ ଅଟେ ।

ଏହି କର୍ତ୍ତୃବାଚ୍ୟ ବିହିତ ‘ଅନ୍ୟ’ ପ୍ରତ୍ୟୟଦ୍ୱାରା ନିମ୍ନଲିଖିତ ବାକ୍ୟମାନଙ୍କୁ ରୂପାନ୍ତରିତ କର ।

 

୧ ।

ବିଷ୍ଣୁ ଦାନବମାନଙ୍କୁ ଦଳିଥିଲେ ।

୨ ।

ସେ ଆମ୍ଭ ହୃଦୟକୁ ଆହ୍ଲାଦିତ କରନ୍ତି ।

 

 

୩ ।

କୃଷ୍ଣ ଦ୍ରୌପଦୀଙ୍କର ଲଜ୍ଜା ନିବାରିଅଛନ୍ତି ।

୪ ।

ଗରୁଡ଼ ନାରାୟଣଙ୍କୁ ବହନ୍ତି ।

୫ ।

ପ୍ରଭୁ ବିପଦରୁ ତାରନ୍ତି ।

୬ ।

କେଶବ କଂସର ଗର୍ବ ଭାଙ୍ଗିଥିଲେ ।

 

 

୭ ।

କୃଷ୍ଣ ସୁଦାମାର ଦାରିଦ୍ର୍ୟ ଭଙ୍ଗ କରିଥିଲେ ।

୮ ।

ଯୁଧିଷ୍ଠିର ଶିଷ୍ୟମାନଙ୍କୁ ପାଳୁଥିଲେ ।

୯ ।

ବୁଦ୍ଧଦେବ ଶୁଦ୍ଧୋଦନଙ୍କ କୁଳପବିତ୍ରକାରୀ ପୁତ୍ର ଥିଲେ ।

୧୦ ।

କୃଷ୍ଣ ଦ୍ରୌପଦୀଙ୍କ ଲଜ୍ଜା ନିବାରିଥିଲେ ।

 

୮ । (କ) ବଶିଷ୍ଠ ଧର୍ମତତ୍ତ୍ୱ ଜାଣିଥିଲେ । (ଖ) ବଶିଷ୍ଠ ଧର୍ମତତ୍ତ୍ୱଜ୍ଞ ଥିଲେ ।

ଏହି ଆଦର୍ଶ ଅନୁକରଣରେ ନିମ୍ନଲିଖିତତ ବାକ୍ୟମାନ ରୂପାନ୍ତରିତ କର ।

 

୧ ।

ବିଜୟନଗର ରାଜା ଇଂରେଜମାନଙ୍କୁ କର ଦିଅନ୍ତି ।

୨ ।

ସେମାନେ ବନରେ ବିଚରଣ କରନ୍ତି ।

୩ ।

ପକ୍ଷୀମାନେ ଆକାଶ (ଖ) ରେ ବିଚରଣ କରନ୍ତି ।

୪ ।

ବଚ କଫକୁ ହରଣ କଲେ ।

 

 

୫ ।

ସେ ରାଜକୀୟ ବାର୍ତ୍ତା ବହନ କରନ୍ତି ।

୬ ।

ବିଷ୍ଣୁ ଚକ୍ରକୁ ଧାରଣ କରନ୍ତି ।

୭ ।

ସେ ନ୍ୟାୟଶାସ୍ତ୍ରର ପାରକୁ ଗମନ କରିଥିଲେ ।

୮ ।

ରାଜା ମାନ ଦିଅନ୍ତି ।

 

 

୯ ।

ପଦ୍ମ ମନକୁ ହରଣ କରେ ।

୧୦ ।

ସେମାନେ ବଙ୍ଗଦେଶରେ ଥାନ୍ତି ।

୧୧ ।

ଶର ଆଶୁ ଗମନ କରେ ।

୧୨ ।

ପ୍ରଭୁ ମୋକ୍ଷ ଦାନ କରନ୍ତି ।

 

 

୧୩ ।

ଆମ୍ଭେମାନେ ଗୃହରେ ଥାଉଁ ।

୧୪ ।

ଯବନମାନେ ମଦ୍ୟ ପାନ କରନ୍ତି ।

୧୫ ।

ସେହି ଶିକ୍ଷା ଅବଶ୍ୟ ଫଳ ପ୍ରଦାନ କରିବ ।

୧୬ ।

ସୁବର୍ଣ୍ଣ ଗିରିରୁ ଜନ୍ମେ ।

 

 

୧୭ ।

ସ୍ଥଳରେ ଜାତ ପୁଷ୍ପ ଅପେକ୍ଷା ଜଳଜାତ ପୁଷ୍ପ ଅଧିକ ସୁନ୍ଦର ।

୧୮ ।

ବଳରାମ କୃଷଙ୍କ ଅଗ୍ରରେ ଜାତ ହୋଇଥିଲେ ।

୧୯ ।

ଭ୍ରମରମାନେ ମଧୁପାନ କରନ୍ତି ।

୨୦ ।

ମହାରାଜୀ ଦଶରଥ ଅରିମାନଙ୍କୁ ଦମନ କରିଥିଲେ ।

 

 

୨୧ ।

କଚ୍ଛପ ଜଳ ଆଉ ସ୍ଥଳ ଉଭୟରେ ବିଚରଣ କରେ ।

୨୨ ।

ସୂର୍ଯ୍ୟ ଦିନ କରନ୍ତି ।

୨୩ ।

ଯେଉଁ ବ୍ରାହ୍ମଣମାନେ ସାମ ଗାନ କରନ୍ତି, ସେମାନଙ୍କର ମସ୍ତକ ମୁଣ୍ଡିତ ।

୨୪ ।

ଅଗ୍ନି ସବୁ ଭକ୍ଷଣ କରେ ।

୨୫ ।

ଘୃତ ଶରୀରର ପୁଷ୍ଟି କରେ ।

 

୯ । (କ) ଦେବତାମାନେ ଗଗନରେ ବିହାର କରନ୍ତି ।

(ଖ) ଦେବତାମାନେ ଗଗନବିହାରୀ ଅଟନ୍ତି ।

ଏହିରୂପେ ‘ଇନ୍’ ପ୍ରତ୍ୟୟ ଯୋଗରେ ନିମ୍ନଲିଖିତ ବାକ୍ୟମାନଙ୍କର ରୂପାନ୍ତର ବିଧାନ କର ।

 

୧ ।

ଏ ସ୍ତମ୍ଭ ବହୁ କାଳ ଥିବ ।

୨ ।

ସେ ଧରାରେ ଶୟନ କରିଥିଲେ ।

୩ ।

ନିଦ୍ରା ବିରାମ ପ୍ରଦାନ କରେ ।

 

 

୪ ।

ମହାନଦୀ ପୂର୍ବକୁ ବହି ଯାଉଅଛି ।

୫ ।

ପ୍ରଭୁ ଦର୍ପୀର ଦର୍ପକୁ ହରଣ କରନ୍ତି ।

୬ ।

ଯେ ଗୁଣ ଗ୍ରହଣ କରନ୍ତି, ସେ ଗୁଣୀମାନଙ୍କ ଆଶ୍ରୟ ଅଟନ୍ତି ।

୭ ।

କୁମାର୍ଗରେ ଗମନ ନ କର ।

 

 

୮ ।

ସର୍ବ ସ୍ଥଳରେ ସ୍ପଷ୍ଟ ବୋଲିବା ଉଚିତ ନୁହେ ।

୯ ।

ଏ ସମ୍ବାଦ ଅବଶ୍ୟ ତାଙ୍କର ମର୍ମକୁ ଭେଦ କରିବ ।

୧୦ ।

ନୀଳଗିରି ବାଲେଶ୍ୱର ନିକଟରେ ଅଛି ।

୧୧ ।

ହରିଣ ତୃଣ ଭୋଜନ କରେ ।

 

 

୧୨ ।

ସେ ସାଧୁ ବୃନ୍ଦାବନରେ ବାସ କରନ୍ତି ।

୧୩ ।

ହିମାଳୟର ଶୃଙ୍ଗମାନେ ଗଗନକୁ ସ୍ପର୍ଶ କରନ୍ତି ।

୧୪ ।

ସେ ଯାହା ଆଜ୍ଞା କରନ୍ତି, ମୁଁ ତାହା କରେ ।

୧୫ ।

ଏ ଶିଶୁ ସ୍ତନ୍ୟ ପାନ କରେ ।

 

ଅନୁଶୀଳନୀ

 

୧୦ । ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଉପଯୁକ୍ତ ‘କୃତ୍’ ପ୍ରତ୍ୟୟ ପ୍ରୟୋଗରେ ରୂପାନ୍ତରିତ କର ।

 

୧ ।

ବ୍ୟାଘ୍ର ହିଂସା କରେ ।

୨।

ଅର୍ଜ୍ଜୁନଙ୍କର ଜିଗୀଷା ଥିଲା ।

୩ ।

ଶରୀର କ୍ଷଣକେ ଭଗ୍ନ ହୋଇପାରେ ।

୪ ।

ବ୍ରାହ୍ମଣମାନେ ଯଜ୍ଞ କରନ୍ତି ।

୫ ।

ସେ ବଡ଼ ସହିପାରନ୍ତି ।

୬ ।

ସେମାନେ ଅର୍ଥ ଗ୍ରହଣ କରିବାରେ ସର୍ବଦା ରତ ।

୭ ।

ବକ୍ରାସୁର ବିଶ୍ୱ ଜୟ କରିଥିଲେ ।

୮।

ଭୂସମ୍ପତ୍ତି ଚିରକାଳ ଥିବ ।

୯ ।

ଜୀବନ ନଷ୍ଟ ହୋଇଯାଏ ।

୧୦ ।

ଅଗ୍ନି ହୁତଦ୍ରବ୍ୟ ଭୋଜନ କରେ ।

୧୧ ।

ସେ ଶ୍ରେଣୀରେ ଯେଉଁ ପୁସ୍ତକ ପାଠ କରିବାକୁ ହେବ, ତାହା ଆମ୍ଭଙ୍କୁ ଦେଖାଅ ।

୧୨ ।

ତାଙ୍କ ପରି ଦେଖାଯିବା ଲୋକ ବିରଳ ।

୧୩।

ହରିଙ୍କର ନାମ ସ୍ମରଣ ସର୍ବ ଶୋକ ଅପହରଣ କରେ ।

୧୪ ।

ଏ ଭାରତ ଭୂମି ଅନେକ ବୀର ପ୍ରସବ କରିଅଛି ।

୧୫ ।

ସାୟନ୍ତନ ଘନର ଶୋଭା ମନକୁ ହରଣ କରେ ।

୧୬।

ଯେ ହତ୍ୟା କରେ ତାହାକୁ ସମସ୍ତେ ଧିକ୍କାର କରନ୍ତି ।

୧୭ ।

ଏ ପୃଥିବୀ ସବୁ ସହୁଅଛି ।

୧୮ ।

ତାଙ୍କର କଥା ମର୍ମକୁ (ହୃତ୍) ବଡ଼ ପୀଡ଼ା ଦିଏ ।

୧୯ ।

ଶକଟ ଚଳାଉଥିବା ବ୍ୟକ୍ତିର ଦୋଷରୁ ଏପରି ଅନିଷ୍ଟ ଘଟିଲା ।

୨୦ ।

ଯେ ମିଥ୍ୟା କହେ ତାହାକୁ କେହି ବିଶ୍ୱାସ କରନ୍ତି ନାହିଁ ।

 

ଦ୍ୱିତୀୟ ସାଧନୀ

 

୧ । (କ) ତାଙ୍କର ଜୟ କରିବାକୁ ଇଚ୍ଛା ଅଛି । (ଖ) ତାଙ୍କର ଜିଗୀଷା ଅଛି ।

 

ଇଚ୍ଛାର୍ଥ ସନ୍ ପ୍ରତ୍ୟୟଦ୍ୱାରା ଉଲ୍ଲିଖିତ ଉଦାହରଣରେ ବାକ୍ୟ ଯେପରି ସଂକ୍ଷିପ୍ତ ହେଲା, ନିମ୍ନଲିଖିତ ବାକ୍ୟମାନଙ୍କୁ ସେହିପରି ସଂକ୍ଷିପ୍ତ କର ।

 

୧ ।

ଦୁର୍ବାସାଙ୍କର ଭୋଜନ କରିବାର ଇଚ୍ଛା ଥିଲା ।

୨ ।

ଧନଲାଭ କରିବାର ଇଚ୍ଛା ସମସ୍ତଙ୍କର ଅଛି ।

୩ ।

ତାହାଙ୍କର ଭେଳାରେ ସାଗର ତରିବାର ଇଚ୍ଛା ହୋଇଅଛି ।

 

 

୪ ।

ଲୋକେ ମୃତ୍ୟୁର ଯେତିକି ନିକଟବର୍ତ୍ତୀ ହେଉଥାନ୍ତି, ଜୀଇବାର ଇଚ୍ଛା ତେତିକି ପ୍ରବଳ ହେଉଥାଏ ।

୫ ।

ସହସ୍ର କଷ୍ଟ ହେଲେ ସୁଦ୍ଧା ମରିବାକୁ ଇଚ୍ଛା ହୁଏ ନାହିଁ ।

୬ ।

ଉପକାର କରିବାର ଇଚ୍ଛା ସାଧୁମାନଙ୍କର ସ୍ୱଭାବସିଦ୍ଧ ଅଟେ ।

୭ ।

ପରଧନ ହରଣେଚ୍ଛା ଅତି ଗର୍ହିତ ଅଟେ ।

 

 

୮ ।

ଦୁଷ୍ଟ ଜୀବକୁ ଦେଖିଲେ ହନନେଚ୍ଛା ସ୍ୱଭାବତଃ ଜାତ ହୁଏ ।

୯ ।

ଗ୍ରୀଷ୍ମକାଳରେ ପାନ କରିବାର ଇଚ୍ଛା ପ୍ରବଳ ହୁଏ ।

୧୦ ।

ତାହାଙ୍କର ତୀର୍ଥ ଦର୍ଶନ କରିବାକୁ ଇଚ୍ଛା ପ୍ରବଳ ହୋଇଥିଲା ।

୧୧ ।

ନିର୍ଗୁଣ ବ୍ରହ୍ମ ସୃଷ୍ଟି କରିବା ଇଚ୍ଛାରେ ଗୁଣ ଆଶ୍ରୟ କରିଥିଲେ ।

 

 

୧୨ ।

ତାହାଙ୍କର ଅନୁସନ୍ଧାନ କରିବାର ଇଚ୍ଛା ଆଦୌ ନାହିଁ ।

୧୩ ।

ଶୁଣିବାର ଇଚ୍ଛାରେ ସେ ସର୍ବଦା ରତ ଥିଲେ ।

୧୪ ।

ଯେଉଁ ଯାତ୍ରୀମାନେ ମୁକ୍ତି ଇଚ୍ଛା କରନ୍ତି, ପ୍ରତି ବର୍ଷ ସେମାନେ ଶ୍ରୀକ୍ଷେତ୍ରକୁ ଆସନ୍ତି ।

୧୫ ।

ଯାହାର ଜୟ କରିବାକୁ ଇଚ୍ଛା ଥାଏ, ତାହାର ମନ ସର୍ବଦା ଆନ୍ଦୋଳିତ ହେଉଥାଏ ।

 

 

୧୬ ।

ଯେଉଁ ଲୋକମାନେ ତ୍ୟାଗ କରିବାକୁ ଇଚ୍ଛା କରନ୍ତି ସେମାନେ ସର୍ବତ୍ର ପ୍ରଶଂସିତ ।

୧୭ ।

ଭୋଜନ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିକୁ ହତାଶ କର ନାହିଁ ।

୧୮ ।

ହତ୍ୟା କରିବାକୁ ଇଚ୍ଛା କରୁଥିବା ଲୋକ ପ୍ରତି କିଏ ଅବଜ୍ଞା ପ୍ରକାଶ ନ କରେ ?

୧୯ ।

କହିବାକୁ ଇଚ୍ଛା କରୁଥିବା ବ୍ୟକ୍ତିର କଥା ଶୁଣିବା ଉଚିତ ।

୨୦ ।

ଧନଲାଭ କରିବାକୁ ଇଚ୍ଛା କରୁଥିବା ଲୋକର ତୃଷ୍ଣା ଧନବୃଦ୍ଧି ସଙ୍ଗରେ ବଢ଼ୁଥାଏ ।

 

୨ । (କ) ସେ ଝୁଲୁଥିଲେ ବା ଦୋହଲୁଥିଲେ ।(ଖ) ସେ ଦୋଳାୟମାନ ହେଉଥିଲେ ।

ଏହି ଆଦର୍ଶ ଅନୁକରଣରେ ନାମଧାତୁର ପ୍ରତ୍ୟୟ ପ୍ରୟୋଗଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକୁ ରୁପାନ୍ତରିତ କର ।

 

୧ ।

ସେ ଠିଆ ହୋଇଥିଲେ ।

୨ ।

ତାଙ୍କର ଅମୃତ ବାକ୍ୟ ଶୁଣି କର୍ଣ୍ଣ ପରିତୃପ୍ତ ହେଲା ।

୩ ।

ଫେନ୍ ଉଦ୍‌ବମନ କରୁଥିବା ସମୁଦ୍ରକୁ ଦେଖିଲେ କାହା ମନ ବିସ୍ମୟାନନ୍ଦ ରସରେ ପୂର୍ଣ୍ଣ ନ ହୁଏ ?

୪ ।

ରାଧାଚକ୍ର ଆକାଶରେ ଘୂରୁଥିଲା ।

 

 

୫ ।

ଶସ୍ୟମାନଙ୍କର ପୀତବର୍ଣ୍ଣ ପାଲଟିଥିବା ଶୋଭା ଦେଖିଲେ କାହାର ମନ ଉଲ୍ଲସିତ ନ ହୁଏ ?

୬ ।

ସେ ପୂର୍ବେ ତ ଏପରି ନ ଥିଲେ, ଆଜି ଏପରି ଦୁର୍ମନା କାହିଁକି ?

୭ ।

ବାଷ୍ପୀୟଶକଟ ସର୍ବଦା ଧୂମ ଉଦ୍‌ଗିରଣ କରୁଥାଏ ।

୮ ।

ଆଜି ସିନ୍ଧୁ ଅତ୍ୟନ୍ତ ଶବ୍ଦ କରୁଅଛି ।

 

 

୯ ।

ଆଜି ପଶ୍ଚିମ ଦିଗର ଶୈଳାବଳୀ କିପରି ହରିଦ୍‌ବର୍ଣ୍ଣ ଦିଶୁଅଛି ।

୧୦ ।

ଏଥିପାଇଁ ତାଙ୍କର ଲାଳ ବହିର୍ଗତ ହେଉଅଛି ।

 

୩ । (କ) ଆପତ୍ତି ଉଠିଲା ।(ଖ) ଆପତ୍ତି ଉତ୍ଥାପିତ ହେଲା ।

ନିମ୍ନଲିଖିତ ବାକ୍ୟମାନଙ୍କୁ ଉଲ୍ଲିଖିତ ଆଦର୍ଶ ପ୍ରାୟ ଣିଜନ୍ତ ବା ପ୍ରେରଣାର୍ଥରେ ପରିଣତ କର ।

 

୧ ।

ସେ କଥା ଜଣାଗଲା ।

୨ ।

ଗଙ୍ଗାତୀରରେ ଉକ୍ତ ମନ୍ଦିର ଅବସ୍ଥିତ ।

୩ ।

ସମୟ ଯେପରି ବୃଥା ନ ଯାଏ ।

୪ ।

ତୁମ୍ଭେ କଣ ଅଧ୍ୟୟନ କରୁଅଛ ?

 

 

୫ ।

ବାକ୍ୟ ପଠିତ ହେଲା ।

୬ ।

ବୃକ୍ଷର ଶାଖା ଆନତ ହେଲା ।

୭ ।

ଯନ୍ତ୍ର ଚଳିଲା ।

୮ ।

ଶାଳ ବୃକ୍ଷରୁ ରସ ନିଃସୃତ ହେଲା ।

୯ ।

ରୋଗ ଉପଶାନ୍ତ ହୋଇଅଛି ।

୧୦ ।

ସୈନିକ ଆହତ ହେଲା ।

 

ତୃତୀୟ ସାଧନୀ

 

୧ । (କ) ଦଶରଥଙ୍କ ପୁତ୍ର ନିକଷାର ପୁତ୍ରକୁ ସଂହାର କଲେ । (ଖ) ଦାଶରଥି ନୈକଷେୟକୁ ସଂହାର କଲେ ।

ଅପତ୍ୟାର୍ଥ ପ୍ରଯୁକ୍ତ ତଦ୍ଧିତ ପ୍ରତ୍ୟୟଦ୍ୱାରା ଏହିପରି ନିମ୍ନଲିଖିତ ବାକ୍ୟମାନଙ୍କୁ ରୂପାନ୍ତରିତ ଓ ସଂକ୍ଷିପ୍ତ କର ।

 

୧ ।

ଗଙ୍ଗାଙ୍କର ପୁତ୍ର କୁନ୍ତୀଙ୍କ ପୁତ୍ର ସଙ୍ଗେ ଯୁଦ୍ଧ କଲେ ।

୨ ।

ଜମଦଗ୍ନିର ପୁତ୍ର ଭରଦ୍ୱାଜଙ୍କ ପୁତ୍ରଙ୍କୁ ଧନୁର୍ବେଦ ଶିଖାଇଥିଲେ ।

୩ ।

ଅଭିମନ୍ୟୁ ବାସୁଦେବ ପୁତ୍ରଙ୍କ ଭଗିନୀର ପୁତ୍ର ଥିଲେ ।

୪ ।

ଭାରତଯୁଦ୍ଧ ଧୃତରାଷ୍ଟ୍ରଙ୍କ ପୁତ୍ର ଏବଂ ପାଣ୍ଡୁଙ୍କ ପୁତ୍ରମାନଙ୍କ ମଧ୍ୟରେ ହୋଇଥିଲା ।

 

 

୫ ।

ମହାରାଜ ପରୀକ୍ଷିତ ବିରାଟ ରାଜାଙ୍କର ଦୁହିତାର ପୁତ୍ର ଏବଂ ଅର୍ଜୁନଙ୍କ ପୁତ୍ରର ପୁତ୍ର ଥିଲେ ।

୬ ।

ଯଦୁବଂଶ ସମ୍ଭୁତ ଲୋକମାନେ ପ୍ରଭାସ ତୀର୍ଥରେ ପ୍ରାଣତ୍ୟାଗ କଲେ ।

୭ ।

ବିକର୍ତ୍ତନଙ୍କର ପୁତ୍ର କୁରୁବଂଶସମ୍ଭୁତ କୁମାରମାନଙ୍କର ପରମ ମିତ୍ର ଥିଲେ ।

୮ ।

ରୋହିଣୀତନୟ କୁରୁମାନଙ୍କ ଯୁଦ୍ଧରେ କୌଣସି ପକ୍ଷ ଅବଲମ୍ବନ କରି ନାହାନ୍ତି ।

 

 

୯ ।

ଦ୍ରୁପଦଙ୍କ କନ୍ୟାର ସ୍ୱୟମ୍ବର ଦ୍ୱୀପରେ ଜାତ ହୋଇଥିବା ମୁନିଙ୍କ ପରାମର୍ଶ ଅନୁସାରେ ହୋଇଥିଲା ।

୧୦ ।

ସୁମିତ୍ରାଙ୍କ ପୁତ୍ର ରାବଣର ପୁତ୍ରକୁ ସଂହାର କଲେ ।

୧୧ ।

ପବନଙ୍କର ପୁତ୍ର ଦଶରଥପୁତ୍ରଙ୍କର ସେବାରେ ଆତ୍ମାକୁ ନିୟୋଜିତ କରିଥିଲେ ।

୧୨ ।

ଦ୍ରୋଣଙ୍କ ପୁତ୍ର ପିତୃବଧର ପରିଶୋଧ ନିମନ୍ତେ ଦ୍ରୁପଦପୁତ୍ରଙ୍କୁ ସଂହାର କଲେ ।

 

 

୧୩ ।

ପର୍ବତ କନ୍ୟା ମଦନ ପ୍ରଭାବରେ ହିମାଳୟରେ ଶିବଙ୍କ ଧ୍ୟାନ ଭଙ୍ଗ କରିଥିଲେ ।

୧୪ ।

ଦକ୍ଷଙ୍କ ଦୁହିତା ପତିନିନ୍ଦା ଶୁଣି ତନୁ ତ୍ୟାଗ କରିଥିଲେ ।

୧୫ ।

ଦୁଷ୍ମନ୍ତ ପୁରୁବଂଶରୁ ଜାତ ହୋଇଥିଲେ ।

୧୬ ।

ବିଶ୍ରବାଙ୍କର ପୁତ୍ର ବିଦେହ ରାଜକନ୍ୟାଙ୍କୁ ହରଣ କରିଥିଲେ ।

 

 

୧୭ ।

ମେନକାଙ୍କ ପୁତ୍ର ବରୁଣଙ୍କ ଆଶ୍ରୟ ନେବାରୁ ଇନ୍ଦ୍ରଙ୍କ ହସ୍ତରୁ ରକ୍ଷା ପାଇଥିଲେ ।

୧୮ ।

ଭୀମଙ୍କର କନ୍ୟା ନଳଙ୍କୁ ବରଣ କରିଥିଲେ ।

୧୯ ।

ବିରୋଚନ ପୁତ୍ରଙ୍କୁ ପ୍ରହ୍ଲାଦ ଅନେକ ସଦୁପଦେଶ ଦେଇଥିଲେ ।

୨୦ ।

ଏ କର୍ମ ମନୁ ପୁତ୍ରଙ୍କ ସାଧ୍ୟ ନୁହେ ।

 

 

୨୧ ।

ପରାଶରଙ୍କ ପୁତ୍ର ଅନେକ ଗ୍ରନ୍ଥ ରଚନା କରିଥିଲେ ।

୨୨ ।

ଭୃଗୁତନୟ ପୃଥିବୀକୁ ନିଃକ୍ଷତ୍ରିୟ କରିଥିଲେ ।

୨୩ ।

ସୁଭଦ୍ରାଙ୍କ ପୁତ୍ର ଅଧର୍ମ ଯୁଦ୍ଧରେ ନିହତ ହେଲେ ।

୨୪ ।

ବିନତାନନ୍ଦନ ଅମୃତ ହରଣ କରିଥିଲେ ।

୨୫ ।

ଗଣେଶ ଦ୍ୱିମାତାର ପୁତ୍ର ଥିଲେ ।

 

୨ । (କ) ସେ ତର୍କ ଜାଣନ୍ତି । (ଖ) ସେ ତାର୍କିକ ଅଟନ୍ତି ।

ଏହିପରି ‘ଇକ’ ପ୍ରତ୍ୟୟଦ୍ୱାରା ନିମ୍ନଲିଖିତ ବାକ୍ୟମାନଙ୍କର ରୂପାନ୍ତର ବିଧାନ କର –

 

୧ ।

ଶରୀରର ପରିଶ୍ରମ ଅପେକ୍ଷା ମନର ଶ୍ରମର ମୂଲ୍ୟ ଅଧିକ ।

୨ ।

ଏହା ଆମ୍ଭର କୁଳକ୍ରମାଗତ ପ୍ରଥା ।

୩ ।

ଈଶ୍ୱରଙ୍କ ନିୟମରେ ଅନ୍ୟଥା କଦାପି ହୋଇ ନପାରେ ।

୪ ।

ସେମାନେ ବିଦେଶରୁ ଆଗତ ହୋଇଅଛନ୍ତି ।

 

 

୫ ।

ଏହି ସମ୍ପତ୍ତି ପିତାଙ୍କଠାରୁ ପ୍ରାପ୍ତ ।

୬ ।

ଆମ୍ଭମାନଙ୍କର ପରୀକ୍ଷା ସପ୍ତାହକୁ ସପ୍ତାହ ହୁଏ ।

୭ ।

ପୃଥିବୀର ଦିନରେ ଏବଂ ବର୍ଷରେ ଦୁଇପ୍ରକାର ଗତି ଅଛି ।

୮ ।

ଏ ପତ୍ରିକା ତିନି ମାସରେ ପ୍ରକାଶିତ ହୁଏ ।

 

 

୯ ।

ସେ ଅଳଙ୍କାର ଭଲ ଜାଣନ୍ତି ।

୧୦ ।

ଇହକାଳର ସୁଖରେ ତାଙ୍କର ସ୍ପୃହା ନାହିଁ ।

୧୧ ।

ଯବନମାନଙ୍କର ପରିଚ୍ଛଦ ଆମ୍ଭମାନଙ୍କର ଉପଯୋଗୀ ନୁହେ ।

୧୨ ।

ଏହାର ଉତ୍ତର ମୁଖରେ ଦେବାକୁ ହେବ ।

 

 

୧୩ ।

ଏ ବିଷୟରେ ପ୍ରମାଣ ପୁରାଣରେ ମିଳିବ ।

୧୪ ।

ଏହି ବ୍ରାହ୍ମଣ ବେଦ ଅଧ୍ୟୟନ କରନ୍ତି ।

୧୫ ।

ଅସୁରଙ୍କ ମାୟା ଅସୁରମାନେ ଜାଣନ୍ତି ।

୧୬ ।

ଲୋକମାନଙ୍କ ପ୍ରଥାର ବିରୋଧୀ ହେଲେ ସମସ୍ତେ ଶତ୍ରୁ ହୁଅନ୍ତି ।

 

 

୧୭ ।

ଏହି କ୍ଷେତ୍ରଟି ସରଳରେଖାଦ୍ୱାରା ବେଷ୍ଟିତ ।

୧୮ ।

ସେ ପତ୍ରିକା ମାସରେ ଥରେ ବାହାରେ ।

୧୯ ।

ସେ ଯୋଗୀ ତନ୍ତ୍ର ଅଧ୍ୟୟନ କରିଥିଲେ ।

୨୦ ।

ନ୍ୟାୟରେ ତାଙ୍କର ଉତ୍ତର ଜ୍ଞାନ ଅଛି ।

 

 

୨୧ ।

ଜୟ ବିଜୟ ବୈକୁଣ୍ଠର ଦ୍ୱାର ରକ୍ଷା କରୁଥିଲେ ।

୨୨ ।

ତାହାଙ୍କର ଅନ୍ତରର ଭାବ ସେପରି ନୁହେ ।

୨୩ ।

ମିଥିଳାର ପଣ୍ଡିତମାନେ ଦର୍ଶନଶାସ୍ତ୍ର ଅଧ୍ୟୟନ କରନ୍ତି ।

୨୪ ।

ଭାରତବର୍ଷରେ ବିଜ୍ଞାନ ବିଷୟକ ଉନ୍ନତି ଅତ୍ୟନ୍ତ ବାଞ୍ଛନୀୟ ।

୨୫ ।

ଯେଉଁମାନେ ଇତିହାସ ଭଲ ଜାଣନ୍ତି, ସେମାନଙ୍କ ମଧ୍ୟରେ ସେ ପ୍ରଧାନ ଥିଲେ ।

 

୩ । (କ) ରାବଣ ଶିବଭକ୍ତ ଥିଲେ । (ଖ) ରାବଣ ଶୈବ ଥିଲେ ।

ଭକ୍ତ ବା ଉପାସକ ଅର୍ଥରେ ବିହିତ ତଦ୍ଧିତ ପ୍ରତ୍ୟୟ ଯୋଗରେ ନିମ୍ନଲିଖିତ ବାକ୍ୟମାନ ରୂପାନ୍ତରିତ ବା ସଂକ୍ଷିପ୍ତ କର ।

 

୧ ।

ତୈଲଙ୍ଗୀୟମାନେ ଗଣପତିଙ୍କର ଭକ୍ତ ଅଟନ୍ତି ।

୨ ।

ଶିଖିଧ୍ୱଜ ବିଷ୍ଣୁଙ୍କର ପରମ ଭକ୍ତ ଥିଲେ ।

୩ ।

ସୁଧନ୍ୱା ଭଗବାନଙ୍କର ପରମ ଭକ୍ତ ଥିଲେ ।

୪ ।

ମହାରାଜ କୃଷ୍ଣଚନ୍ଦ୍ର ଶକ୍ତିଉପାସକ ଥିଲେ ।

 

 

୫ ।

ଅଗ୍ନିବର୍ଣ୍ଣ ଅତ୍ୟନ୍ତ ସ୍ତ୍ରୀଭକ୍ତ ଥିଲେ ।

୬ ।

ଲଙ୍କେଶ୍ୱର ମହେଶ୍ୱରଙ୍କ ପରମଭକ୍ତ ଥିଲେ ।

୭ ।

ପଶୁପତିଙ୍କର ଭକ୍ତମାନେ ଏହା ସ୍ୱୀକାର କରନ୍ତି ନାହିଁ ।

୮ ।

ଏ ବ୍ରାହ୍ମଣମାନେ ସୂର୍ଯ୍ୟ ଉପାସନା କରନ୍ତି ।

୯ ।

ଜିନଙ୍କର ଉପାସକମାନେ ବୁଦ୍ଧଉପାସକମାନଙ୍କ ମତ ସମୂର୍ଣ୍ଣ ସ୍ୱୀକାର କରନ୍ତି ନାହିଁ ।

୧୦ ।

ସେ ସରସ୍ୱତୀଙ୍କର ଜଣେ ପରମଭକ୍ତ ଥିଲେ ।

 

୪ । (କ) ଏହା ନିବାରଣ କରିବା ମାନବମାନଙ୍କ ଶକ୍ତିର ଅସାଧ୍ୟ ।

(ଖ) ଏହା ନିବାରଣ କରିବା ମାନବୀୟ ଶକ୍ତିର ଅସାଧ୍ୟ ।

ଏହି ଆଦର୍ଶ ଅନୁକରଣରେ ନିମ୍ନଲିଖିତ ବାକ୍ୟମାନ ରୂପାନ୍ତରିତ କର ।

 

୧ ।

ଦେଶର ଲୋକମାନଙ୍କ ମତ କେହି ଗ୍ରହଣ କରନ୍ତି ନାହିଁ ।

୨ ।

ପର୍ବତରେ ଥିବା ଲୋକମାନେ ବ୍ୟାଘ୍ରକୁ ଭୟ କରନ୍ତି ନାହିଁ ।

୩ ।

ୟୁରୋପର ଲୋକମାନେ ସବୁ ବିଷୟରେ ଅଗ୍ରଗଣ୍ୟ ଅଟନ୍ତି ।

୪ ।

ଆରବ ଦେଶଜାତ ଅଶ୍ୱ ଅତ୍ୟନ୍ତ ବଳବାନ୍ ।

 

 

୫ ।

ମହାରାଷ୍ଟ୍ର ଲୋକମାନେ ଆଧୁନିକ ହିନ୍ଦୁମାନଙ୍କର ଅଗ୍ରଗଣ୍ୟ ଅଟନ୍ତି ।

୬ ।

ପୃଥିବୀର ସମସ୍ତ ଦେଶରେ ଖ୍ରୀଷ୍ଟଙ୍କର ଧର୍ମ ପ୍ରଚାରିତ ହୋଇଅଛି ।

୭ ।

ସ୍ଥାନର ଶିକ୍ଷାସଭାରେ ଏ ବିଷୟ ମୀମାଂସା ହେବ ।

୮ ।

ତାହାଙ୍କର ବଚନ ସ୍ୱର୍ଗର ସଙ୍ଗୀତ ପ୍ରାୟ ମଧୁର ।

୯ ।

ଭାରତର ଲୋକମାନେ ଅଧୁନା ଦେଶର ଉନ୍ନତି ପ୍ରତି ମନୋଯୋଗୀ ହୋଇଛନ୍ତି ।

୧୦ ।

ଉତ୍କଳର ଲୋକମାନେ ବର୍ତ୍ତମାନ ସବୁ ବିଷୟରେ ପଶ୍ଚାତ୍ପଦ ।

 

୫ । (କ) ଗୁରୁଙ୍କୁ ପିତାଙ୍କ ତୁଲ୍ୟ ଭକ୍ତି କରିବ । (ଖ) ଗୁରୁଙ୍କୁ ପିତୃବତ୍ ଭକ୍ତି କରିବ ।

ଏହିପରି ତୁଲ୍ୟାର୍ଥକ ‘ବତ୍’ ପ୍ରତ୍ୟୟଦ୍ୱାରା ବକ୍ଷ୍ୟମାଣ ବାକ୍ୟାବଳୀର ରୂପାନ୍ତର ବିଧାନ କର ।

 

୧ ।

ସହାଧ୍ୟାୟୀମାନଙ୍କୁ ଭ୍ରାତାଙ୍କ ତୁଲ୍ୟ ମଣିବ ।

୨ ।

ପରଦାରଙ୍କୁ ମାତାଙ୍କ ପରି ଜ୍ଞାନ କରିବ ।

୩ ।

ପରଦ୍ରବ୍ୟକୁ ଲୋଷ୍ଟ୍ରପ୍ରାୟ ମଣିବ ।

୪ ।

ଜ୍ୟେଷ୍ଠଭ୍ରାତାଙ୍କୁ ପିତାଙ୍କ ସମାନ ଜାଣିବ ।

 

 

୫ ।

ରାତ୍ରିରେ ଦଧି ବିଷ ପରି ଅନିଷ୍ଟକର ହୁଏ ।

୬ ।

ବିସୂଚିକା ରୋଗରେ ରକ୍ତ ଜଳ ପରି ହୋଇଯାଏ ।

୭ ।

ତାହାଙ୍କ ଦେହ ଜଡ଼ ପ୍ରାୟ ହୋଇଗଲା ।

୮ ।

ମନୁଷ୍ୟର ଜୀବନ ଜଳବୁଦ୍‌ବୁଦ୍ ପ୍ରାୟ କ୍ଷଣସ୍ଥାୟୀ ।

 

 

୯ ।

ତାଙ୍କର ଦେହ ହିମ ସମାନ ଶୁଭ୍ର ।

୧୦ ।

ନ ବୁଝି ଅନ୍ଧ ପରି ଚାଲିଯିବା ଭଲ ନୁହେଁ ।

 

୬ । (କ) ଯାହାର ଗୁଣ ଅଛି, ତାହାର ସବୁଠାରେ ଆଦର । (ଖ) ଗୁଣବାନ୍ ଲୋକର ସର୍ବତ୍ର ଆଦର ।

ଏହି ପ୍ରକାର ତଦ୍ଧିତ ପ୍ରତ୍ୟୟଦ୍ୱାରା ନିମ୍ନଲିଖିତ ବାକ୍ୟମାନଙ୍କୁ ସଂକ୍ଷିପ୍ତ କର ।

 

୧ ।

ଯାହାର ବିଦ୍ୟା ଅଛି, ତାହାର ସ୍ୱଦେଶ ଯେପରି ବିଦେଶ ସେହିପରି ।

୨ ।

ଯାହାର ଧନ ଅଛି, ତାହାକୁ ସମସ୍ତେ ସ୍ତବ କରନ୍ତି ।

୩ ।

ଯାହାର ବୁଦ୍ଧି ଅଛି, ତାହାକୁ କେହି ପ୍ରତାରଣା କରିପାରେ ନାହିଁ ।

୪ ।

ସୂର୍ଯ୍ୟ ଅଂଶୁବିଶିଷ୍ଟ ଅଟନ୍ତି ।

 

 

୫ ।

ଯେଉଁ ବୃକ୍ଷରେ ଫଳ ହୋଇଥାଏ, ତାହା ନମ୍ର ହୁଏ ।

୬ ।

ତାହାଙ୍କର ଖୁବ୍ ଯଶ ହୋଇଥିଲା ।

୭ ।

ଯେଉଁ ଛାତ୍ରର ମେଧା ଅଛି, ସେ ଅତିଶୀଘ୍ର ଶିଖିପାରେ ।

୮ ।

ଏ ଗାଭୀର ଅନେକ ଦୁଗ୍ଧ ହୁଏ ।

 

 

୯ ।

ଦୁର୍ଯ୍ୟୋଧନଙ୍କର ଅତ୍ୟନ୍ତ ଅଭିମାନ ଥିଲା ।

୧୦ ।

କର୍ଣ୍ଣଙ୍କର ବଡ଼ ଅହଂକାର ଥିଲା ।

୧୧ ।

ଯାହାର ପାପ ଅଛି, ତାହାର ସର୍ବଦା ଦୁଃଖ ।

୧୨ ।

କୃଷ୍ଣଙ୍କର ଅତ୍ୟନ୍ତ ମାୟା ଥିଲା ।

 

 

୧୩ ।

ଏ ବିଷୟରେ ତାହାଙ୍କର ଅପରାଧ ନାହିଁ ।

୧୪ ।

ଯେଉଁ ଲୋକର ୠଣ ଅଛି, ତାହାର ମନ ସର୍ବଦା ବ୍ୟସ୍ତ ।

୧୫ ।

ଯେଉଁ ଲୋକର ସଞ୍ଚୟ ଅଛି, ସେ କେବେ କଷ୍ଟ ପାଏ ନାହିଁ ।

୧୬ ।

ଯେ ଦୋଷ କରିଥାଏ, ତାହା ଆକୃତି ତାକୁ ଚିହ୍ନାଇ ଦିଏ ।

 

୭ । (କ) ତାହାଙ୍କର ଅତ୍ୟନ୍ତ ଦୟା ଥାଏ । (ଖ) ସେ ବଡ଼ ଦୟାଳୁ ଅଟନ୍ତି ।

ନିମ୍ନଲିଖିତ ବାକ୍ୟମାନଙ୍କୁ ଏହିପରି ତଦ୍ଧିତ ପ୍ରତ୍ୟୟ ଯୋଗରେ ରୂପାନ୍ତରିତ କର ।

 

୧ ।

କୁମ୍ଭକର୍ଣ୍ଣ ନିଦ୍ରା ପ୍ରତି ଅତ୍ୟନ୍ତ ଆସକ୍ତ ଥିଲେ ।

୨ ।

ରାମଙ୍କ ପ୍ରତି ଲକ୍ଷ୍ମଣଙ୍କର ଅତିଶୟ ଶ୍ରଦ୍ଧା ଥିଲା ।

୩ ।

ସେ ହରିଣ ଦେହରେ ଅନେକ ମାଂସ ଅଛି ।

୪ ।

ପାରସିକ ସୈନ୍ୟମାନଙ୍କର ଶ୍ମଶ୍ରୁ ଥିଲା ।

 

 

୫ ।

ବୃଦ୍ଧମାନେ ଅଧିକ ବାକ୍ୟ କହନ୍ତି ।

୬ ।

ହିମାଳୟର ବାୟୁରେ ବଡ଼ ଶୀତ ହୁଏ ।

୭ ।

ମହୋଦଧିର ଲହରୀରେ ଅନେକ ଫେନ ଥାଏ ।

୮ ।

ଯେଉଁ ସରୋବରରେ ଅଧିକ ପଙ୍କ ଥାଏ, ସେଥିରେ ପଦ୍ମ ଫୁଟେ ।

୯ ।

ଅଧିକାଂଶ ଚତୁଷ୍ପଦ ଜନ୍ତୁର ଦେହରେ ଲୋମ ଅଛି ।

୧୦ ।

ସେହି ରୋଗୀର ବାତ ବୃଦ୍ଧି ହୋଇଅଛି ।

 

୮ । (କ) ସେ ଅତି ମହତ୍ ଥିଲେ । (ଖ) ତାହାଙ୍କର ବଡ଼ ମହିମା ବା ମହତ୍ତ୍ୱ ଥିଲା ।

ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଏହିପରି ଭାବ ଅର୍ଥରେ ବିହିତ ତଦ୍ଧିତ ପ୍ରତ୍ୟୟଦ୍ୱାରା ରୂପାନ୍ତରିତ କର ।

 

୧ ।

ଜରାସନ୍ଧ ମଗଧ ଦେଶର ରାଜା ଥିଲେ ।

୨ ।

ତାହାଙ୍କର ଚିତ୍ତ ଲଘୁ ବୋଲି ମୁଁ ଜାଣିଅଛି ।

୩ ।

ନୀଳନଦ କେଡ଼େ ଦୀର୍ଘ, ଏତେ ଦିନରେ ତାହା ନିରୂପିତ ହେଲା ।

 

 

୪ ।

ସେ ଯେପରି ଚତୁର, କେହି ସେପରି ନୁହନ୍ତି ।

୫ ।

ପଦ୍ମପୁଷ୍ପ ଯେପରି ମଧୁର, ଅନ୍ୟ କୌଣସି ପୁଷ୍ପ ସେପରି ନୁହେ ।

୬ ।

ଆକାଶ କେଡ଼େ ନୀଳ, ତାହା ଦେଖିଲେ ଦର୍ଶକ ମୁଗ୍ଧ ହୋଇଯାଏ ।

୭ ।

ଅର୍ଜୁନଙ୍କର ପ୍ରତିଜ୍ଞା ଦୃଢ଼ ଥିଲା ।

 

 

୮ ।

ବାୟୁ ସ୍ଥିତିସ୍ଥାପକ ।

୯ ।

କୋକିଳର ସ୍ୱର ମିଷ୍ଟ ଅଟେ ।

୧୦ ।

ସେ ସାଧୁ ଏହା ସମସ୍ତେ ଜାଣନ୍ତି ।

 

୯ । (କ) ସେ ବାଳିକା ସୁନ୍ଦରୀ ଅଟେ । (ଖ) ସେ ବାଳିକାର ସୌନ୍ଦର୍ଯ୍ୟ ଅଛି ।

ଏଠାରେ ସୁନ୍ଦରୀ ଧର୍ମୀ ପଦ ଏବଂ ସୌନ୍ଦର୍ଯ୍ୟ ଧର୍ମ ପଦ ।

ନିମ୍ନଲିଖିତ ବାକ୍ୟସମୂହରେ ସେହିପରି ଧର୍ମୀ ପଦକୁ ଧର୍ମ ପଦରେ ପରିଣତ କର ।

 

୧ ।

ତାହାଙ୍କର ମୂର୍ତ୍ତି ଅତି ମଧୁର ଥିଲା ।

୨ ।

ପ୍ରଦୀପ ଉଜ୍ଜ୍ୱଳ ଅଟେ ।

୩ ।

ଚନ୍ଦ୍ର ଅତ୍ୟନ୍ତ ମନୋହର ।

୪ ।

ସରଳ ଲୋକକୁ ସମସ୍ତେ ସୁଖ ପାନ୍ତି ।

 

 

୫ ।

ପଣ୍ଡିତ ବ୍ୟକ୍ତିକୁ ସମସ୍ତେ ଆଦର କରନ୍ତି ।

୬ ।

ସେ ଅତ୍ୟନ୍ତ ଧୀମାନ୍ ଥିଲେ ।

୭ ।

ତୁଷାର ଶୁକ୍ଲ ଦିଶେ ।

୮ ।

ସୂର୍ଯ୍ୟ ତେଜସ୍ୱୀ ଅଟନ୍ତି ।

୯ ।

ତୁମ୍ଭେ ମୂର୍ଖ, ଏଥିରୁ ଏହା ପ୍ରକାଶ ପାଇବ ।

୧୦ ।

ତାହାଙ୍କ ବାକ୍ୟ ଅପାର, ଏହା ସପ୍ରମାଣ ହେଲା ।

 

ଅନୁଶୀଳନୀ

 

ଉପଯୁକ୍ତ ତଦ୍ଧିତ ପ୍ରତ୍ୟୟ ପ୍ରୟୋଗରେ ନିମ୍ନଲିଖିତ ବାକ୍ୟମାନ ରୂପାନ୍ତରିତ କର ।

୧ ।

ବିଷ୍ଣୁ ଚାରିପ୍ରକାର ମୂର୍ତ୍ତି ହେଲେ ।

୨ ।

ତାହାଙ୍କ ମସ୍ତକ ଶତଖଣ୍ଡ ହୋଇ ବିଦୀର୍ଣ୍ଣ ହେଲା ।

୩ ।

ଏହାର ଅନ୍ୟପ୍ରକାର କଦାପି ହେବ ନାହିଁ ।

୪ ।

ନୀଳଗିରି ଉଚ୍ଚ, ମେଘାସନ ଆହୁରି ଉଚ୍ଚ ।

 

 

୫ ।

ଦମୟନ୍ତୀଙ୍କ ଚରିତ୍ର ଶୁଦ୍ଧ ଥିଲା, ସୀତାଙ୍କ ଚରିତ୍ର ଆହୁରି ଶୁଦ୍ଧ ଥିଲା ।

୬ ।

ପର୍ବତ ମଧ୍ୟରେ ହିମାଳୟ ସବୁଠାରୁ ଉଚ୍ଚ ।

୭ ।

ଏ ଅତି ଗୁରୁ ବିଷୟ ଅଟେ ।

୮ ।

କ୍ରମେ କ୍ରମେ ପାର୍ବତୀଙ୍କର ଯୌବନ ପ୍ରବିଷ୍ଟ ହେଲା ।

 

 

୯ ।

ଜାମାତାଙ୍କୁ ପୁତ୍ର ତୁଲ୍ୟ ଦେଖିବ ।

୧୦ ।

ଶାଶୁଙ୍କୁ ମାତା ତୁଲ୍ୟ ଜ୍ଞାନ କରିବ ।

୧୧ ।

ଯାହା ପୂର୍ବେ କେବେ ଶୁଣି ନାହିଁ, ଆଜି ସେହି କଥା ଶୁଣିବ ।

୧୨ ।

ଲଙ୍କାପୂରୀ ସୁବର୍ଣ୍ଣରେ ନିର୍ମିତ ଥିଲା ।

 

 

୧୩ ।

ମୃତ୍ତିକା ଗଠିତ କଳସରେ ଜଳ ଆଣ ।

୧୪ ।

ଗଡ଼ର ପ୍ରାଚୀର ପୂର୍ବରେ ଦୃଢ଼ ନ ଥିଲା, ବର୍ତ୍ତମାନ ଦୃଢ଼ ହେଲା ।

୧୫ ।

ଦାଣ୍ଡ ଦୀର୍ଘ ନ ଥିଲା, ତିନି ମାସ ହେଲା ତାହାକୁ ଦୀର୍ଘ କରା ଯାଇଅଛି ।

୧୬ ।

ଦଶମୀ ଦିନ ପ୍ରତିମାକୁ ଜଳରେ ନିକ୍ଷେପ କରନ୍ତି ।

 

 

୧୭ ।

ଏ ଗାଭୀକୁ ବିପ୍ରଙ୍କୁ ଦେବା ଉଚିତ ।

୧୮ ।

ମୁଁ ବର୍ତ୍ତମାନ ଅନ୍ୟ ସ୍ଥାନକୁ ଯିବି ।

୧୯ ।

ଆମ୍ଭେ ଦୁହେଁ ଏକ ସ୍ଥାନରେ ରହିପାରିବୁଁ ନାହିଁ ।

୨୦ ।

ସବୁ ସମୟରେ କଳହ ଭଲ ନୁହେଁ ।

 

 

୨୧ ।

ସେ ଏକ ସମୟରେ ବ୍ରାହ୍ମଣୀ ତୀର୍ଥରେ ଗୋଟିଏ ହରିଣ ଦେଖିଲେ ।

୨୨ ।

ଏ ବୃକ୍ଷରେ ଫଳ ଏବଂ ସେ ଲତାରେ ପୁଷ୍ପ ଜନ୍ମିଅଛି ।

୨୩ ।

ପ୍ରଥମରେ ମୋର ନିବେଦନ ଏହି ଥିଲା ।

୨୪ ।

ଆପାତତଃ ମୋତେ ଏତକ କାର୍ଯ୍ୟ କରିବାକୁ ହେବ ।

 

 

୨୫ ।

ସେ ମୋହର ପିତାଙ୍କର ଭ୍ରାତା ଅଟନ୍ତି ।

୨୬ ।

କଂସ କୃଷ୍ଣଙ୍କ ମାତାଙ୍କ ଭ୍ରାତା ଥିଲେ ।

୨୭ ।

କ୍ଷାତ୍ର ଧର୍ମ ତାହାଙ୍କର ମୂର୍ତ୍ତି ଥିଲା ।

୨୮ ।

ସେ ବୟସରେ ସର୍ବାପେକ୍ଷା ବୃଦ୍ଧ ।

୨୯ ।

କର୍ମ ପ୍ରଶଂସ୍ୟ, ଜ୍ଞାନ ତହୁଁ ବଳି ପ୍ରଶଂସ୍ୟ ।

୩୦ ।

ଅଗ୍ନିରେ ସମସ୍ତ ଗୃହ ଭସ୍ମରେ ପରିଣତ ହୋଇଥିଲା ।

 

Unknown

ଚତୁର୍ଥ ସାଧନୀ

 

ନିମ୍ନଲିଖିତ ବାକ୍ୟମାନଙ୍କର ଯେଉଁଠି ଯେଉଁ ସମାସ ହେବା ଉଚିତ, ତାହା କରିଦିଅ ।

୧ ।

ସେ ନବ ଦୂର୍ବାଦଳ ପରି ଶ୍ୟାମଳ ଥିଲେ ।

୨ ।

ନଦୀର କୂଳରେ ନିର୍ମଳ ଜ୍ୟୋତ୍ସ୍ନା ପଡ଼ିଲା ।

୩ ।

ଗଙ୍ଗାଙ୍କର ପୁତ୍ର ଭୀଷ୍ମ ବୀରମାନଙ୍କର ଚୂଡ଼ାମଣି ଥିଲେ ।

୪ ।

ହୁମାୟୁନ ଦିଲ୍ଲୀର ସିଂହାସନରୁ ଚ୍ୟୁତ ହୋଇ ପାରସ୍ୟର ରାଜାଙ୍କ ଶରଣକୁ ଆଗତ ହେଲେ ।

 

 

୫ ।

ଏହି ବୃହତ୍ ପୁଷ୍କରିଣୀ ତାହାଙ୍କର ଗୋଟିଏ ମହତୀ କୀର୍ତ୍ତି ଅଟେ ।

୬ ।

କାଳିଦାସ ଜଣେ ମହାନ୍ କବି ଥିଲେ ।

୭ ।

ମହାନ୍ ରାଜା ଦୁଷ୍ମନ୍ତ କଣ୍ୱଙ୍କ ତନୟା ଶକୁନ୍ତଳାର କରକୁ ପୀଡ଼ନ କରିଥିଲେ ।

୮ ।

ରାମଙ୍କର ପତ୍ନୀ ସୀତା ବିଦେହ ରାଜାଙ୍କ କନ୍ୟା ଥିଲେ ।

 

 

୯ ।

ସେହି ଧନ ତାହାଙ୍କ ହସ୍ତଗତ ହେଲା ।

୧୦ ।

ପାଣ୍ଡବମାନେ କୌରବମାନଙ୍କ ସେନାର ପତି ଭୀଷ୍ମ, ଦ୍ରୋଣ ଏବଂ କର୍ଣ୍ଣଙ୍କୁ ନିହତ କଲେ ।

୧୧ ।

ତାହାଙ୍କର ମୁଖକୁ ଅବଲୋକନ କରି ମୁଁ ଅତ୍ୟନ୍ତ ହର୍ଷକୁ ପ୍ରାପ୍ତ ହେଲି ।

୧୨ ।

ଜଳାଶୟରେ ପଦ୍ମ, କୁମୁଦ ଓ କହ୍ଲାର ପ୍ରସ୍ଫୁଟିତ ହେଲା ।

 

 

୧୩ ।

ତାହାଙ୍କର ପ୍ରବଳ ପିପାସାରୁ ଶାନ୍ତି ହେଲା ।

୧୪ ।

ବୀରମାନଙ୍କର ବୃନ୍ଦ ଧନୁ ଏବଂ ବାଣ ଘେନି ରଣର ସ୍ଥଳକୁ ଆସିଲେ ।

୧୫ ।

ସାଧୁମାନଙ୍କର ସଙ୍ଗ ଛାଡ଼ିବ ନାହିଁ ।

୧୬ ।

ଯେଉଁ ଭକ୍ତିରେ କାମ ନାହିଁ, ତାହା ପ୍ରକୃତ ଭକ୍ତି ।

 

 

୧୭ ।

ତାହାଙ୍କର କୃଶ କଟି ଉଜ୍ଜ୍ୱଳ ମେଖଳା ଦ୍ୱାରା ଭୂଷିତ ହୋଇଥିଲା ।

୧୮ ।

ରଘୁମାନଙ୍କ କୂଳର ରବିତୁଲ୍ୟ ରାମ ବିସ୍ମୟରେ ତାହା ଦର୍ଶନ କଲେ ।

୧୯ ।

ସୀତା ସତୀମାନଙ୍କ ଶିରର ମଣି ପ୍ରାୟ ଥିଲେ ।

୨୦ ।

ନଦୀର ଜଳ ପୁଷ୍କରିଣୀର ଜଳ ଅପେକ୍ଷା ସ୍ୱଚ୍ଛତର ।

 

୨ । (କ) ବିଷ୍ଣୁଙ୍କର ଚାରି ଭୁଜ ଅଛି । (ଖ) ବିଷ୍ଣୁ ଚତୁର୍ଭୁଜ ଅଟନ୍ତି ।

ବହୁବ୍ରୀହି ସମାସଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଏହିପରି ସଂକ୍ଷିପ୍ତ କର ।

 

୧ ।

ତାହାଙ୍କର ଧନ ନାହିଁ ।

୨ ।

ରାମଙ୍କର ଚରିତ୍ରରେ କଳଙ୍କ ନାହିଁ ।

୩ ।

ପୁଷ୍କରିଣୀର ଜଳ ଶୁଷ୍କ ହୋଇ ଯାଇଅଛି ।

୪ ।

ତାହାଙ୍କର ଚେତନା ନ ଥିଲା ।

 

 

୫ ।

ତାହାଙ୍କର ମାର୍ଗରେ କଣ୍ଟକ ନାହିଁ ।

୬ ।

ମାଧବଙ୍କ ମନରେ ଚିନ୍ତା ନ ଥିଲା ।

୭ ।

ତାହାଙ୍କ ହୃଦୟରେ ଭୟ ନାହିଁ ।

୮ ।

ବ୍ୟାଘ୍ରର ଚାରୋଟି ପଦ ଅଛି ।

 

 

୯ ।

ରାବଣର ବିଂଶତି ବାହୁ ଥିଲା ।

୧୦ ।

ଗୁର୍ଜର ରାଜାଙ୍କର ପୁତ୍ର ନ ଥିଲା ।

୧୧ ।

ଏ ଭାରତଭୂମି ଗର୍ଭରେ ରତ୍ନ ଅଛି ।

୧୨ ।

ଭୀମଙ୍କ ହୃଦୟରେ ଦୟା ନ ଥିଲା ।

 

 

୧୩ ।

ବୃକ୍ଷରୁ ପତ୍ର ଗଳିତ ହେଉଥିଲା ।

୧୪ ।

ଈଶ୍ୱରଙ୍କ ମହିମାର ଅନ୍ତ ନାହିଁ ।

୧୫ ।

ସମୁଦ୍ରର ତଳ ସ୍ପର୍ଶ ହୋଇ ନାହିଁ ।

୧୬ ।

ଦମୟନ୍ତୀଙ୍କର ଗମନ ହଂସର ଗମନ ପରି ଥିଲା ।

 

 

୧୭ ।

ଦ୍ରୌପଦୀଙ୍କର ନୟନ ହରିଣର ନୟନ ପରି ଥିଲା ।

୧୮ ।

ତାହାଙ୍କର ଏଥର ଆପଦ ନାହିଁ ।

୧୯ ।

ଶକୁନ୍ତଳାଙ୍କର ସ୍ୱଭାବ ଅତି କୋମଳ ଥିଲା ।

୨୦ ।

ବିଷ୍ଣୁଙ୍କର ଲୋଚନ କମଳ ପ୍ରାୟ ଅଟେ ।

 

 

୨୧ ।

ଭୀଷ୍ମଦେବଙ୍କର ପ୍ରତିଜ୍ଞା ସତ୍ୟ ହେଉଥିଲା ।

୨୨ ।

ଯାହାଙ୍କର ଅମ୍ବର ପୀତବର୍ଣ୍ଣ, ସେହି ହରିଙ୍କୁ ମୋର ନମସ୍କାର ।

୨୩ ।

ଯାହାଙ୍କ ପାଣିରେ ଧନୁ ଥାଏ, ସେହି ଅର୍ଜ୍ଜୁନଙ୍କୁ ଦେଖିଲେ କିଏ ଭୟ ନ କରେ ?

୨୪ ।

ମୋହ ସହିତ ଯାହାର ଧର୍ମ ସମାନ, ଏପରି କେହି କଣ ମିଳିବ ନାହିଁ ?

୨୫ ।

ଯାହାର ଧନ ନାହିଁ, ତାହାର ମନ ଉଚ୍ଚ ହେଲେ କଣ ହେବ ?

 

୩ । (କ) ତାହାଙ୍କର ସଙ୍ଗରେ ବାନ୍ଧବ ଥିଲେ । (ଖ) ସେ ସବାନ୍ଧବ ଥିଲେ ।

ସହାର୍ଥ ବହୁବ୍ରୀହ ଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକୁ ଏହିରୂପେ ସଂକ୍ଷିପ୍ତ କର ।

 

୧ ।

ଏ ବିଷୟରେ ତାହାଙ୍କର ଯତ୍ନ ନାହିଁ ।

୨ ।

ଏ ଗ୍ରନ୍ଥରେ ଟୀକା ନାହିଁ ।

୩ ।

ସେ ଯେଉଁ ପଦ୍ମ ଆଘ୍ରାଣ କଲେ, ସେଥିରେ ଭ୍ରମର ଥିଲା ।

୪ ।

ଆମ୍ଭ ପ୍ରତି ତାଙ୍କର ଦୟା ନାହିଁ ।

 

 

୫ ।

ଦେଶର ଉନ୍ନତି ନିମନ୍ତେ ତାଙ୍କର ଚେଷ୍ଟା ଅଛି ।

୬ ।

ହରିଶ୍ଚନ୍ଦ୍ର ସାଗରର ସହିତ ଧରାର ଏକମାତ୍ର ଈଶ୍ୱର ଥିଲେ ।

୭ ।

ଯେଉଁ ହୃଦୟ ସବୁବେଳେ ନିର୍ଭୟ, ଆଜି ସେ ହୃଦୟରେ ଭୟ ଜାତ ହେଲା ।

୮ ।

ବ୍ୟଞ୍ଜନରେ ଲବଣ ଦିଆ ଯାଇ ନାହିଁ ।

୯ ।

ପଲ୍ଲବ ସହିତ ପୁଷ୍ପ ଆହରଣ କର ।

୧୦ ।

ସେ ଆନନ୍ଦ ସହକାରେ ଏ କାର୍ଯ୍ୟ ସମ୍ପାଦନ କରିଥିଲେ ।

 

୪ । (କ) ଯେଉଁ ଦେଶରେ ରାଜା ନାହାନ୍ତି ସେ ଦେଶରେ ରହିବା ଉଚିତ ନୁହେ ।

(ଖ) ଅରାଜକ ଦେଶରେ ରହିବା ଉଚିତ ନୁହେ । ଉଲ୍ଲିଖିତ ଆଦର୍ଶର ଅନୁକରଣରେ ନିମ୍ନଲିଖିତ ବାକ୍ୟମାନ ସଂକ୍ଷିପ୍ତ କର ଲେଖ ।

 

୧ ।

ଆଜି ନିଶ୍ଚୟ ପୃଥିବୀରେ ପାଣ୍ଡବ ରହିବେ ନାହିଁ ।

୨ ।

ଯେଉଁ କବିତାରେ ରସ ନାହିଁ, ସେ କବିତା ନୁହେ ।

୩ ।

ଯେ ଲୋକର ବିଦ୍ୟା ନାହିଁ, ତାହାର ଜୀବନ ବିଫଳ ।

୪ ।

ଯାହାର ଧୈର୍ଯ୍ୟ ନାହିଁ, ସେ ସୁଖୀ ହୋଇ ନ ପାରେ ।

 

 

୫ ।

ଯେଉଁ ଲୋକର ପତ୍ନୀ ନାହିଁ, ସେ ଅପେକ୍ଷାକୃତ ନିଶ୍ଚିନ୍ତ ।

୬ ।

ଯେଉଁ ଲୋକର ବହୁ ପତ୍ନୀ, ତାହାର ବହୁ ଦୁଃଖ ।

୭ ।

ଯେଉଁ ଲୋକ ପ୍ରତିଷ୍ଠା ଲଭି ନାହିଁ, ତାହାର ମତ କେହି ଗ୍ରହଣ କରନ୍ତି ନାହିଁ ।

୮ ।

ଯେଉଁ ଲୋକର ମନ ଅସ୍ଥିର, ସେ କୌଣସି ବିଷୟରେ ପାରଙ୍ଗମ ହୁଏ ନାହିଁ ।

୯ ।

ଯାହାର ଲଜ୍ଜା ନାହିଁ, ସେ ସବୁ କରିପାରେ ।

୧୦ ।

ମାଧବାଚାର୍ଯ୍ୟ ଏପରି ପଣ୍ଡିତ ଥିଲେ ଯେ, ତାହାଙ୍କର ଦ୍ୱିତୀୟ କେହି ନ ଥିଲେ ।

 

୫ । କେବେ କେବେ ବହୁବ୍ରୀହି ସମାସ କ୍ରିୟାବିଶେଷଣ ରୂପେ ବ୍ୟବହୃତ ହୁଏ । ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କରେ ସେହିପରି କ୍ରିୟା ବିଶେଷଣ ଦେଇ ବାକ୍ୟ ପୂର୍ଣ୍ଣ କର ।

 

୧ ।

ସେ – ଦିନ ଯାପନ କଲେ ।

୨।

ତୁମ୍ଭେ – ସେ କାର୍ଯ୍ୟ କରି ପାରିବ ।

୩।

ସେ – ଉପକାର ସ୍ୱୀକାର କଲେ ।

୪ ।

ତୁମ୍ଭେ – ଯାଇ ପାରିବ ।

୫ ।

ଦମୟନ୍ତୀ ନଳଙ୍କୁ – ଦର୍ଶନ କଲେ ।

୬ ।

ଅନସୂୟା – କହିଲେ ।

୭।

ଦୂତ – ନିବେଦନ କଲା ।

 

୬ । ତତ୍‌ପୁରୁଷ ସମାନ ଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକର ହ୍ରସ୍ୱତା ସମ୍ପାଦନ କର ।

 

୧ ।

ସେ ରୋଗଦ୍ୱାରା ଗ୍ରସ୍ତ ହୋଇଅଛି ।

୨ ।

ତାହାଙ୍କର ସମ୍ପତ୍ତି ଲୋପକୁ ପ୍ରାପ୍ତ ହୋଇଅଛି ।

 

 

୩ ।

ପ୍ରହ୍ଲାଦଙ୍କ ତନୟ ବିରୋଚନ ଦାନବମାନଙ୍କର ଇନ୍ଦ୍ରଥିଲେ ।

୪ ।

ବିପ୍ରଙ୍କୁ ଯେଉଁ ସମ୍ପତ୍ତି ଦତ୍ତ ହୋଇଅଛି, ତାହା ଗ୍ରହଣ କରିବା ଅନୁଚିତ ।

୫ ।

ଅଶ୍ୱଙ୍କର ଖୁରା ଦ୍ୱାରା ଉତ୍‌ଥିତ ଧୂଳିଦ୍ୱାରା ଆକାଶ ବ୍ୟାପ୍ତ ହେଲା ।

୬ ।

ଦେବଙ୍କର ରାଜା ପ୍ରଜାପତିଙ୍କ ମୁଖରୁ ନିଃସୃତ ବାକ୍ୟ ଶୁଣି ଆନନ୍ଦିତ ହେଲେ ।

 

 

୭ ।

ବୀରମାନେ ଅଶ୍ୱରେ ଆରୂଢ଼ ହୋଇ ଯୁଦ୍ଧର କ୍ଷେତ୍ରକୁ ଗମନ କଲେ ।

୮ ।

ମଲହର ରାଓ ସିଂହାସନରୁ ଚ୍ୟୁତ ହେଲେ ।

୯ ।

ବିଦ୍ୟା ଧନଦ୍ୱାରା କ୍ରେୟ ନୁହେ ।

୧୦ ।

ରାବଣ ଦୁଷ୍କ୍ରିୟାରେ ରତ ଥିଲେ ।

 

୭ । ଅବ୍ୟୟୀଭାବ ସମାସଦ୍ୱାରା ନିମ୍ନଲିଖିତ ବାକ୍ୟଗୁଡ଼ିକୁ ରୂପାନ୍ତରିତ କର ।

 

୧ ।

ରଘୁଙ୍କର ରାଜ୍ୟ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

୨ ।

ସେ କ୍ଷଣକୁ କ୍ଷଣ ଆସି ମୋତେ ବିରକ୍ତ କରୁଅଛନ୍ତି ।

୩ ।

ମୁଁ ଘର ଘର କରି ବୁଲି ପାରିବି ନାହିଁ ।

 

 

୪ ।

ବର କନ୍ୟାର ରୂପର ଯୋଗ୍ୟ ଅଟେ ।

୫ ।

ମୋହର ଯେପରି ଶକ୍ତି ମୁଁ ତଦନୁସାରେ ଯୁଦ୍ଧ କରିବି ।

୬ ।

ତାହାଙ୍କର ଆଖି ସମୀପରେ ଏପରି ଘଟନା ଘଟିଥିଲା ।

୭ ।

ତାଙ୍କର ସ୍ନେହ ମୁଁ ମରଣ ପର୍ଯ୍ୟନ୍ତ ପାସୋରିବି ନାହିଁ ।

୮ ।

ସାବିତ୍ରୀଙ୍କର ନୟନ କର୍ଣ୍ଣ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

୯ ।

ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ ।

୧୦ ।

ସେତୁବନ୍ଧ ମଳୟ ପର୍ଯ୍ୟନ୍ତ ବିସ୍ତୃତ ।

 

ପଞ୍ଚମ ସାଧନୀ

ପ୍ରଥମ ଉଦାହରଣ (ସଂକ୍ଷେପଣ)

 

ଯାହାର ରୂପ ଅଛି, ଯାହାର ଗୁଣ ଅଛି ଏବଂ ଯାହାର ପ୍ରକୃତି ସରଳ, ଏପରି ଲୋକକୁ ସମସ୍ତେ ସ୍ନେହ କରନ୍ତି । ଯାହାର ରୂପ ଅଛି, ତଦ୍ଧିତ ପ୍ରତ୍ୟୟ ଦ୍ୱାରା ଏହା ସଂକ୍ଷିପ୍ତ ହୋଇ ‘ରୁପବାନ୍’ ହେଲା । ଏହା ବିଶେଷଣରେ ପରିଣତ ହୋଇପାରେ ।

 

ଯାହାର ଗୁଣ ଅଛି ସେହିପରି ‘ଗୁଣବାନ୍’ ହେଲା । ଏହା ମଧ୍ୟ ବିଶେଷଣରେ ପରିଣତ ହୋଇପାରେ ।

 

ଯାହାର ପ୍ରକୃତି ସରଳ, ଏହା ବହୁବ୍ରୀହି ସମାସରେ ସଂକ୍ଷିପ୍ତ ହୋଇ ‘ସରଳପ୍ରକୃତିକ’ ଏହି ବିଶେଷଣରେ ପରିଣତ ହୋଇପାରେ ।

 

ଅତଏବ ସମଗ୍ର ବାକ୍ୟଟି ସଂକ୍ଷିପ୍ତ ହୋଇ ନିମ୍ନ ଆକାର ଧାରଣ କଲା । ରୂପବାନ୍, ଗୁଣବାନ୍ ଏବଂ ସରଳପ୍ରକୃତିକ ଲୋକକୁ ସମସ୍ତେ ସ୍ନେହ କରନ୍ତି ।

 

ଦ୍ୱିତୀୟ ଉଦାହରଣ

 

ଯେ ବିଦ୍ୟା କରିଅଛନ୍ତି, ଯାହାଙ୍କର ବୁଦ୍ଧି ସ୍ଥିର ଏବଂ ଯେ ସତ୍ୟ ବଚନ କହନ୍ତି, ଏପରି ଲୋକ ସମସ୍ତଙ୍କର ଆଦରର ପାତ୍ର ହୁଅନ୍ତି ।

 

ଯେ ବିଦ୍ୟା କରିଅଛନ୍ତି = କୃତବିଦ୍ୟ (ବହୁବ୍ରୀହି ସମାସ)

ଯାହାଙ୍କର ବୁଦ୍ଧି ସ୍ଥିର ଅଟେ = ସ୍ଥିରବୁଦ୍ଧି (ବହୁବ୍ରୀହିସମାସ)

ଯେ ସତ୍ୟ ବଚନ କହନ୍ତି = ସତ୍ୟବାଦୀ ବା ସତ୍ୟବାକ୍ (କୃତ୍ ପ୍ରତ୍ୟୟ ବା ବହୁ)

ଅତଏବ ସମସ୍ତ ବାକ୍ୟଟି ସଂକ୍ଷିପ୍ତ ହୋଇ ଏହିପରି ହେବ । କୃତବିଦ୍ୟ, ସ୍ଥିରବୃଦ୍ଧି ଏବଂ ସତ୍ୟବାଦୀ ଲୋକ ସମସ୍ତଙ୍କର ଆଦରର ପାତ୍ର ହୁଅନ୍ତି ।

 

ତୃତୀୟ ଉଦାହରଣ

 

ଧନୁ ଧାରଣ କରିଥିଲେ ଯେ ରାମଚନ୍ଦ୍ର, ତାହାଙ୍କୁ ଦେଖି ଯେଉଁମାନେ ବନରେ ତପସ୍ୟା କରୁଥିଲେ, ସେମାନେ ଭୟ ତ୍ୟାଗ କଲେ ।

ଧନୁ ଧାରଣ କରିଥିଲେ ଯେ = ଧନୁର୍ଦ୍ଧର (କୃତ୍‌ପ୍ରତ୍ୟୟ)

ଯେଉଁମାନେ ବନରେ ତପସ୍ୟା କରୁଥିଲେ = ବନର ତପସ୍ୱୀମାନେ (ବହୁବ୍ରୀହି ସମାସ)

ଅତଏବ ସମସ୍ତ ବାକ୍ୟଟି ଏହିପରି ହେଲା –

‘ଧନୁର୍ଦ୍ଧର ରାମଚନ୍ଦ୍ରଙ୍କୁ ଦେଖି ବନର ତପସ୍ୱୀମାନେ ନିର୍ଭୟ ହେଲେ ।’

 

ଚତୁର୍ଥ ଉଦାହରଣ

 

ସେହି ସ୍ତ୍ରୀର ଅଧର ବିମ୍ବ ପରି ଥିଲା, ନୟନ କମଳ ପରି ଭୁଜ ମୃଣାଳ ପରି ଥିଲା ।

ଯାହାର ଅଧର ବିମ୍ବ ପରି = ବିମ୍ବାଧରୀ (ବହୁବ୍ରୀହ ସମାସ)

ଯାହାର ନୟନ କମଳ ପରି = କମଳନୟନା (ବହୁବ୍ରୀହ ସମାସ)

ଯାହାର ଭୁଜ ମୃଣାଳ ପରି = ମୃଣାଳଭୁଜା (ବହୁବ୍ରୀହ ସମାସ)

 

ଅତଏବ ସମସ୍ତ ବାକ୍ୟଟି ଏହି ହେଲା ଯେ, ‘ସେହି ସ୍ତ୍ରୀ ବିମ୍ବାଧରୀ, କମଳନୟନା ଏବଂ ମୃଣାଳଭୁଜା ଥିଲେ ।’

 

ପଞ୍ଚମ ଉଦାହରଣ

 

ପର୍ବତ ସମ୍ବନ୍ଧୀ ପ୍ରଦେଶରେ ତରୁ ଓ ଲତାର ଶୋଭା ଦେଖି କାହା ହୃଦୟ ପ୍ରୀତିରେ ପୂର୍ଣ୍ଣ ନ ହୁଏ ?

ପର୍ବତସମ୍ବନ୍ଧୀ = ପାର୍ବତ୍ୟ (ତଦ୍ଧିତପ୍ରତ୍ୟୟ)

ତରୁ ଓ ଲତାର = ତରୁଲତାର (ଦ୍ୱନ୍ଦ୍ୱ ସମାସ)

ପ୍ରୀତିରେ ପୂର୍ଣ୍ଣ = ପ୍ରୀତିପୂର୍ଣ୍ଣ (ତୃତୀୟା ତତ୍‌ପୁରୁଷ)

ଅତଏବ ସମଗ୍ର ବାକ୍ୟ ସଂକ୍ଷିପ୍ତ ହୋଇ ନିମ୍ନଲିଖିତ ଆକାର ଧାରଣ କଲା – ‘ପାର୍ବତ୍ୟ ପ୍ରଦେଶରେ ତରୁଲତାର ଶୋଭା ଦେଖି କାହାର ହୃଦୟ ପ୍ରୀତିପୂର୍ଣ୍ଣ ନ ହୁଏ ?’

 

ଷଷ୍ଠ ଉଦାହରଣ

 

ତାହାଙ୍କର ତ୍ୟାଗ କରିବାର ଇଚ୍ଛା ହେଲା ।

ତ୍ୟାଗ କରିବାର ଇଚ୍ଛା = ତିତିକ୍ଷା (ସନନ୍ତ)

ତାହାଙ୍କର ତ୍ୟାଗ କରିବାର ଇଚ୍ଛା ହେଲା = ସେ ତିତିକ୍ଷୁ ହେଲେ ।

ନିମ୍ନଲିଖିତ ବାକ୍ୟଗୁଡ଼ିକ ଉଲ୍ଲିଖିତ ଆଦର୍ଶ ଅନୁସାରେ ସଂକ୍ଷିପ୍ତ କର ।

 

୧ ।

ଶିବଙ୍କ ଚୂଡ଼ାରେ ଚନ୍ଦ୍ର ଅଛି ।

୨ ।

ଆଚାର୍ଯ୍ୟଙ୍କ ଚୂଡ଼ାର ମଣି ବୋପଦେବ ବ୍ୟାକରଣରୂପ ଅର୍ଣ୍ଣବର କର୍ଣ୍ଣ ଧାରଣ କରିଥିଲେ-

୩ ।

ଶରତ୍‌କାଳର ନିଶାର ଆକାଶରେ ଏତେ ନକ୍ଷତ୍ର ଦେଖାଯାନ୍ତି ଯେ, ସେମାନଙ୍କୁ ସଖ୍ୟା କରି ହେବ ନାହିଁ ।

୪ ।

ସେନାସଂବନ୍ଧୀ ଏତେ ଲୋକ ଆସିଲେ ଯେ, ସେମାନଙ୍କୁ ଗଣି ହେଲା ନାହିଁ ।

 

 

୫ ।

ସୁରମାନଙ୍କର ଈଶ୍ୱର ସ୍ମରଣ କରିବାରୁ ରତିଙ୍କର ପତି ପୁଷ୍ପର ଧନୁ ହସ୍ତରେ ଧରି ତାହାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ।

୬ ।

ଯଦିଚ ମୋହର ଧନୁ ପୁଷ୍ପରେ ନିର୍ମିତ, ତଥାପି ବସନ୍ତର ସହାୟତା ଲଭିଲେ, ଯେଉଁ ଶିବଙ୍କ ପାଣିରେ ପିନାକ ଅଛି, ତାଙ୍କର ସୁଦ୍ଧା ଧୈର୍ଯ୍ୟର ଲୋପ କରିପାରେ ।

 

 

୭ ।

ଋତୁମାନଙ୍କର ରାଜା ଯେ ବସନ୍ତ, ତାହାଙ୍କର ଆଗମନ ହେଲେ ଜଳରେ ପଦ୍ମ ହୁଏ, ବୃକ୍ଷମାନଙ୍କରେ ପୁଷ୍ପ ହୁଏ ଏବଂ ପବନ ସୁଗନ୍ଧଯୁକ୍ତ ହୁଏ ।

 

 

୮ ।

କାକ ଚକ୍ଷୁର ପ୍ରଭା ପରି ଯେଉଁ ଯମୁନା ଜଳର ପ୍ରଭା, ସେ ଜଳରେ ସ୍ନାନ କରି କିଏ ତୃପ୍ତ ନ ହେବ ?

 

 

୯ ।

ଦେଖ ଦେଖ, ଶ୍ୟାମଳ ବନଦ୍ୱାରା ବେଷ୍ଟିତ ଯେଉଁ ପମ୍ପାସର, ସେ କେମନ୍ତେ ସୁନ୍ଦର ଦିଶୁଅଛି ! ନୀଳ ମେଘମାନଙ୍କଦ୍ୱାରା ବେଷ୍ଟିତ ହେଲେ ଚନ୍ଦ୍ରଙ୍କର ବିମ୍ବ ଯେପରି ଶୋଭା ପାଏ, ଏହି ସରୋବର ସେହିପରି ଶୋଭା ପାଉଅଛି ।

 

 

୧୦ ।

ଏପରି ଅନେକ ଲୋକ ଅଛନ୍ତି ଯେ, ସେମାନଙ୍କର ଭାଗ୍ୟ ମନ୍ଦ, ସେମାନେ ଯୋଗ୍ୟ ଏହା ଦେଖାଇବା ନିମନ୍ତେ ମରଣ ପର୍ଯ୍ୟନ୍ତ ଅବକାଶ ପାନ୍ତି ନାହିଁ ।

 

 

୧୧ ।

ଯାହାର ତଳ ସ୍ପର୍ଶ ହୋଇ ନାହିଁ, ଏପରି ସାଗରର ଗର୍ଭରେ କେତେ ଉଜ୍ଜ୍ୱଳ ମୁକ୍ତା ରହିଅଛି । ଉଦ୍ଧାର କରିବା ଲୋକ ନ ଥିବାରୁ ସେମାନଙ୍କର ଆଦର ହେଉ ନାହିଁ । ଯେଉଁମାନଙ୍କର ଗୁଣ ଅଛି, ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କର ଦଶା ଏହିପରି ସିନା ।

 

 

୧୨ ।

ମୁଁ ହରିଦ୍ୱାରଠାରେ ଶୈଳରୁ ଅବତୀର୍ଣ୍ଣା ଜହ୍ନୁଙ୍କ କନ୍ୟାର ଜଳର କଲ୍ଲୋଳ ଶ୍ରବଣ କରିଅଛି ଏବଂ ଦଣ୍ଡକାରଣ୍ୟରେ ରାମ ଓ ସୀତାଙ୍କର ଚରଣ ଦର୍ଶନ କରିଅଛି ।

 

 

୧୩ ।

ଜନକ କନ୍ୟାଙ୍କ ହୃଦୟରୂପ ପଦ୍ମର ମିହିର ଏବଂ ବୀରମାନଙ୍କରେ ଶ୍ରେଷ୍ଠ ରାମ ରାକ୍ଷସମାନଙ୍କର ଅଧିପ ଲଙ୍କାର ଈଶ୍ୱରଙ୍କୁ ଯୁଦ୍ଧରେ ବଧ କରି ତାଙ୍କ ପଛରେ ଜାତ ହୋଇଥିବା ବିଭୀଷଣଙ୍କୁ ରାଜାର ଛତ୍ର ପ୍ରଦାନ କଲେ ।

 

 

୧୪ ।

ଯଦୁଙ୍କ କୁଳର ଅବତଂସ ଯେ ଶ୍ରୀକୃଷ୍ଣ, ସେ ପାଣ୍ଡୁଙ୍କ ପୁତ୍ରମାନଙ୍କ ସଖା ହୋଇ ଧୃତରାଷ୍ଟ୍ରଙ୍କ ପୁତ୍ରର କୁଚକ୍ରରୁ ସେମାନଙ୍କୁ ଉଦ୍ଧାର କରିଥିଲେ ।

 

 

୧୫ ।

ପର୍ବତମାନଙ୍କ ରାଜାର ଦୁହିତା ବସନ୍ତ ପୁଷ୍ପର ଆଭରଣରେ ସଜ୍ଜିତ ହୋଇ ହିମାଳୟର ଶୃଙ୍ଗକୁ ଗଲେ ।

 

ଅନୁଶୀଳନୀ

 

୧ ।

ଯେ ‘ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ’ ତିନିଭୁବନର ଅଧୀଶ୍ୱର ଏବଂ ଯେ ବୈକୁଣ୍ଠର ଅଧିପତି, ସେ ଆପଣଙ୍କୁ ରକ୍ଷା କରନ୍ତୁ ।

୨ ।

ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ସେ ମୋତେ ନିରୀକ୍ଷଣ କରିଥିଲେ ।

୩ ।

ଯେ ଜୀର୍ଣ୍ଣବସ୍ତ୍ର ପରିଧାନ କରିଥିଲେ, ସେହି ସନ୍ନ୍ୟାସୀଙ୍କୁ ଦେଖିଲା ଦିନୁ ତାଙ୍କର ଏପରି ପରିବର୍ତ୍ତନ ହୋଇଅଛି ।

୪ ।

ସେ ଏପରି ଗୋଟିଏ ଫଳ ଭକ୍ଷଣ କଲେ, ଯାହାର ଆସ୍ୱାଦନ ପୂର୍ବେ କେବେ କରି ନ ଥିଲେ ।

 

 

୫ ।

କୌଣସି ବିଷୟ ବିମର୍ଶ ବା ବିଚାର ନ କରି ଯେ କରନ୍ତି, ତାଙ୍କର ପରିଣାମ ଏହିପରି ହୁଏ ।

୬ ।

କଣ କରିବା କର୍ତ୍ତବ୍ୟ, ତାହା ନିରୂପଣ କରିବାରେ ସେ ଅକ୍ଷମ ହୋଇଥିଲେ ।

୭ ।

ସେ ଶିଷ୍ୟମାନଙ୍କୁ ପୁତ୍ରଠାରୁ କୌଣସି ଭେଦ ବା ବିଶେଷ ନ ରଖି ସ୍ନେହ କରୁଥିଲେ ।

୮।

ଯହିଁର କର ଦେବାକୁ ହୁଏ ନାହିଁ, ଏପରି ଅନେକ ଭୂମି ଥିବାରୁ ତାଙ୍କର କୌଣସି ଚିନ୍ତା ନ ଥିଲା ।

 

 

୯ ।

ପରର ଅନ୍ନରେ ଯେ ଜୀବନ ଧାରଣ କରେ, ସେ କେବେ ସୁଖ ଓ ଶାନ୍ତିରେ କାଳ ଯାପନ କରି ପାରେ କି ?

୧୦ ।

ଅନ୍ୟ ଆଡ଼େ ତାଙ୍କର ମନ ଥିବାରୁ ମୋହର ସମସ୍ତ କଥା ଶ୍ରୁତିର ଗୋଚର ହୋଇ ନାହିଁ-

୧୧।

ଚିର କାଳରୁ ଯାହାକୁ ବାଞ୍ଛା କରୁଥିଲେ, ଏପରି ଫଳ ଲାଭ କରି ସେ ଆପଣାକୁ କୃତାର୍ଥ ମନେ କରିଥିଲେ ।

୧୨।

ସେ ଦେବୀ ମନ୍ଦିରପ୍ରାୟ ମୋହ ପ୍ରାଣରେ ସତତ ବାସ କରନ୍ତି ।

 

 

୧୩।

ଅଶୋକଙ୍କର ଯଶଃ ଏବଂ ପ୍ରତାପ ଦିଗମାନଙ୍କର ଅନ୍ତଯାଏ ବିସ୍ତାରିତ ଥିଲା ।

୧୪।

ଆପଣା ଉପରେ ନିର୍ଭର କରିବା ଯାହାର ଅଭ୍ୟାସ, ସେ ବ୍ୟକ୍ତିର ଉନ୍ନତି ଅବଶ୍ୟ ହେବ ।

୧୫।

ଆଳସ୍ୟ ଯେଉଁମାନଙ୍କର ପ୍ରଧାନ ଅୟନ ବା ଆସକ୍ତି ସ୍ଥାନ, ସେମାନେ ସର୍ବଦା ପରର ମୁଖକୁ ଅପେକ୍ଷା କରି ବସିଥାନ୍ତି ।

 

ତୃତୀୟ ଅଧ୍ୟାୟ

ସୂକ୍ଷ୍ମ ପ୍ରୟୋଗ

ଅସଭ୍ୟାବସ୍ଥାରେ ମନୁଷ୍ୟଜାତିର ଦୃଷ୍ଟି ପ୍ରଧାନତଃ ଜଡ଼ ସଂସାର ପ୍ରତି ଆବଦ୍ଧ ଥିଲା । ପ୍ରାୟ ପ୍ରତ୍ୟେକ ଅସଭ୍ୟ ଭାଷାରେ ଜଡ଼ ପଦାର୍ଥମାନଙ୍କ ନାମ ଅଛି । ମାତ୍ର ଯେଉଁ ଭାଷା ଯେଉଁ ପରିମାଣରେ ଅନୁନ୍ନତ, ସେହି ଭାଷାରେ ଜଡ଼ପଦାର୍ଥର ନାମ ଦେଇ ସେହି ନାମ ବ୍ୟବହାର କରିବାକୁ ଲାଗିଲେ । କ୍ରମଶଃ ସେମାନଙ୍କର ସଭ୍ୟତା, ବହୁଦର୍ଶିତା ଓ ବିଚାର ଶକ୍ତି ଯେପରି ବଢ଼ିବାକୁ ଲାଗିଲା, ନୂତନ ଭାବ ଓ ନୂତନ ପଦାର୍ଥ ନାମ ଦେବାର ଆବଶ୍ୟକତା ବୁଝି ପାରିଲେ । ସୁତରାଂ କ୍ରମଶଃ ନୂତନ ଶବ୍ଦମାନ ସର୍ଜନ କରି ମନର ଭାବ ବ୍ୟକ୍ତ କଲେ । ନୂତନ ଶବ୍ଦର ସର୍ଜନା କଲାବେଳେ, ଯେଉଁ ପଦାର୍ଥର ନାମ ଦେବା ଆବଶ୍ୟକ ଦେଖିଲେ, ପୂର୍ବରୁ ଅଖ୍ୟାତ କୌଣସି ସ୍ଥୂଳ ପଦାର୍ଥ ସଙ୍ଗରେ ତାହାର କେତେକ ଅଂଶରେ ସାଦୃଶ୍ୟ ଦେଖି ସେହି ନୂତନ ପଦାର୍ଥର ମଧ୍ୟ ସେହି ନାମ ଦେଲେ । ଉଦାହରଣ ସ୍ୱରୂପ ନିମ୍ନରେ ଏ ବିଷୟରେ କେତେଗୁଡ଼ିଏ ଦୃଷ୍ଟାନ୍ତ ପ୍ରଦର୍ଶିତ ହେଉଅଛି ।

 

ଅସଭ୍ୟାବସ୍ଥାରେ କେବଳ ଯୁଦ୍ଧରେ ଲୋକେ ପ୍ରସ୍ତର ବ୍ୟବହାର କରୁଥିଲେ । ଶତ୍ରୁର ହସ୍ତନିକ୍ଷିପ୍ତ ପ୍ରସ୍ତର ଆସି ଉପରେ ପଡ଼େ । ତାହାଦ୍ୱାରା ଶରୀର ଆହତ ହୁଏ ଏବଂ ମୃତ୍ୟୁ ହୁଏ । ପ୍ରସ୍ତରପତନ ବ୍ୟତୀତ ଅନ୍ୟ ପ୍ରକାର ଅନିଷ୍ଟ ଦେଖି ସେହି ପ୍ରସ୍ତରପତନ ସଙ୍ଗେ ଅନିଷ୍ଟମାନଙ୍କର ସାଦୃଶ୍ୟ ଦେଖି ‘ଆପତ୍‌’ ବୋଲି ଗୋଟିଏ ନୂତନ ଶବ୍ଦ ସର୍ଜନା କଲେ । ଆପତ୍‌ ଶବ୍ଦର ପ୍ରକୃତ ଅର୍ଥ ଯାହା ଉପରେ ପଡ଼େ । ମାତ୍ର ସେହି ପ୍ରକୃତ ଅର୍ଥ କାଳକ୍ରମରେ ଲୁପ୍ତ ହୋଇ ଅନିଷ୍ଟକର ଘଟନାମାତ୍ରର ନାମ ଆପତ୍‌ ହୋଇଅଛି ।

 

ଅସଭ୍ୟାବସ୍ଥାରେ ଲୋକେ ସନ୍ତରଣଦ୍ୱାରା ନଦୀ ପାରି ହେଉଥିଲେ । କ୍ରମଶଃ ଆପଦରୁ ମୁକ୍ତି ଲଭିବା ଏବଂ ସନ୍ତରଣ ଦ୍ୱାରା ନଦୀ ପାରି ହେବା ଏ ଉଭୟ କଥାର ଆଂଶିକ ସାମ୍ୟ ଦେଖି ‘ଅମୁକ ଲୋକ ଆପଦରୁ ଉତ୍ତୀର୍ଣ୍ଣ ହେଲେ’ ଉତ୍ତରଣର ଏପ୍ରକାର ପ୍ରୟୋଗ ନୂତନ ଆରମ୍ଭ କଲେ । ସେ ଆପଦ ଉତ୍ତୀର୍ଣ୍ଣ ହେଲେ, ଏହି ବାକ୍ୟର ପ୍ରକୃତ ଅର୍ଥ ସେ ଆପଦକୁ ପହଁରି ପାରି ହୋଇଗଲେ-। ଫଳତଃ ‘ସେ ଆପଦ ଉତ୍ତୀର୍ଣ୍ଣ ହେଲେ’ ଏହି ବାକ୍ୟ ମଧ୍ୟରେ ଉପମା ପ୍ରଚ୍ଛନ୍ନଭାବରେ ଅଛି । ସେ ଉପମାଟି ଏହି-ଆପଦ ନଦୀ ପରି, ଲୋକେ କଷ୍ଟସୁଷ୍ଟରେ ଯେପରି ନଦୀ ପାରି ହୁଅନ୍ତି ସେ ସେହିପରି ଆପଦକୁ ଅତିକ୍ରମ କଲେ ।

 

ଶରୀର ଶବ୍ଦ ପ୍ରଥମରେ ନଦୀ, ସରୋବର ପ୍ରଭୃତିରେ ବିଶେଷରୂପେ ପ୍ରଯୁକ୍ତ ହେଉଥିଲା-। ଏହିପରି ଅନେକ ଲୋକ ଅଛନ୍ତି ଯେ ସେମାନଙ୍କ ମନରେ କଣ ଅଛି ତାହା ଜାଣିବା କଠିନ । ନଦୀ ଗଭୀର ହେଲେ ତାହା ଗର୍ଭରେ କଣ ଅଛି ଜାଣିବା କଠିନ । ସୁତରାଂ ଲୋକେ ଯେଉଁ ଗଭୀର ଶବ୍ଦକୁ ନଦୀପ୍ରତି ପ୍ରୟୋଗ କରୁଥିଲେ, ପ୍ରୟୋଜନବଶତଃ ସେହି ଶବ୍ଦକୁ ପୁଣି ମନୁଷ୍ୟର ମନପ୍ରତି ପ୍ରୟୋଗ କରିବାକୁ ଆରମ୍ଭ କଲେ ।

 

ସମାଜର ଆଦିମ ଅବସ୍ଥାରେ ‘ତୀକ୍ଷ୍ମ’ ଏହି ଶବ୍ଦଟି ଅସ୍ତ୍ର ପ୍ରତି ପ୍ରଯୁକ୍ତ ହେଉଥିଲା । ଏପରି ଅନେକ ଲୋକ ଅଛନ୍ତି ସେମାନଙ୍କ ବୁଦ୍ଧି ଅତି ଉତ୍ତମ, ଯେଉଁ କାର୍ଯ୍ୟରେ ଲାଗନ୍ତି ସେ କାର୍ଯ୍ୟ ଉତ୍ତମରୂପେ ସିଦ୍ଧ କରନ୍ତି । ସୁତରାଂ ଯେଉଁ ତୀକ୍ଷ୍ମ ଶବ୍ଦ ପୂର୍ବରେ କେବଳ ଅସ୍ତ୍ର ପ୍ରତି ପ୍ରଯୁକ୍ତ ହେଉଥିଲା, ପ୍ରୟୋଜନ ବଶତଃ ସେହି ଶବ୍ଦ ପୁଣି ବୁଦ୍ଧିପ୍ରତି ପ୍ରଯୁକ୍ତ ହେଲା ।

 

ମୂଳ ଶବ୍ଦ ପ୍ରଥମତଃ ବୃକ୍ଷର ମୂଳପ୍ରତି ପ୍ରଯୁକ୍ତ ହେଉଥିଲା । ମୂଳ ନ ଥିଲେ ବୃକ୍ଷ ଜାତ ହୁଏ ନାହିଁ । ଲୋକେ ଏହା ଜଡ଼ ଜଗତର କାର୍ଯ୍ୟ ଦେଖି ଆଗହୁଁ ଜାଣିଥିଲେ । କୌଣସି ଲୋକର ଯତ୍ନଦ୍ୱାରା ଗୋଟିଏ କାର୍ଯ୍ୟ ସିଦ୍ଧ ହେବାର ଦେଖିଲେ ମୂଳ ନ ଥିଲେ ବୃକ୍ଷ କାହୁଁ ଆସନ୍ତା ? ସେହିପରି ଏ ଲୋକ ନ ଥିଲେ ଏ କାର୍ଯ୍ୟ କିଏ କରନ୍ତା ? ମନ ମଧ୍ୟରେ ଏହି ବିତର୍କ କରି ‘‘ସେ ଏହି କାର୍ଯ୍ୟର ମୂଳ’’ ଏହି ପ୍ରୟୋଗ ଆରମ୍ଭ କଲେ ।

 

ଫଳ ଶବ୍ଦ ବୋଧ ହୁଏ ପ୍ରଥମରେ ବୃକ୍ଷର ଫଳ ପ୍ରତି ପ୍ରଯୁକ୍ତ ହେଉଥିଲା । ଲୋକେ ଯେତେବେଳେ ଧାତୁ ବ୍ୟବହାର କରିବାକୁ ଶିଖିଲେ, ସେ ଶବ୍ଦ ପୁଣି ବଣର ଫଳପ୍ରତି ପ୍ରଯୁକ୍ତ ହେଲା । ସେଥିରେ ପୁଣି କାର୍ଯ୍ୟର ଫଳ ପ୍ରତି ପ୍ରଯୁକ୍ତ ହେଲା । ଉଦ୍ଧାର ଏହି ଶଠବ୍ଦର ଅର୍ଥ ବିଚାରି ଦେଖ, ଏହି ଶବ୍ଦର ପ୍ରକୃତ ଅର୍ଥ ଉଠାଇବା, ଏହି ଶବ୍ଦର ଆଦିମ ପ୍ରୟୋଗ ଏହି ଅର୍ଥରେ ହେଉଥିଲା-। ପଙ୍କୋଦ୍ଧାର ଏହା ଗୋଟିଏ ସେହି ପ୍ରୟୋଗର ଦୃଷ୍ଟାନ୍ତ । ଫଳତଃ ଏହି ଶବ୍ଦ ପ୍ରଥମରେ ନଦୀ ପୁଷ୍କରିଣୀଠାରେ ପ୍ରୟୋଗ ହେଉଥିଲା । ପଛକୁ ପୁଣି ପ୍ରୟୋଜନ ବଶତଃ ଆପଦ ପ୍ରତି ପ୍ରୟୋଗ ହେଲା । ‘ଆପଦରୁ ତାହାକୁ ଉଦ୍ଧାର କର’ ଏହାର ପ୍ରକୃତ ଅର୍ଥ ଏହି ଯେ-ନଦୀରେ କେହି ପଡ଼ିଗଲେ ତାହାକୁ ଯେପରି ଉଠାନ୍ତି, ସେହି ଲୋକକୁ ଆପଦରୁ ସେହିପରି ବଞ୍ଚାଅ ।

 

ଉଲ୍ଲିଖିତ ଉଦାହରଣମାନଙ୍କରୁ ସ୍ପଷ୍ଟ ପ୍ରତୀତ ହେଲା, ଯେଉଁ ଶବ୍ଦମାନ ପୂର୍ବରେ କେବଳ ଜଡ଼ପଦାର୍ଥ ପ୍ରତି ପ୍ରଯୁକ୍ତ ହେଉଥିଲା, ସେହି ଶବ୍ଦମାନ ପୁଣି ପ୍ରୟୋଜନବଶରୁ ସେହି ଜଡ଼ପଦାର୍ଥର ଆଂଶିକ ସମାନ ଅନ୍ୟ କୌଣସି ପଦାର୍ଥ ପ୍ରତି ପ୍ରଯୁକ୍ତ ହେବାର ଆରମ୍ଭ ହୋଇଅଛି । ପ୍ରତ୍ୟେକ ଭାଷାର ଏପରି ପ୍ରୟୋଗରେ ସହସ୍ର ସହସ୍ର ଉଦାହରଣ ଅଛି । ଯେଉଁ ଭାଷା ଯେଉଁ ପରିମାଣରେ ଉନ୍ନତ, ସେହି ଭାଷାରେ ଏପରି ଶବ୍ଦର ପ୍ରାଚୁର୍ଯ୍ୟସେ ପରିମାଣରେ ଲକ୍ଷିତ ହୁଏ ।

 

ଏହିପ୍ରକାର ପ୍ରୟୋଗକୁ ସୂକ୍ଷ୍ମ ପ୍ରୟୋଗ ବୋଲାଯାଏ । ଉତ୍କଳଭାଷାରେ ଏପରି ପ୍ରୟୋଗ ଅନେକ ଦେଖାଯାଏ । ଛାତ୍ରମାନଙ୍କର ଏପରି ପ୍ରୟୋଗରେ ଅଭ୍ୟାସ ଜନ୍ମାଇବା ନିମନ୍ତେ ନିମ୍ନରେ କେତେଗୁଡ଼ିଏ, ସାଧନୀ ପ୍ରଦତ୍ତ ହେଲା । ପ୍ରତ୍ୟେକ ସାଧନୀ ମୂଳରେ ଗୋଟିଏ ଯୋଡ଼ିଏ ଆଦର୍ଶ ମଧ୍ୟ ଦିଆଗଲା । ଶିକ୍ଷକମାନେ ସେହି ଆଦର୍ଶ ଅନୁକରଣରେ ଛାତ୍ରମାନଙ୍କୁ ବାକ୍ୟ ରଚନା କରିବାକୁ କହିବେ ଏବଂ ଛାତ୍ରମାନେ ବାକ୍ୟ ରଚନା କଲେ ସେମାନଙ୍କର ଭ୍ରମ ସଂଶୋଧନ କରିଦେବେ । ଏଭଳି ପ୍ରୟୋଗରେ ଛାତ୍ରମାନଙ୍କର ଅଭ୍ୟାସ ଜନ୍ମାଇ ପାରିଲେ ଭାଷାରେ ସେମାନଙ୍କର ସଂସ୍କାର ଦୃଢ଼ ହେବାର ସମ୍ଭାବନା ।

 

ପ୍ରଥମ ସାଧନୀ

ବିଶେଷ୍ୟ

 

୧। ଆଦିମ ପ୍ରୟୋଗ-ସେ ଶଯ୍ୟାରେ ଶୟନ କରିଅଛନ୍ତି ।

ସୂକ୍ଷ୍ମପ୍ରୟୋଗ-ନଦୀଶଯ୍ୟାରେ ଅନେକ ବାଲୁକା ଥାଏ ।

୨। ଆଦିମ ପ୍ରୟୋଗ-ବୃକ୍ଷର ଶଖା କମ୍ପିତ ହେଉଅଛି ।

ସୂକ୍ଷ୍ମ ପ୍ରୟୋଗ-ଭାଗୀରଥୀ ଗଙ୍ଗାର ଗୋଟିଏ ଶାଖା ।

 

ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଆଦିମ ପ୍ରୟୋଗବିଶିଷ୍ଟ ଯୋଡ଼ିଏ ବାକ୍ୟ ରଚନା କର ।

କଣ୍ଟା, ପତ୍ର, ପଦ, ମୁଖ, ପୃଷ୍ଠ, କଣ୍ଠ, ଦନ୍ତ, ଚକ୍ର, ଜାଲ, ପାର୍ଶ୍ୱ, ପଥ, କଳଙ୍କ, ରସ, ସୋପାନ, ତୃଷା, ଶୂଦ୍ର, ଅନ୍ନ, ପାଶ, ଶିର, ଗର୍ତ୍ତ, ବ୍ୟୟ, ରଙ୍ଗ, ଅଗାଡ଼ି, ତ୍ରୁଟି, ବେଣା, ଶୂଳ, ଦାହ, ନିତମ୍ୱ, ଦିଗ, ଶୃଙ୍ଗ, ବୀଜ, ପକ୍ଷ, ଗତି, ବକ୍ଷ, ସ୍ୱାଦ, ରୁଚି, ମର୍ମ, କ୍ଷୀର, ମୂଳ, ପାର, ମାର୍ଜ୍ଜନ, କ୍ଷାଳନ-

 

ଦ୍ୱିତୀୟ ସାଧନୀ

ବିଶେଷଣ

 

୧। ଆଦିମ ପ୍ରୟୋଗ-ଜଳ ତରଳ ଅଟେ ।

ସୂକ୍ଷ୍ମ ପ୍ରୟୋଗ-ତାହାଙ୍କର ମତି ତରଳ ଅଟେ ।

୨। ଆଦିମ ପ୍ରୟୋଗ-ଶାଳ ବୃକ୍ଷ ସରଳ ଅଟେ ।

ସୂକ୍ଷ୍ମ ପ୍ରୟୋଗ-ରାମଚନ୍ଦ୍ରଙ୍କର ପ୍ରକୃତି ସରଳ ଅଟେ ।

 

ଗୋଟିଏ ଗୋଟିଏ ବାକ୍ୟରେ ନିମ୍ନଲିଖିତ ବିଶେଷଣମାନଙ୍କର ଆଦିମ ଓ ସୂକ୍ଷ୍ମ ପ୍ରୟୋଗ ପ୍ରଦର୍ଶନ କର ।

ଧୀର, ଚଞ୍ଚଳ, ଗଣ୍ଡ, ବ୍ୟସ୍ତ, ବ୍ୟଗ୍ର, ଉଗ୍ର, ଗୁରୁ, ଲଘୁ, ନିର୍ମଳ, ନିସ୍ତେଜ, ତୀକ୍ଷ୍‌ଣ, ସୂକ୍ଷ୍ମ, ଅସ୍ଥିର, ଉଜ୍ଜ୍ୱଳ, କ୍ଷୁଦ୍ର, କଠିନ, କୋମଳ, ସଫଳ, ସ୍ଥୂଳ, ଗଭୀର, ନୀରସ, ଅବଶ, ଶୁଷ୍କ, ଶୀତଳ, ଉଚ୍ଚ, ଦନ୍ତୁର, ତପ୍ତ, ଆର୍ଦ୍ର, କ୍ଷିପ୍ତ, ଭୂଷିତ, ମୂଢ଼, ପ୍ରସନ୍ନ, ଅଗାଧ, ଧନୁର୍ଦ୍ଧର, ଦୀର୍ଘ, ଅନର୍ଗଳ, ଆନ୍ଦୋଳିତ, ଅବ୍ୟାହତ, ଅକ୍ଷତ, ପ୍ରଫୁଲ୍ଲ, ଅନ୍ଧ ।

 

ତୃତୀୟ ସାଧନୀ

କ୍ରିୟା

 

୧। ଆଦିମ ପ୍ରୟୋଗ-ସେ ଘଟ ଭାଙ୍ଗିଦେଲେ ।

ସୂକ୍ଷ୍ମ ପ୍ରୟୋଗ-ତାହାଙ୍କ ନିଦ ଭାଙ୍ଗିଗଲା ।

 

ଏହି ଆଦର୍ଶର ଅନୁକରଣରେ ନିମ୍ନଲିଖିତ କ୍ରିୟାମାନଙ୍କର ଉଭୟ ପ୍ରକାର ପ୍ରୟୋଗ ଦେଖାଇ ବାକ୍ୟ ରଚନା କର ।

ଉଠିବା, ମନ୍ଥିବା, ଗଡ଼ିବା, ରଖିବା, ମାରିବା, ଟାଣିବା, ପଡ଼ିବା, ପାଳିବା, ଛେଦିବା, ବାନ୍ଧିବା, ବୁଡ଼ିବା, ରହିବା, ଭାସିବା, ଉଛୁଳିବା, ରଚିବା, ବସିବା, ଭଜିବା, ନୋଇଁବା, ପାନ, ଗ୍ରହଣ, ଧାରଣ, ଆଦାନ, ପ୍ରଦାନ, କର୍ଷଣ ।

 

ଚତୁର୍ଥ ସାଧନୀ

ପ୍ରତିଶବ୍‌ଦ

 

ପ୍ରତିଶବ୍ଦର ପ୍ରକୃତ ବ୍ୟବହାର ନ ଜାଣିଲେ ରଚନାର ଅନେକ ଦୋଷ ହେବାର ସମ୍ଭାବନା-। ଯଦିଚ ଏ ପଦାର୍ଥର ଅନେକ ନାମ ଅଛି, ତଥାପି ସେ ସମସ୍ତ ନାମର ଅର୍ଥରେ ଯେ କିଛିହିଁ ଭେଦ ନାହିଁ ଏପରି ବୋଧ ହେଉ ନାହିଁ । ଭାରତବର୍ଷର ଅଧିକାଂଶ ଗ୍ରନ୍ଥକାର ପ୍ରତିଶବ୍ଦ ବ୍ୟବହାର ବିଷୟରେ ସାବଧାନ ହୋଇ ନାହାନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିଶବ୍ଦରେ ସୂକ୍ଷ୍ମ ଭେଦ ଶିଖାଇବାପାଇଁ କୌଣସି ଗ୍ରନ୍ଥ ଏ ଦେଶରେ ନାହିଁ । ତେଣୁ ଏ ବିଷୟରେ ଗୋଟିଏ ମହାତ୍ରୁଟି ଅଛି । ଶିକ୍ଷକମାନେ ସୁଦ୍ଧା ଶିକ୍ଷା ଦେବାବେଳେ ପ୍ରତିଶବ୍ଦମାନଙ୍କର ଅର୍ଥଗତ ସୂକ୍ଷ୍ମ ପ୍ରଭେଦ ବୁଝାଇ ଦିଅନ୍ତି ନାହିଁ । ଛାତ୍ରମାନେ ମଧୁର ଶବ୍ଦର ଅର୍ଥ ପଚାରିଲେ ଶିକ୍ଷକ ମଧୁର ଶବ୍ଦର ଅର୍ଥ ‘ମିଷ୍ଟ’ କହିଦେଲେ । ଯଦିଚ ମଧୁର ଓ ମିଷ୍ଟ ଏ ଦୁହେଁ ପ୍ରତିଶବ୍ଦ, ତଥାପି ଏ ଦ୍ୱୟର ବ୍ୟବହାରଗତ ପ୍ରଭେଦ ଦେଖାଯାଏ । ନଳଙ୍କର ଆକୃତି ଅତ୍ୟନ୍ତ ‘ମିଷ୍ଟ’ ଥିଲା, କେହି ଏପରି ପ୍ରୟୋଗ କରିବେ ନାହିଁ । ଛାତ୍ରମାନଙ୍କୁ କୌଣସି ଶବ୍ଦର ପ୍ରତିଶବ୍ଦ କହି ସେମାନଙ୍କର ବ୍ୟବହାରଗତ ପ୍ରଭେଦ ଦେଖାଇଦେବା ଉଚିତ । ସମୀରଣ ଓ ପ୍ରଭଞ୍ଜନ ଏ ଉଭୟର ଅର୍ଥ ପବନ, ତଥାପି ଏ ଦୁଇ ପ୍ରତିଶବ୍ଦର ଅର୍ଥରେ ସୂକ୍ଷ୍ମପ୍ରଭେଦ ଅଛି । ଉଭୟ ଶବ୍ଦର ଧାତ୍ୱର୍ଥ ଘେନି ବିଚାର କଲେ ସେହି ପ୍ରଭେଦ ସ୍ପଷ୍ଟ ଅନୁଭୂତ ହେବ । ସମୀରଣ ଶବ୍ଦର ପ୍ରକୃତ ଅର୍ଥ-ଯେ ପ୍ରେରଣ କରେ ବା ଆଲୋକିତ କରେ; ପ୍ରଭଞ୍ଜନ-ଯାହା ଭାଙ୍ଗିପକାଏ । ସୁତରାଂ ମୃଦୁ ପବନ ବର୍ଣ୍ଣନ ସ୍ଥଳରେ ସମୀରଣ ଏବଂ ଉଦ୍ଧତ ପବନ ବର୍ଣ୍ଣନାସ୍ଥଳରେ ପ୍ରଭଞ୍ଜନ ବ୍ୟବହାର କରିବା ସୁସଙ୍ଗତ । ଧୀର ପ୍ରଭଞ୍ଜନ ଏପରି ପ୍ରୟୋଗ ଯେ ଅଶୁଦ୍ଧ ହେବ ତା ନୁହେଁ, ମାତ୍ର ଧୀର ସମୀରଣ ଅଧିକ ସଙ୍ଗତ ହେବ । ଉତ୍କୃଷ୍ଟ ଗ୍ରନ୍ଥକାରଙ୍କ ରଚନାରେ ‘ଧୀର ପ୍ରଭଞ୍ଜନ’ ଏପରି ପ୍ରୟୋଗ ବିରଳ ଲକ୍ଷିତ ହୁଏ ।

 

ଏହି ଅଧ୍ୟାୟରେ କେତେକ ପ୍ରତିଶବ୍ଦର ଯେଉଁ ସୂକ୍ଷ୍ମ ପ୍ରଭେଦ ପ୍ରଦର୍ଶିତ ହେଉଅଛି, ତାହା ଯେ ସମ୍ପୂର୍ଣ୍ଣ ଅଭ୍ରାନ୍ତ ଆମ୍ଭେମାନେ ସାହସପୂର୍ବକ ଏହା କହି ନ ପାରୁ । କେବଳ ସେମାନଙ୍କର ବ୍ୟବହାରଗତ ପ୍ରଭେଦ ଯେପରି ଦେଖିଅଛୁଁ ସେହି ପ୍ରଭେଦ ଅନୁସାରେ ଲେଖିଲୁଁ । କୌଣସି କୌଣସି ସ୍ଥାନରେ ଆମ୍ଭମାନଙ୍କ ମତର ସମ୍ପୂର୍ଣ୍ଣ ବିରୋଧୀ ଦୃଷ୍ଟାନ୍ତ ସୁଦ୍ଧା ପ୍ରଦର୍ଶିତ ହୋଇପାରେ । ଫଳତଃ ଚିନ୍ତାର ଗୋଟିଏ ନୂତନ ମାର୍ଗ ପ୍ରଦର୍ଶନ କରିବା ଆମ୍ଭମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଶିକ୍ଷକ ମହାଶୟମାନେ ଏ ବିଷୟମାନ ଉତ୍ତମରୂପେ ଆଲୋଚନା କଲେ ଏବଂ ଛାତ୍ରମାନଙ୍କୁ ପ୍ରତିଶବ୍ଦଗତ ପ୍ରଭେଦ ବୁଝାଇଦେବାକୁ ସଯତ୍ନ ହେଲେ ଭାଷାଶିକ୍ଷାରେ ଅନେକ ସାହାଯ୍ୟ ହେବ ।

 

ଏହି ଅଧ୍ୟାୟର ଶେଷରେ କେତେଗୁଡ଼ିଏ ଖଣ୍ଡବାକ୍ୟ ପ୍ରଦତ୍ତ ହୋଇଛି । ଛାତ୍ରମାନେ ବକ୍ଷ୍ୟମାଣ ବାକ୍ୟସମୂହର ଶୂନ୍ୟସ୍ଥାନମାନଙ୍କରେ ଉପଯୁକ୍ତ ଶବ୍ଦ ବ୍ୟବହାର କରି ବାକ୍ୟ ପୂର୍ଣ୍ଣ କରିବେ । ଶିକ୍ଷକମାନେ କେବଳ ବାକ୍ୟ କେତୋଟି ପ୍ରତି ଆବଦ୍ଧ ହେବେ ନାହିଁ । ସେହିବାକ୍ୟଗୁଡ଼ିକୁ ଆଦର୍ଶ କରି ତଦନୁସାରେ ଅନ୍ୟ ବାକ୍ୟ ପୂର୍ଣ୍ଣ କରିବାକୁ କହିବେ ଓ ଅସାଧୁ ପ୍ରୟୋଗବିଶିଷ୍ଟ ବାକ୍ୟ ରଚନା କରି ଛାତ୍ରମାନଙ୍କୁ ତାହା ସଂଶୋଧନ କରିବାକୁ କହିବେ ।

 

ଛାତ୍ରମାନେ ଯେଉଁଗ୍ରନ୍ଥ ପାଠ୍ୟପୁସ୍ତକରୂପେ ବ୍ୟବହାର କରୁଥିବେ, ସେହି ଗ୍ରନ୍ଥ ମଧ୍ୟରେ ଯେଉଁ ସ୍ଥଳରେ ଏପରି ପ୍ରୟୋଗ ଲକ୍ଷିତ ହେବ, ସେହି ପ୍ରୟୋଗ ସାଧୁ ହୋଇଥିଲେ ତାହାକୁ ସମର୍ଥନ କରିବା ନିମନ୍ତେ ଶିକ୍ଷକଙ୍କର ଆଦେଶ କରିବା ଉଚିତ । ଅସାଧୁ ହୋଇଥିଲେ ଛାତ୍ରମାନଙ୍କ ଦ୍ୱାରା ତାହା ସଂଶୋଧନ କରାଇ ନେବା ଉଚିତ ।

 

ପ୍ରତିଶବ୍ଦର ପ୍ରଭେଦ ବୁଝାଇବା ବ୍ୟାକରଣର କାର୍ଯ୍ୟ । ଏଣୁ ଏ ଗ୍ରନ୍ଥରେ ଏପରି ପ୍ରସଙ୍ଗର ଉଲ୍ଲେଖ କେହି କେହି ଆପତ୍ତି କରି ପାରନ୍ତି, କିନ୍ତୁ ଉତ୍କଳ ଭାଷାରେ ସେଭଳି ପୂର୍ଣ୍ଣାବୟବ ବ୍ୟାକରଣ ଆଜିଯାଏ ରଚିତ ହୋଇ ନାହିଁ । ଅତଏବ ଆମ୍ଭେମାନେ ଶଂସିତ ବିଷୟକୁ ଭାଷାଶିକ୍ଷା ପକ୍ଷରେ ଅତ୍ୟନ୍ତ ଉପଯୋଗୀ ଜାଣି ଏଥିରେ ତାହା ସନ୍ନିବିଷ୍ଟ କଲୁଁ ।

 

୧।

ଆଜ୍ଞା, ଅନୁମତି-ଆଜ୍ଞା ପୂର୍ବପ୍ରାର୍ଥନାର ଅପେକ୍ଷା କରେ ନାହିଁ, କିନ୍ତୁ ଅନୁମତି ପୂର୍ବ ପ୍ରାର୍ଥନାର ଅପେକ୍ଷା କରେ ।

୨।

ପ୍ରେମ, ସ୍ନେହ, ଶ୍ରଦ୍ଧା-ପ୍ରେମ ସ୍ନେହ ଅପେକ୍ଷା ଗାଢ଼ତର । ପିତାଙ୍କର ପୁତ୍ରଠାରେ ସ୍ନେହ ହୁଏ, ସ୍ତ୍ରୀ ଏବଂ ସ୍ୱାମୀ ମଧ୍ୟରେ ପ୍ରେମ ହେବା ସମ୍ଭବ । ଭକ୍ତ ଏବଂ ଭଗବାନଙ୍କଠାରେ ମଧ୍ୟ ପ୍ରେମର ପ୍ରୟୋଗ ହୁଏ । ସ୍ନେହ ବିଚ୍ଛେଦ ସହିପାରେ, କିନ୍ତୁ ପ୍ରେମ ବିଚ୍ଛେଦ ସହିପାରେ ନାହିଁ । ଶ୍ରଦ୍ଧା ପ୍ରାୟ ଆପଣାଠାରୁ ଉଚ୍ଚ ବ୍ୟକ୍ତି ବା ଗୁରୁଜନଙ୍କଠାରେ ହୁଏ । ଶ୍ରଦ୍ଧା କାର୍ଯ୍ୟବିଶେଷ ପ୍ରତି ମଧ୍ୟ ପ୍ରବର୍ତ୍ତି ପାରେ, ଯଥା-ଅମୁକ କାର୍ଯ୍ୟରେ ତାଙ୍କର ଶ୍ରଦ୍ଧା ନାହିଁ । ଏପରି ସ୍ଥଳରେ ସ୍ନେହ ବା ପ୍ରେମର ପ୍ରୟୋଗ କେହି କରନ୍ତି ନାହିଁ ।

 

 

୩।

ଚଞ୍ଚଳ, ଚପଳ-ଭାଷାରେ ଚଞ୍ଚଳ ଭଲ ଅଭିପ୍ରାୟରେ ଏବଂ ଚପଳ ମନ୍ଦ ଅଭିପ୍ରାୟରେ ବ୍ୟବହୃତ ହୁଏ ।

୪।

ଆଶ୍ଚର୍ଯ୍ୟ, ବିସ୍ମୟ-ଆଶ୍ଚର୍ଯ୍ୟରେ ଦୁଃଖଭାବ ମିଶ୍ରିତ ହେଲେ ତାହାକୁ ବିସ୍ମୟ କହନ୍ତି ।

 

 

୫।

ଦୋଷ, ଅପରାଧ, ପାପ-ସୁରାପାନ ଗୋଟିଏ ଦୋଷ, ଅପରାଧର ଦଣ୍ଡ ରାଜା କରି ପାରନ୍ତି, କିନ୍ତୁ ପାପର ଦଣ୍ଡ ଈଶ୍ୱର କର୍ତ୍ତୃକ ହୁଏ ।

 

 

୬।

ଉଦ୍‌ବେଗ, ଉତ୍କଣ୍ଠା-ଉଦ୍‍ବେଗରେ ଆକୁଳତାର ଆଧିକ୍ୟ ଥାଏ । ଉତ୍କଣ୍ଠାରେ ଅଧୈର୍ଯ୍ୟର ଆଧିକ୍ୟ ଥାଏ ।

୭।

ବିଳାପ, ରୋଦନ-ବିଳାପ ବାଚାଳ । ରୋଦନ ଅଶ୍ରୁ ମୋଚନ, ଏହା ବାଚାଳ ବା ମୂକ ହୋଇପାରେ ।

 

 

୮।

ଦୟା, କୃପା, ଅନୁକମ୍ପା-ଦୟା ପ୍ରାୟ ଅଧିକାଂଶ ସ୍ଥଳରେ ମନୁଷ୍ୟପ୍ରତି ପ୍ରଯୁକ୍ତ ହୁଏ । ଯଥା ଆମ୍ଭଠାରେ ତାଙ୍କର ଦୟା ନାହିଁ । କୃପା ସାଧାରଣତଃ ଦେବତାଙ୍କ ପ୍ରତି ପ୍ରଯୁକ୍ତ ହୁଏ । ଯଥା ପ୍ରଭୁଙ୍କର କୃପା ହେଲା । ଦୟା କହିଲେ ପରଦୁଃଖହରଣେଚ୍ଛା, କୌଣସି ଇଷ୍ଟସିଦ୍ଧି ଉଦ୍ଦେଶ୍ୟରେ କେହି ବ୍ରତ ବା ତପସ୍ୟା କରୁଅଛନ୍ତି । ଦେବତାଙ୍କର କୃପା ହେଲେ ଇଷ୍ଟସିଦ୍ଧି ହୁଏ । ଅନୁକମ୍ପା ଦୟାଠାରୁ ଅଧିକତର ପ୍ରଗାଢ଼ । ଅନୁକମ୍ପାର ବ୍ୟୁତ୍ପତ୍ତିଗତ ଅର୍ଥ ପାଶ୍ଚାତ୍‌ କମ୍ପିବା ଅର୍ଥାତ୍‌ କେହି ବିପଦରେ ପଡ଼ି କମ୍ପିତ ହେଉଛି, ତାହାର କମ୍ପ ଦେଖି ସ୍ୱୟଂ କମ୍ପିବା । ସୁତରାଂ ପରର ଦୁଃଖରେ ସମଦୁଃଖୀ ହୋଇ ତାହାପ୍ରତି ଅନୁଗ୍ରହ କରିବାହିଁ ଅନୁକମ୍ପା ।

 

 

୯।

ନିନ୍ଦା, ଗ୍ଳାନି, ଅପବାଦ-ଅପବାଦ ଓ ଗ୍ଳାନି ଉଭୟ ମିଥ୍ୟା ନିନ୍ଦା ଅର୍ଥରେ ପ୍ରବର୍ତ୍ତେ । ଗ୍ଳାନି ବିଶେଷତଃ ଆପଣା ପ୍ରତି ପ୍ରଯୁକ୍ତ ହୁଏ । କେବେ କେବେ ଏହା ଅବସାଦ ଅର୍ଥରେ ବ୍ୟବହୃତ ହୋଇଥାଏ ।

 

 

୧୦।

ଆଶ୍ଚର୍ଯ୍ୟ, ଅଦ୍ଭୁତ-ଅଦ୍ଭୁତ ଆଶ୍ଚର୍ଯ୍ୟ ଅପେକ୍ଷା ଗୁରୁତର । ଅଦ୍ଭୁତ ଘଟଣା ଦେଖିଲେ ଲୋକେ ଆଶ୍ଚର୍ଯ୍ୟାନ୍ୱିତ ଏବଂ ଭୀତ ହୁଅନ୍ତି । ଆଶ୍ଚର୍ଯ୍ୟ ଏହି ଶବ୍ଦଟି ସାମାନ୍ୟ ବିଷୟ ପ୍ରତି ପ୍ରଯୁକ୍ତ ହୋଇପାରେ । ତୁମ୍ଭେ କୌଣସି ଲୋକକୁ ଅତ୍ୟନ୍ତ ବିଶ୍ୱାସୀ ଜାଣିଥିଲ, ସେ ହଠାତ୍‌ ତୁମ୍ଭଠାରେ ପ୍ରତାରଣା କଲା, ଏଥିରେ ତୁମ୍ଭେ ଆଶ୍ଚର୍ଯ୍ୟାନ୍ୱିତ ହୋଇପାର; ତାହାର ପ୍ରତାରଣା ଆଶ୍ଚର୍ଯ୍ୟଜନକ ସତ୍ୟ, କିନ୍ତୁ ଅଦ୍ଭୁତ ନୁହେଁ । କୌଣସି ବୀରର ଯୁଦ୍ଧ ଦେଖି ତୁମ୍ଭେ ଭୀତ ଏବଂ ଆଶ୍ଚର୍ଯ୍ୟାନ୍ୱିତ ହେଲେ, ସେହି ଯୁଦ୍ଧ ଅଦ୍ଭୁତ ଅଟେ ।

 

 

୧୧।

ଅସ୍ତ୍ର, ଶସ୍ତ୍ର-ଯାହାକୁ କ୍ଷେପଣ କରି ସଂହାର କରାଯାଏ ତାହା ଅସ୍ତ୍ର ଏବଂ ଯାହାକୁ ହସ୍ତରେ ଧରି ସଂହାର କରାଯାଏ ତାହା ଶସ୍ତ୍ର । ବାଣ ଅସ୍ତ୍ର, ଖଡ଼୍ଗ ଶସ୍ତ୍ର । ଶସ୍ତ୍ରବୃଷ୍ଟି କେହି ପ୍ରୟୋଗ କରନ୍ତି ନାହିଁ । ଅନେକ ସଂସ୍କୃତ କବି ଛନ୍ଦ ଅନୁରୋଧରେ ହେଉ ଅଥବା ଅନ୍ୟ କୌଣସି କାରଣରୁ ହେଉ, ଶସ୍ତ୍ର ସ୍ଥଳରେ ଅସ୍ତ୍ର ଏବଂ ଅସ୍ତ୍ର ସ୍ଥଳରେ ଶସ୍ତ୍ର ବ୍ୟବହାର କରିଅଛନ୍ତି ।

 

 

୧୨।

ଆଶ୍ରୟ, ଅବଲମ୍ୱନ-ଆଶ୍ରୟ ଯେ ସମ୍ପୂର୍ଣ୍ଣ ରୂପେ ରକ୍ଷା କରେ । ଅବଲମ୍ୱନ ଯାହା ଉପରେ ନିର୍ଭର କରାଯାଏ । ପଞ୍ଚବଟୀଠାରେ ରାମଚନ୍ଦ୍ର ମୁନିମାନଙ୍କର ଆଶ୍ରୟ ଥିଲେ, କିନ୍ତୁ ଲଙ୍କାଯୁଦ୍ଧରେ ବାନର ସୈନ୍ୟର ଅବଲମ୍ୱନ ଥିଲେ ।

 

 

୧୩।

ପ୍ରଶଂସା, ସ୍ତବ-ପ୍ରଶଂସାର ଆଧିକ୍ୟହିଁ ସ୍ତବ । ସ୍ତବରେ ଅନେକ ମିଥ୍ୟା ଥିବାର ସମ୍ଭାବନା । ପ୍ରଶଂସା ପ୍ରଭୁ ଭୃତ୍ୟକୁ ଏବଂ ଭୃତ୍ୟ ପ୍ରଭୁଙ୍କୁ କରି ପାରନ୍ତି । କିନ୍ତୁ ସ୍ତବ ଯେ କରେ, ସେ ଆପଣାକୁ ନ୍ୟୂନ କରି ଜଣାଏ । ପ୍ରଶଂସା ପ୍ରତ୍ୟକ୍ଷ ଓ ପରୋକ୍ଷ ଉଭୟ ସ୍ଥଳରେ ହୋଇପାରେ, କିନ୍ତୁ ସ୍ତବ ସାକ୍ଷାତରେ ହୁଏ ।

 

 

୧୪।

ଆବିଷ୍କାର, ଉଦ୍ଭାବନ-ଯାହା ପୂର୍ବେ ଥିଲା, ଅତଚ କେହି ଜାଣି ନ ଥିଲେ, ତାହା ପ୍ରକାଶ କରିବାର ନାମ ଆବିଷ୍କ୍ରିୟା । ଯାହା ପୂର୍ବରେ ନ ଥିଲା, ଏପରି କୌଣସି ପଦାର୍ଥ ରଚନା କରିବାହିଁ ଉଦ୍ଭାବନ ।

 

 

୧୫।

ବିଚାର, ବିବେଚନା-ଲୋକେ ମନେ ମନେ ବିଚାର କରନ୍ତି, ଅନ୍ୟ ବ୍ୟକ୍ତି ସଙ୍ଗରେ ମଧ୍ୟ କରନ୍ତି । ମାତ୍ର ବିବେଚନା ଅନ୍ୟର ଅପେକ୍ଷା ରଖେ ନାହିଁ । ପାଞ୍ଚଜଣ ବସି ବିଚାର କରି ଯାହା କରିବେ, ସେଥିରେ ଆମ୍ଭର ଆପତ୍ତି ନାହିଁ । ପାଞ୍ଚଜଣ ବିବେଚନା କରି ଯାହା କହିବେ ସେଥିରେ ଆମ୍ଭର ଆପତ୍ତି ନାହିଁ, ଏହି ଦୁଇ ବାକ୍ୟାର୍ଥରେ ପ୍ରଭେଦ ଏହି ଯେ, ପ୍ରଥମ ସ୍ଥଳରେ ପାଞ୍ଚଜଣ ପରସ୍ପର ବିଚାର କରିବେ, ଦ୍ୱିତୀୟ ସ୍ଥଳରେ ପ୍ରତ୍ୟେକ ବ୍ୟକ୍ତି ମନେ ମନେ ବିଚାର କରିବେ ।

 

 

୧୬।

ସଂସାର, ପୃଥିବୀ-ସଂସାର ବୋଲନ୍ତେ ଜଗତ । ସମଗ୍ର ବ୍ରହ୍ମାଣ୍ଡକୁ ସଂସାର ବୋଲାଯାଇ ପାରେ । ଆମ୍ଭେମାନେ ଯେଉଁ ଗୋଲକରେ ବାସ କରୁଁ, ତାହା ପୃଥିବୀ ।

 

 

୧୭।

ଧୀର, ସ୍ଥିର-ଧୀର ଚଞ୍ଚଳର ବିପରୀତ । ସ୍ଥିର ବୋଲନ୍ତେ ଅଟଳ । ଯଥା-ନଦୀ ଧୀରଗତିରେ ଯାଉଅଛି । ସରୋବରର ଜଳ ସ୍ଥିର ଅଛି । ସ୍ଥିର ପବନ ଏପରି ପ୍ରୟୋଗ କେହି କରନ୍ତି ନାହିଁ । ସୂକ୍ଷ୍ମ ପ୍ରୟୋଗ ସ୍ଥଳରେ ଏହି ଦୁଇ ଶବ୍ଦ ପ୍ରାୟ ସମାନ ଅର୍ଥରେ ବ୍ୟବହୃତ ହୋଇଥାନ୍ତି; ତଥାପି କୌଣସି କୌଣସି ସ୍ଥଳରେ ପ୍ରଭେଦ ଲକ୍ଷିତ ହୁଏ, ଯଥା-ଭୀଷ୍ମଦେବ ସ୍ଥିରପ୍ରତିଜ୍ଞ ଏବଂ ଧୀରମତି ଥିଲେ । ଏଠାରେ ଧୀର ସ୍ଥଳରେ ସ୍ଥିର ପ୍ରୟୋଗ କଲେ ଦୂଷ୍ୟ ହେବ ନାହିଁ, କିନ୍ତୁ ସ୍ଥିର ସ୍ଥଳରେ ଧୀର ପ୍ରୟୋଗ କଲେ ଦୂଷ୍ୟ ହେବ ।

 

 

୧୮।

ଅଧିକ, ଅନେକ ଅଧିକ ସାପେକ୍ଷ । ତାହାଙ୍କ ଘରେ ଅଧିକ ଟଙ୍କା ଅଛି କହିଲେ ଅନ୍ୟ କାହା ଘରଠାରୁ ବେଶି ଅଛି ବୁଝିବାକୁ ହେବ । ଅନେକ ସାପେକ୍ଷ ନୁହେ, ଯଥା-ତାହାଙ୍କ ଘରେ ଅନେକ ଟଙ୍କା ଅଛି । ଏଠାରେ କେବଳ ପ୍ରାଚୁର୍ଯ୍ୟ ସୂଚିତ ହେଲା, ମାତ୍ର ଅପେକ୍ଷା ରହିଲା ନାହିଁ ।

 

 

୧୯।

ସେନା, ସୈନ୍ୟ, ସୈନିକ-ସେନା କହିଲେ ହସ୍ତୀ, ଅଶ୍ୱ, ପଦାତି ପ୍ରଭୃତି ଚତୁରଙ୍ଗ ବଳକୁ ବୁଝାଏ, ସୈନ୍ୟ ମଧ୍ୟ ସେହି ଅର୍ଥରେ ପ୍ରଯୁକ୍ତ ହୁଏ; କିନ୍ତୁ ସୈନିକ କହିଲେ ତନ୍ମଧ୍ୟରୁ ଜଣେ ଯୋଦ୍ଧାକୁ ବୁଝାଏ ।

 

 

୨୦।

ଭ୍ରମଣ, ପର୍ଯ୍ୟଟନ-ଭ୍ରମଣ ଅପେକ୍ଷା ପର୍ଯ୍ୟଟନ ବ୍ୟାପକ, ଯଥା-ସେ ବହୁତ ଦେଶ ପର୍ଯ୍ୟଯନ କରି ଅଛନ୍ତି, ରାମ ନଦୀକୂଳରେ ପ୍ରତ୍ୟହ ଭ୍ରମଣ କରନ୍ତି ।

 

 

୨୧।

ଦୀର୍ଘିକା, ପୁଷ୍କରିଣୀ-ବଡ଼ ପୁଷ୍କରିଣୀକି ଦୀର୍ଘିକା କହନ୍ତି ।

୨୨।

ସ୍ମୃତି, ମତି ବୁଦ୍ଧି, ପ୍ରଜ୍ଞା, ପ୍ରତିଭା-ପୂର୍ବ ବିଷୟ ଯଦ୍ଦ୍ୱାରା ସ୍ମରଣ କରାଯାଏ, ତାହା ସ୍ମୃତି । ଯଦ୍ଦ୍ୱାରା ଭାବୀ ବିଷୟର ଅନୁମାନ କରାଯାଏ, ତାହା ମତି । ଉପସ୍ଥିତ ବିଷୟ ଯାହାଦ୍ୱାରା ଜଣାପଡ଼େ, ତାହାକୁ ବୁଦ୍ଧି କହନ୍ତି । ଭୂତ, ବର୍ତ୍ତମାନ ଓ ଭବିଷ୍ୟତ ଏହି ତିନି କାଳର କଥା ଯାହାଦ୍ୱାରା ଜଣାଯାଏ, ତାହା ପ୍ରଜ୍ଞା, ପ୍ରତିଭା ବୋଲନ୍ତେ ନବନବୋନ୍ମେଷଶାଳିନୀ ପ୍ରଜ୍ଞା, ପ୍ରତିଭାର ଅପର ଅର୍ଥ ପ୍ରତ୍ୟୁତ୍ପନ୍ନମତିତା । ଯଥା-ସେ ଅପ୍ରତିଭ ହୋଇଥିଲେ ।

 

 

୨୩।

ଶାସ୍ତ୍ର, ବିଦ୍ୟା, ଭାଷା-ଏଗୁଡ଼ିକ ପ୍ରତିଶବ୍ଦ ନ ହେଲେହେଁ ଲୋକେ ଏଗୁଡ଼ିକ ଅସ୍ଥାନରେ ପ୍ରୟୋଗ କରନ୍ତି ବୋଲି ପ୍ରଭେଦ ପ୍ରଦର୍ଶିତ ହେଉଅଛି । ଦର୍ଶନ ଅଥବା ପଦାର୍ଥ ନିରୂପଣ ବିଷୟକ ବିଚାର ଯହିଁରେ ଥାଏ, ତାହା ଶାସ୍ତ୍ର । ଯଥା-ଗଣିତଶାସ୍ତ୍ର, ଦର୍ଶନଶାସ୍ତ୍ର, ନ୍ୟାୟଶାସ୍ତ୍ର ଇତ୍ୟାଦି । ଶାସ୍ତ୍ରମାନଙ୍କ ଆଲୋଚନାରୁ ବିଦ୍ୟାଲାଭ ହୁଏ । କିନ୍ତୁ ଭାଷା ଏଥିରୁ ସମ୍ପୂର୍ଣ୍ଣ ପୃଥକ୍‌, ଯେପରି ଓଡ଼ିଆ ଭାଷା, ବଙ୍ଗଳା ଭାଷା, ଇଂରାଜି ଭାଷା । ସାଧାରଣତଃ ଲୋକେ କହିଥାନ୍ତି, ଅମୁକ ଲୋକ ଚାରିବିଦ୍ୟା ଜାଣେ-ଓଡ଼ିଆ, ବଙ୍ଗଳା, ଇଂରାଜି, ପାରସି । ଏପରି ସ୍ଥଳରେ ଭାଷା ଶବ୍ଦର ପ୍ରୟୋଗ ବିଧେୟ ।

 

 

୨୪।

ପ୍ରଣାମ, ନମସ୍କାର-ଯଦିଚ ଏ ଉଭୟ ମଧ୍ୟରେ ଅର୍ଥଗତ କୌଣସି ପ୍ରଭେଦ ନାହିଁ, ତଥାପି ବ୍ୟବହାରଗତ ବିଭିନ୍ନତା ଦେଖାଯାଏ । କେହି କେହି ‘ପ୍ର’ ଉପସର୍ଗ ଯୋଗୁଁ ପ୍ରଣାମ ଶବ୍ଦ ଅଧିକ ବିନୟସୂଚକ ବୋଲି କହନ୍ତି । ବ୍ୟବହାରରେ ପୂଜ୍ୟ ବ୍ୟକ୍ତିଙ୍କଠାରେ ପ୍ରଣାମ ଏବଂ ସମାନସ୍କନ୍ଧ ବ୍ୟକ୍ତିଙ୍କ ପ୍ରତି ନମସ୍କାର ପ୍ରଯୁକ୍ତ ହୋଇଥାଏ ।

 

 

୨୫।

ରୋଗ, ପୀଡ଼ା-ପୀଡ଼ା ବ୍ୟାପକ, ରୋଗ ବ୍ୟାପ୍ୟ; କେବେ କେବେ ଏ ଉଭୟ ଐକଦେଶିକ ଅର୍ଥରେ ପ୍ରଯୁକ୍ତ ହୋଇଥାଏ । ଯଥା-ତାଙ୍କର ପାଦରେ ପୀଡ଼ା ହୋଇଅଛି । ମୋହର ଶିରଃପୀଡ଼ା ହୋଇଅଛି । ରାମ ନେତ୍ରରୋଗରେ ବା ହୃଦ୍‌ରୋଗରେ ପୀଡ଼ିତ ହୋଇଅଛନ୍ତି ।

 

 

୨୬।

ନଦ, ନଦୀ-ସ୍ରୋତ ପଶ୍ଚିମବାହୀ ଏବଂ ପୁରୁଷବାଚକହେଲେ ତାକୁ ନଦ କହନ୍ତି । ଯଥା-ସିନ୍ଧୁ ନଦ, ନର୍ମଦା ନଦ, ଦାମୋଦର ନଦ, ଶୋଣ ନଦ ।

 

 

୨୭।

ଯଶଃ, କୀର୍ତ୍ତି-ଦାନାଦି ପ୍ରଭବା କୀର୍ତ୍ତିଃ, ଶୌର୍ଯ୍ୟାଦି ପ୍ରଭବଂ ଯଶଃ । କୀର୍ତ୍ତି ଦ୍ରବ୍ୟନିଷ୍ଠ, କିନ୍ତୁ ଯଶଃ ଗୁଣନିଷ୍ଠ । ଜଣେ ବ୍ୟକ୍ତି ବହୁ ବ୍ୟୟରେ ଗୋଟିଏ ପୋଖରୀ ଖୋଳାଇ ଥିଲେ, ସେ କୀର୍ତ୍ତିମାନ୍‌ ହୋଇପାରନ୍ତି । ଜଣେ ବୀର ଅସାଧାରଣ ରଣକୌଶଳ ଦେଖାଇ ଯଶସ୍ୱୀ ହୋଇପାରନ୍ତି ।

 

 

୨୮।

ଭୟ, ଶଙ୍କା, ଆତଙ୍କ-ଶଙ୍କା ଅନିଶ୍ଚୟାତ୍ମକ ଅର୍ଥାତ୍‌ ସନ୍ଦେହଯୁକ୍ତ । ଭୟ ନିଶ୍ଚୟାତ୍ମକ । ଅତିଶୟ ଆକସ୍ମିକ ଭୟହିଁ ଆତଙ୍କ ।

 

 

୨୯।

ଚିହ୍ନ, ଲକ୍ଷଣ-ଲକ୍ଷଣ ପ୍ରାକୃତିକ ବା ଅକୃତ୍ରିମ । ଚିହ୍ନ କୃତ୍ରିମ ଓ ପ୍ରାକୃତିକ ଉଭୟ ସ୍ଥଳରେ ପ୍ରଯୁକ୍ତ ହୁଏ, କିନ୍ତୁ ପ୍ରଥମୋକ୍ତ ପ୍ରକାର ପ୍ରୟୋଗହିଁ ଅଧିକ ଦେଖାଯାଏ ।

 

 

୩୦।

ନିଦ୍ରା, ତନ୍ଦ୍ରା-ଅଳ୍ପ ବା ଖଣ୍ଡ ନିଦ୍ରାକୁ ତନ୍ଦ୍ରା କହନ୍ତି ।

୩୧।

କ୍ଷୁଦ୍ର, ଅଳ୍ପ-କ୍ଷୁଦ୍ର ଆକୃତି ସୂଚନା କରେ; ଅଳ୍ପ ପରିମାଣ ସୂଚନା କରେ । ଯଥା-କ୍ଷୁଦ୍ରତରୁ, ଅଳ୍ପଜଳ । ସୂକ୍ଷ୍ମ ପ୍ରୟୋଗରେ ଏ ଦୁହେଁ ପ୍ରାୟ ସମାନ ଅର୍ଥରେ ବ୍ୟବହୃତ ହୁଅନ୍ତି । ଯଥା-କ୍ଷୁଦ୍ର ଲୋକ, ଅଳ୍ପ ଲୋକ । କିନ୍ତୁ ଏପରି ସ୍ଥଳରେ ଅଳ୍ପ ଶବ୍ଦ ଅଧିକତର ନୀଚତାସୂଚକ ।

 

 

୩୨।

ଆଶା, ଭରସା-ଆଶା ସଫଳ ବା ବିଫଳ ହୋଇପାରେ, ଭରସା ପ୍ରାୟ ଚିନ୍ତାଶୂନ୍ୟ ସ୍ଥଳରେ ପ୍ରଯୁକ୍ତ ହୁଏ ।

୩୩।

ବୃହତ୍‌, ପ୍ରକାଣ୍ଡ, ବିରାଟ-ବୃହତ୍‌ ଶବ୍ଦ ଅପେକ୍ଷା ପ୍ରକାଣ୍ଡ, ଆକାରରେ ଅଧିକତର ବିସ୍ତୃତି ସୂଚନା କରେ । ବିରାଟରେ କିଞ୍ଚିତ୍‌ ଭୀତିର ସୂଚନା ହୁଏ ।

 

 

୩୪।

ଦୁଃଖ, ଶୋକ-ଦୁଃଖ ବ୍ୟାପକ, ଶୋକ ବ୍ୟାପକ । ଶୋକ ଏକପ୍ରକାର ଦୁଃଖ । ଅର୍ଥନାଶ ହେଲେ ଦୁଃଖ ହୁଏ । ପୁତ୍ରର ମୃତ୍ୟୁରେ ପିତାଙ୍କର ଶୋକ ଉପସ୍ଥିତ ହୁଏ ।

 

 

୩୫।

ଅର୍ଜନ, ପ୍ରାପ୍ତି-ଅର୍ଜନ ଉଦ୍ୟୋଗର ସୂଚନା କରେ, ମାତ୍ର ପ୍ରାପ୍ତି ସେପରି କିଛି ସୂଚନା କରେ ନାହିଁ ।

 

 

୩୬।

ଶବ୍ଦ, ନାଦ-ନାଦ ବ୍ୟାପକ, ଶବ୍ଦ ବ୍ୟାପ୍ୟ । ଶବ୍ଦ ମଧ୍ୟ ବର୍ଣ୍ଣାତ୍ମକ । ନାଦ ଭେଦକ ବା ତୀବ୍ରତାସୂଚକ ।

୩୭।

ଦ୍ୱନ୍ଦ୍ୱ, କଳହ—ଦୁଇ ଜଣଙ୍କ ମଧ୍ୟରେ ଯେଉଁ କଳହ ତାହାକୁ ଦ୍ୱନ୍ଦ୍ୱ କହନ୍ତି ।

 

 

୩୮।

ପୁତ୍ର, ସନ୍ତାନ, ଅପତ୍ୟ-ସନ୍ତାନ ଏବଂ ଅପତ୍ୟ ସମାନାର୍ଥକ । ଅପତ୍ୟ କହିଲେ ଯାହାଦ୍ୱାରା ବଂଶର ପତନ ହୁଏ ନାହିଁ ଏବଂ ସନ୍ତାନ କହିଲେ ଯାହାଦ୍ୱାରା ବଂଶର ବୃଦ୍ଧି ହୁଏ, ଏହା ବୁଝାଏ । ପୁତ୍ର କନ୍ୟା ଉଭୟଙ୍କୁ ଅପତ୍ୟ ବା ସନ୍ତାନ ବୋଲାଯାଇ ପାରେ ।

 

 

୩୯ ।

ହିଂସା, ଈର୍ଷା-ହିଂସା ଘାତାତ୍ମକ, ଅନିଷ୍ଟଇଚ୍ଛା । ଶତ୍ରୁ ଶତ୍ରୁକୁ ହିଂସା କରେ; କିନ୍ତୁ ଈର୍ଷା ଅସହନାତ୍ମକ । ସପତ୍ନୀ ସପତ୍ନୀ ପ୍ରତି ଈର୍ଷା କରେ ।

 

 

୪୦।

ପ୍ରଣୟ, ପରିଣୟ-ପ୍ରଣୟ ବୋଲନ୍ତେ ପ୍ରୀତି । କିନ୍ତୁ ପରିଣୟର ଅର୍ଥ ବିବାହ ।

 

 

୪୧।

ସ୍ମିତ, ହାସ୍ୟ-ମନ୍ଦହାସକୁ ସ୍ମିତ ବୋଲାଯାଏ ।

୪୨।

ଅହଂକାର, ଅଭିମାନ-ଅହଂକାରୀ ବ୍ୟକ୍ତି ଆପଣାକୁ ବଡ଼ କରି ଜାଣେ । ଅଭିମାନୀ ଲୋକ ଅଳ୍ପ ମାନହାନି ସହିପାରେ ନାହିଁ ।

 

 

୪୩।

ଜ୍ଞାନ, ବୁଦ୍ଧି-କୌଣସି ଗୋଟିଏ ବିଷୟ ଜାଣିବାକୁ ଜ୍ଞାନ କହନ୍ତି । ବୁଦ୍ଧି ମନର ଗୋଟିଏ ବୃତ୍ତ । ତଦ୍ଦ୍ୱାରା ଲୋକେ ବିଚାର କରିପାରନ୍ତି ।

 

 

୪୪।

ତୃପ୍ତି, ସନ୍ତୋଷ-ଲୋକ ଯାହା ଖୋଜେ ତାହା ପାଇଲେ ତୃପ୍ତି ଜନ୍ମେ; ସୁତରାଂ ତୃପ୍ତି ବାହ୍ୟ ବସ୍ତୁ ଉପରେ ନିର୍ଭର କରେ । କିନ୍ତୁ ଅଧିକ ନ ଲୋଡ଼ିବା ବା ମଶା ନ କରିବାର ବୃତ୍ତିହିଁ ସନ୍ତୋଷ । ଏହା ଆଭ୍ୟନ୍ତରୀଣ ।

 

 

୪୫।

ପରିହାସ, ଉପହାସ-ପରିହାସରେ ରସିକତାର ଏବଂ ଉପହାସରେ ତାଚ୍ଛିଲ୍ୟର ଆଧିକ୍ୟ ଥାଏ । ପରିହାସ ମଧୁର; କିନ୍ତୁ ଉପହାସ କଟୁ ବା ମର୍ମନ୍ତୁଦ ।

 

 

୪୬।

ପଟୁ, କୁଶଳ-ପଟୁତା ଅପେକ୍ଷା କୌଶଳ ଅଧିକତର ଗୌରବସୂଚକ । ପଟୁତାରେ ଲଘୁହସ୍ତତାର ଆଧିକ୍ୟ ସୂଚିତ ହୁଏ । କୌଶଳରେ ପୂର୍ବାପର ବିବେଚନାର ଆଧିକ୍ୟ ସୂଚିତ ହୁଏ ।

 

 

୪୭।

ଅସମ୍ଭବ, ଅସାଧ୍ୟ-ଯାହା ହୋଇ ନ ପାରିବ ତାହାକୁ ଅସମ୍ଭବ କହନ୍ତି । ଯାହା କରି ହେବ ନାହିଁ, ତାହାକୁ ଅସାଧ୍ୟ କହନ୍ତି । ସୂର୍ଯ୍ୟ ପୂର୍ବରେ ଉଦିତ ହେବା ଅସମ୍ଭବ, ମୃତବ୍ୟକ୍ତିକୁ ବଞ୍ଚାଇବା ମନୁଷ୍ୟର ଅସାଧ୍ୟ ।

 

 

୪୮।

ନିବେଦନ, ବିଜ୍ଞାପନ-ପ୍ରକୃତ ଅର୍ଥ ଘେନିଲେ ଏ ଉଭୟ ସମାନ, କିନ୍ତୁ ବ୍ୟବହାରରେ କିଞ୍ଚିତ୍‌ ପ୍ରଭେଦ ଦେଖାଯାଏ । ଅଧୀନ ବ୍ୟକ୍ତି ନିବେଦନ କରେ । ପ୍ରଭୁ ବିଜ୍ଞାପନ କରନ୍ତି-

 

 

୪୯।

କ୍ରୂର, କୁଟିଳ-ଯେଉଁ ଲୋକ ଅତ୍ୟନ୍ତ ନିଷ୍ଠୁର, କ୍ରୋଧକୁ ମନ ମଧ୍ୟରେ ପୋଷି ରଖେ, ତାହାକୁ କ୍ରୂର କହନ୍ତି । ଯେଉଁ ବ୍ୟକ୍ତି ପରର ଅନିଷ୍ଟସାଧନ ନିମନ୍ତେ ଷଡ଼୍‌ଯନ୍ତ୍ର କରେ ସେ କୁଟିଳ ।

 

 

୫୦।

ଆସକ୍ତ, ଅନୁରକ୍ତ-ଅନୁରାଗ ଆସକ୍ତି ଅପେକ୍ଷା ଗାଢ଼ତର, ଅନୁରକ୍ତି ସାଧାରଣତଃ ଉକ୍ତ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । କିନ୍ତୁ ଆସକ୍ତି ମନ୍ଦ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । ଯଥା-ଅମୁକ ଲୋକ ସୁରାପାନରେ ଆସକ୍ତ । ସୁରାପାନ ଅନୁରକ୍ତ ବୋଲି କେହି ପ୍ରୟୋଗ କରନ୍ତି ନାହିଁ ।

 

 

୫୧।

ଗ୍ରାସ, ଆହାର-ଆହାର ଅର୍ଥ ଖାଇବା, ଗ୍ରାସ ବୋଲନ୍ତେ ଗିଳି ପକାଇବା । ରାହୁ ଚନ୍ଦ୍ରଙ୍କୁ ଗ୍ରାସ କରେ, ଆହାର କରେ ନାହିଁ ।

 

 

୫୨।

ବାଧା, ପ୍ରତିବନ୍ଧକ-ବାଧା ମୂଳରୁ କରିଦିଏ ନାହିଁ । ପ୍ରତିବନ୍ଧକ କାର୍ଯ୍ୟରେ ବିଘ୍ନ ଜନ୍ମାଏ ।

୫୩।

ଶଠ, ଚତୁର-ଚତୁର ଶବ୍ଦ ଭଲ ଅଭିପ୍ରାୟରେ ବ୍ୟବହୃତ ହୁଏ । ଚତୁରତା ପ୍ରଶଂସନୀୟ, ଶଠତା ସେଥିର ସମ୍ପୂର୍ଣ୍ଣ ବିପରୀତ ।

 

 

୫୪।

ପରିଷ୍କୃତ, ପରିଚ୍ଛନ୍ନ-ଯାହା ଦେହରେ କୌଣସି ପ୍ରକାର ମଳି ନାହିଁ, ସେ ପରିଷ୍କୃତ । ଯେ ଉତ୍ତମ ବସ୍ତ୍ର ପରିପାଟୀରେ ପରିଧାନ କରିଥାଏ, ସେ ପରିଚ୍ଛନ୍ନ ।

 

 

୫୫।

ବସ୍ତ୍ର, ପରିଚ୍ଛଦ-ବସ୍ତ୍ର କହିଲେ କେବଳ ଲୁଗା ବୁଝାଯାଏ, ବସ୍ତ୍ରରୁ ପରିଚ୍ଛେଦ ପ୍ରସ୍ତୁତ ହୁଏ । ତନ୍ତୀ ବସ୍ତ୍ର ପ୍ରସ୍ତୁତ କରେ । ଦରଜି ପରିଚ୍ଛଦ ପ୍ରସ୍ତୁତ କରେ ।

 

 

୫୬।

ଆଦେଶ, ଉପଦେଶ-ପ୍ରଭୁ ଭୃତ୍ୟକୁ ଆଦେଶ ଦିଅନ୍ତି । ବନ୍ଧୁ ବନ୍ଧୁଙ୍କୁ ଉପଦେଶ ଦିଅନ୍ତି ।

୫୭।

ଭୃତ୍ୟ, ଦାସ-ଭୃତ୍ୟ ଅପେକ୍ଷା ଦାସ ଆହୁରି ହୀନ । ଭୃତ୍ୟ ଭର୍ତ୍ତାଙ୍କଠାରୁ ବେତନ ନେଇ କାର୍ଯ୍ୟ କରେ । ଦାସ ପ୍ରଭୁଙ୍କର ସମ୍ପୂର୍ଣ୍ଣ କ୍ଷମତାଧୀନାଭୃତ୍ୟ ଅପେକ୍ଷାକୃତ ସ୍ୱାଧୀନ ।

 

 

୫୮।

ବଧ, ହତ୍ୟା-ଏ ଉଭୟ ଶବ୍ଦର ପ୍ରକୃତିଗତ ଅର୍ଥ ସମାନ । ଯଥା-ଗୋବଧ, ଗୋହତ୍ୟା; କିନ୍ତୁ ହତ୍ୟା ପ୍ରାୟ ମନ୍ଦ ଅର୍ଥରେ ବ୍ୟବହୃତ ହୋଇଥାଏ । ଶତ୍ରୁହତ୍ୟା, ଏପରି କେହି ପ୍ରୟୋଗ କରନ୍ତି ନାହିଁ-ଶତ୍ରୁବଧ କହିଥାନ୍ତି ।

 

 

୫୯।

ଆଦର, ମର୍ଯ୍ୟାଦା-ଉଚ୍ଚ ବ୍ୟକ୍ତି ନୀଚ ପ୍ରତି ଆଦର କରନ୍ତି । ନିକୃଷ୍ଟ ଉତ୍କୃଷ୍ଟ ପ୍ରତି ମର୍ଯ୍ୟାଦା କରନ୍ତି । କୌଣସି ପଣ୍ଡିତ ଜଣେ ବ୍ୟକ୍ତିଙ୍କ ଅଧୀନରେ ଥାଇ କାର୍ଯ୍ୟ କରୁଥିଲେ, ପ୍ରଭୁ ଅସନ୍ତୁଷ୍ଟ ହେବାରୁ ସେ ଏହା କହି ପରିତ୍ୟାଗ କରିଥିଲେ-‘‘ନୀଚ ବ୍ୟକ୍ତିର ଅନୁରୋଧପରବଶ ହୋଇ ଯଦି ଆପଣ ମୋହପ୍ରତି ମନ୍ଦାଦର ହୋଇଥାନ୍ତି, ସେଥି ନିମନ୍ତେ ମୋହର ମାନହାନି ହେବ ନାହିଁ ।’’ ଏ ସ୍ଥାନରେ ଆଦର ଶବ୍ଦର ଉଚିତ ପ୍ରୟୋଗ ହୋଇଅଛି ।

 

 

୬୦।

ପଦ୍ୟ, କବିତା-ରସାତ୍ମକ ବାକ୍ୟକୁ କବିତା ଅଥବା କାବ୍ୟ କହନ୍ତି । ଗଦ୍ୟରେ ସୁଦ୍ଧା କବିତା ଥାଇପାରେ । ପଦ୍ୟ ଛନ୍ଦର ନିୟମାନୁସାରେ ରଚିତ ହୁଏ ଏବଂ ଚାରି-ଚରଣ-ବିଶିଷ୍ଟ ହୁଏ । ଉଭୟର ଉଦାହରଣ ନିମ୍ନରେ ପ୍ରଦର୍ଶିତ ହେଲା ।

 

(ପଦ୍ୟ)             ପଣକୁ ପଣ ପାଞ୍ଚକଡ଼ା ମାଗଣ

ପଣ ଗଣ୍ଡା ଅଷ୍ଟଦାଢ଼

ଗଣ୍ଡା ଗଣ୍ଡା ଅଷ୍ଟ ବିଦାଢ଼ ହୁଅଇ

ଗଣ୍ଡାପଣେ ବେନି ଦାଢ଼ ।

 

(କବିତା) ୧-      ସଖୀସମୂହରେ କୁସୁମ ବନେ

କେଳି କରୁଥିଲେଏକାନ୍ତ ସ୍ଥାନେ,

କନକବଲ୍ଲରୀ ମଧ୍ୟେ ବିଜୁଳି,

ଖେଳି ଯାଉଥିଲା ପରାଏ ବାଳୀ,

କି ତାରା-ମଣ୍ଡଳେ ଶଶୀ ଯେ ?

ଅପସରୀସମୂହରେ କି ବିହରେ ଲୀଳାରେ କମଳା ଆସି ?

 

            -କଳଙ୍କ ସମ୍ପର୍କ ଥିଲେ ସୁଦ୍ଧା ଚନ୍ଦ୍ର ମନୋହର ଦିଶନ୍ତି ।

ଶୈବାଳ-ସଂଯୁକ୍ତ ହୋଇ ସୁଦ୍ଧା ପଦ୍ମ ସୁନ୍ଦର ଦିଶେ ।

ମନୋହାରିଣୀ ବଳ୍କଳ ପରିଧାନ କଲେହେଁ ସାତିଶୟ

ଶୋଭା ପାଉଛନ୍ତି ।

 

ଏହା ଗଦ୍ୟ ହେଲେହେଁ କବିତା ପଦବାଚ୍ୟ ।

 

୬୧।

ଅନୁରୋଧ, ଉପରୋଧ-ଅଧିକୃତ କୌଣସି ବ୍ୟକ୍ତିଙ୍କୁ କୌଣସି କାର୍ଯ୍ୟ ଲାଗି କହିବାହିଁ ଅନୁରୋଧ । ଯଥା-‘ରାଜା ସେନାପତିଙ୍କ ଅନୁରୋଧରେ ସୈନ୍ୟମାନଙ୍କୁ ପୁରସ୍କାର ଦେଲେ ।’ ଆତ୍ମୀୟ ଅଥବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ପ୍ରତି ଯେଉଁ ଚକ୍ଷୁଲଜ୍ଜା ହୁଏ, ତାହା ଉପରୋଧ । ଯଥା-ରାଜା ପୁତ୍ରର ଉପରୋଧ ନ ମାନି ତାହାଙ୍କ ବୟସ୍ୟଙ୍କୁ ଦଣ୍ଡ ଦେଲେ-

 

 

୬୨।

ଧର୍ମ, ପୁଣ୍ୟ-ପବିତ୍ର ଅନୁଷ୍ଠାନାଦି ସ୍ଥଳରେ ପୁଣ୍ୟ ଶବ୍ଦର ଅଧିକ ବ୍ୟବହାର ଦେଖାଯାଏ । ସଦ୍‌ଗୁଣାଦି ସ୍ଥଳରେ ଧର୍ମର ବହୁଳ ପ୍ରୟୋଗ ଲକ୍ଷିତ ହୁଏ । ଯଥା-ମୁନିମାନେ ସର୍ବଦା ପୁଣ୍ୟ କର୍ମରେ ରତ ଥାନ୍ତି । ଅପକ୍ଷପାତିତା ରାଜାଙ୍କର ଧର୍ମ ।

 

 

୬୩।

ଶକ୍ତି, ବଳ, କ୍ଷମତା-ଅନ୍ତର ବା ଆଧ୍ୟାତ୍ମିକ ସ୍ଥଳମାନଙ୍କରେ ଶକ୍ତିର ବହୁଳ ପ୍ରୟୋଗ ଦେଖାଯାଏ; ଯଥା-କବିତ୍ୱ ଶକ୍ତି । ଭୌତିକ ସ୍ଥଳରେ ବଳର ବହୁଳ ବ୍ୟବହାର ହୋଇଥାଏ । ଯଥା-ବାହୁବଳ, ଅର୍ଥବଳ, ସେନାବଳ, ଯାନ୍ତ୍ରିକବଳ । ଅନ୍ୟଠାରୁ ପ୍ରାପ୍ତ ଅଧିକାରକୁ ସାଧାରଣତଃ ‘କ୍ଷମତା’ ବୋଲାଯାଏ । ଯଥା-ଦୁଇ ମାସରୁ ଅଧିକ କାରାଦଣ୍ଡ ଦେବା ତାଙ୍କ କ୍ଷମତାର ବହିର୍ଭୂତ । ଶକ୍ତି ଅନେକତ୍ର କାର୍ଯ୍ୟବିଶେଷରେ ପାରଗତା ସୂଚନା କରେ, ଯଥା-ଭୋଗଶକ୍ତି, ସ୍ମରଣଶକ୍ତି । ବଳ ପ୍ରାୟ ସେପରି ଅର୍ଥରେ ବ୍ୟବହୃତ ହୁଏ ନାହିଁ, କେବଳ ଗୋଟିଏ ଗୁଣ ସୂଚନା କରେ, ଯଥା-ଆୟୁର୍ବଳ, ଧର୍ମବଳ ।

 

 

୬୪।

ଚରିତ, ଚରିତ୍ର-ଚରିତ ଶବ୍ଦର ଅର୍ଥ ଜୀବନବୃତ୍ତାନ୍ତ ଅର୍ଥାତ୍‌ ଜନ୍ମଠାରୁ ମରଣ ପର୍ଯ୍ୟନ୍ତ ସମସ୍ତ ଘଟନାବଳୀ । ଚରିତ୍ର କହିଲେ ସ୍ୱଭାବ ବୁଝାଯାଏ, କାହାରି ସ୍ୱଭାବ ବର୍ଣ୍ଣନା କରିବାକୁ କହିଲେ, ସେ କି ପ୍ରକାର ଲୋକ ଥିଲେ ଲେଖିବା ଆବଶ୍ୟକ ।

 

 

୬୫।

ରିପୁ, ଶତ୍ରୁ-ଏ ଦୁଇ ଶବ୍ଦ ପ୍ରାୟ ସମାନ ଅର୍ଥରେ ବ୍ୟବହୃତ ହୁଏ । କେବଳ କାମ, କ୍ରୋଧ, ଲୋଭ, ମୋହ ପ୍ରଭୃତି ଅନ୍ତଃଶତ୍ରୁ ସ୍ଥଳରେ ଶତ୍ରୁ ଶବ୍ଦର ପ୍ରୟୋଗ ଦେଖାଯାଏ ନାହିଁ । ସେମାନଙ୍କୁ ସାଧାରଣତଃ ରିପୁ କହିଥାନ୍ତି ।

 

 

୬୬।

ବିର, ଶୂର-ଶୌର୍ଯ୍ୟ ଅପେକ୍ଷା ବୀର୍ଯ୍ୟ ଅଧିକତର ଗୌରବାନ୍ୱିତ । ସୁରତା ସାହସ ଓ ବଳ ସୂଚନା କରେ, ମାତ୍ର ବୀରତ୍ୱ ଅସାଧାରଣ କୌଶଳ ଓ ଶିକ୍ଷା ସୂଚନା କରେ ।

 

 

୬୭।

ସୁହୃତ୍‌, ବନ୍ଧୁ-ବନ୍ଧୁ ଅପେକ୍ଷା ସୁହୃତ୍‌ ପ୍ରିୟତର । ସୁହୃତ୍‌ ମାତ୍ରେ ବନ୍ଧୁ, କିନ୍ତୁ ବନ୍ଧୁ ମାତ୍ରେ ସୁହୃତ୍‌ ନୁହନ୍ତି ।

୬୮।

ଅଯୋଗ୍ୟ, ଅକ୍ଷମ-ସମ୍ପୂର୍ଣ୍ଣରୂପେ କ୍ଷମତାରହିତକୁ ଅକ୍ଷମ କହନ୍ତି । ଯେପରି ହେବା ଉଚିତ, ସେଥିରୁ ନ୍ୟୂନ ହେଲେ ତାହାକୁ ଅଯୋଗ୍ୟ ବୋଲାଯାଏ ।

 

 

୬୯।

ଅର୍ଥ, ପ୍ରତିଶବ୍ଦ-ବାରି ଶବ୍ଦର ଅର୍ଥ ଜଳ, ପ୍ରତିଶବ୍ଦ ପାନୀୟ ବା ତୋୟ ।

 

ଅନୁଶୀଳନୀ

 

(୧) ନିମ୍ନଲିଖିତ ଖଣ୍ଡବାକ୍ୟମାନଙ୍କର ଶୂନ୍ୟ ସ୍ଥାନରେ ଉପଯୁକ୍ତ ଶବ୍ଦ ପ୍ରୟୋଗ କରି ବାକ୍ୟ ପୂର୍ଣ୍ଣ କର ।

୧।

ସେନାପତି ରାଜାଙ୍କର-ପାଳନ କରିବେ କି ନାହିଁ, ଏ ବିଷୟରେ ଆପଣା ବନ୍ଧୁଙ୍କ – ପ୍ରାର୍ଥନା କଲେ ।

୨।

ଆମେରିକାରେ ଇକ୍ଷୁକ୍ଷେତ୍ରରେ କାର୍ଯ୍ୟ କରିବାପାଇଁ ଆଫ୍ରିକାରୁ ଅନେକ କ୍ରୀତ – ପ୍ରେରିତ ହୁଅନ୍ତି ।

 

 

୩।

ବ୍ୟାକରଣ ପ୍ରଭୃତି ଶାସ୍ତ୍ରମାନ ପଢ଼ି ପଣ୍ଡିତମାନେ – ରଚନା କରି ପାରନ୍ତି, ମାତ୍ର ଭଙ୍ଗୀ ଭିନ୍ନ ପ୍ରକାର ।

୪।

ଶତ୍ରୁ ଶତ୍ରୁ ପ୍ରତି ଯେପରି – କରନ୍ତି, ସେ ଆମ୍ଭଠାରେ ସେହିପରି-କରେ ।

୫।

ଯେଉଁ ଲୋକ ଆପଣା ଅବସ୍ଥାରେ ସର୍ବଦା – ଥାଏ, ସେ ପ୍ରକୃତ ସୁଖର ଅଧିକାରୀ ହୁଏ-

୬।

ବରୋଦାର ରାଜାଙ୍କୁ ଶାସନପ୍ରଣାଳୀ ସଂସ୍କାର ନିମନ୍ତେ ଅନେକ – ଦିଆ ଯାଇଥିଲା ।

 

 

୭।

ତାହାଙ୍କର-ଦୋଷ ଅଛି ଏବଂ – ନିତାନ୍ତ ମନ୍ଦ ।

୮।

ଚୋରି କରିବା – ତାହାଙ୍କୁ ଛ ମାସର କାରାବାସ – ହେଲା ।

୯।

କାଳିଦାସଙ୍କର ରଚନା ଅତି – ଅଟେ ।

୧୦।

ନ୍ୟାୟଶାସ୍ତ୍ର ଅଧ୍ୟୟନ କରି ସେ ଅନେକ – ଲାଭ କରି ଅଛନ୍ତି, କିନ୍ତୁ ସଂସ୍କୃତ – ତାହାଙ୍କର ସେପରି ବ୍ୟୁତ୍ପତ୍ତି ଜନ୍ମି ନାହିଁ ।

 

 

୧୧।

ଗଣକ କୋଷ୍ଠି ଦେଖି କହିଲେ ଯେ, ତାହାଙ୍କର – ବାନ ବର୍ଷ, କିନ୍ତୁ ବତିଶ ବର୍ଷ-ସମୟରେ ଗାଟିଏ ଉତ୍କଟ ପୀଡ଼ା ହେବ ।

୧୨।

ସୀତାଙ୍କ ମସ୍ତକ ମଣି ଦେଖି ରାମ ଅତ୍ୟନ୍ତ – ହେଲେ ।

୧୩।

ଭାରତବର୍ଷ ଲୋକଙ୍କ ପକ୍ଷରେ ଇଂରାଜୀ – ଉପଯୋଗୀ ନୁହେ ।

୧୪।

ପରମହଂସମାନଙ୍କର କୌଣସି ବିଷୟରେ ସ୍ପୃହା ନ ଥାଏ ଯେ ଯାହା ଦେଉ ସେଥିରେ ସେମାନେ – ହୁଅନ୍ତି ।

 

 

୧୫।

ରାମ ଲଙ୍କାରୁ ପ୍ରତ୍ୟାଗତ ହୋଇ ଗୁରୁଜନମାନଙ୍କୁ – କଲେ ।

୧୬।

ରଣଜିତ୍‌ ସିଂହଙ୍କର-ସବଳ ଥିଲା, କେବଳ ଗୋଟିଏ – ବିକଳ ଥିଲା ।

୧୭।

ଧର୍ମପଥରେ ଥାଇ – ଉଚିତ ।

 

 

୧୮।

ଶକୁନି ଅତି – ଥିଲେ; ପାଣ୍ଡବମାନଙ୍କୁ ବିପଦରେ ପକାଇବା ନିମନ୍ତେ ନାନାପ୍ରକାର ଉପାୟ କରିଥିଲେ ।

୧୯।

ଅଗ୍ନି ଶୀତଳ ହେବାର – ।

୨୦।

ତାହାଙ୍କୁ ସେ ଦ୍ରବ୍ୟ – ହେଲା ପରି ଦିଶୁ ନାହିଁ ।

୨୧।

ତୁମ୍ଭ ଅପେକ୍ଷା ସେ – ପରିଶ୍ରମ କରିଥିଲେ ଏବଂ – ଟଙ୍କା ବ୍ୟୟ କରିଥିଲେ ।

 

 

୨୨।

ନେପୋଲିୟନ୍‌ କହିଲେ ଯେ ମନୁଷ୍ୟର – କିଛି ନାହିଁ ।

୨୩।

ଭୀଷ୍ମ କୌରବମାନଙ୍କ – ପତି ଥିଲେ ।

୨୪।

– ଲୋକଙ୍କର ବଚନ ସହି ହୁଏ ନାହିଁ ।

୨୫।

ରୁକ୍ମିଣୀଙ୍କୁ କୃଷ୍ଣ ପାରିଜାତ ଦେବାର ଦେଖି, ସତ୍ୟଭାମାଙ୍କର – ଜାତ ହେଲା ।

 

 

୨୬।

ଦୁର୍ଯ୍ୟୋଧନ ଅତ୍ୟନ୍ତ – ଥିଲେ । ଚିତ୍ରରଥ କୃତ ଅପମାନ ତାହାଙ୍କର – ହୋଇଥିଲା ।

୨୭।

ସ୍ୱାମୀ ମରିଗଲେ ସ୍ତ୍ରୀ ପ୍ରତି ସମସ୍ତେ – ପ୍ରଦର୍ଶନ କରନ୍ତି ।

୨୮।

ଯେ ଯାହା ଦେଲେ ମୋହର ପ୍ରୟୋଜନ ପ୍ରତି ତାହା – ହେଲା ।

୨୯।

ଇନ୍ଦ୍ରଜିତର ବଧ ବୃତ୍ତାନ୍ତ ଶୁଣି ରାବଣ – ଅଧୀର ହେଲା ।

 

 

୩୦।

ପୁତ୍ରର ମନ୍ଦ – ଦେଖି ସେ ଅତ୍ୟନ୍ତ – ହେଲେ ।

୩୧।

ରାଜସଭାକୁ ଯିବା ବେଳେ –ଏବଂ – ହୋଇ ଯିବା ଉଚିତ ।

୩୨।

ଭାରତବର୍ଷର ବିବାହର ରୀତି ଅତି କଦର୍ଯ୍ୟ, ଯୁବକ ଯୁବତୀ ମଧ୍ୟରେ – ସଞ୍ଚାର ହେବା ପୂର୍ବରୁ ସେମାନେ – ସୂତ୍ରରେ ଆବଦ୍ଧ ହୁଅନ୍ତି ।

 

 

୩୩।

ସେ ମୋହର ଅଭିଭାବକ ଅଟନ୍ତି, ମୁଁ ତାଙ୍କର ଅନେକ – ରଖେଁ ।

୩୪।

ପରର – ସମସ୍ତେ ଦିବ୍ୟଚକ୍ଷୁରେ ଦେଖନ୍ତି ।

୩୫।

ରାମଚନ୍ଦ୍ର ପ୍ରଜାମାନଙ୍କୁ – ନିର୍ବିଶେଷରେ ପାଳନ କରୁଥିଲେ ।

୩୬।

ପ୍ରଭାତ କାଳରେ – ସମୀରଣ ସେବନ କଲେ ଶରୀର ସ୍ଫୂର୍ତ୍ତି ହୁଏ ।

 

 

୩୭।

ଏହି – ବିଶ୍ୱ ମଧ୍ୟରେ ପୃଥିବୀ ଗୋଟିଏ ବିନ୍ଦୁ ପରି ।

୩୮।

ସେହି କାର୍ଯ୍ୟ ସାଧନ ବିଷୟରେ ଅନେକ – ଥିଲା, ମାତ୍ର ସେ ସମସ୍ତ ଅତିକ୍ରମ କଲେ ।

୩୯।

କୃଷ୍ଣଙ୍କର ଆଗମନରେ ବିଳମ୍ୱ ଦେଖି ରାଧିକା ଅତ୍ୟନ୍ତ – ହେଲେ ।

୪୦।

ରାମ ମାୟାମୃଗକୁ – କଲେ ।

୪୧।

ମୁନିମାନେ ଫଳ ମୂଳ – କରନ୍ତି ।

 

 

୪୨।

ବିଚାର କଲା ବେଳେ କାହାରି – ମାନିବା ଉଚିତ ନୁହେ ।

୪୩।

କଲମ୍ୱସ ଆମେରିକା – କରିଥିଲେ ।

୪୪।

ଅର୍ଜ୍ଜୁନ ରଣସ୍ଥଳରେ – ବିକ୍ରମ ପ୍ରଦର୍ଶନ କରିଥିଲେ ।

୪୫।

ଯେଉଁମାନେ ବେଶ୍ୟାପ୍ରତି – ହୁଅନ୍ତି, ସେମାନଙ୍କର ସର୍ବନାଶ ହୁଏ ।

୪୬।

ମହାକବି କାଳିଦାସଙ୍କର ଅଲୌକିକ – ଥିଲା ।

୪୭।

ସୀତାଙ୍କର – ପରମ ପବିତ୍ର ଥିଲା ।

 

 

୪୮।

କବିତ୍ୱ – ଶିକ୍ଷାଦ୍ୱାରା ଲାଭ କରାଯାଏ ନାହିଁ ।

୪୯।

ସେ ବିଷମ – ପଡ଼ି କିଂକର୍ତ୍ତବ୍ୟବିମୂଢ଼ ହୋଇଥିଲେ ।

୫୦।

ଆର୍ତ୍ତଲୋକର – ଯାପନ କରିବା ମନୁଷ୍ୟର ଶ୍ରେଷ୍ଠ ବ୍ରତ ।

 

(୨) ନିମ୍ନଲିଖିତ ଶବ୍ଦମାନଙ୍କର ଅର୍ଥଗତ ସୂକ୍ଷ୍ମ ପ୍ରଭେଦ ବାକ୍ୟରେ ପ୍ରଦର୍ଶନ କର ।

 

ଆଶା-ଆଶଙ୍କା, ଆଚାର-ବ୍ୟବହାର, ମଧୁର-ମିଷ୍ଟ, ତାରା-ନକ୍ଷତ୍ର, ଅଙ୍ଗ-ଗାତ୍ର, ସେବା-ଶୁଶ୍ରୂଷା, ଜନ-ମନୁଷ୍ୟ, ଅଧି-ବ୍ୟାଧି, ଲକ୍ଷଣ-ଲକ୍ଷ୍ମଣ, ସଙ୍କଟ-ବିପଦ, ପ୍ରଭା-କିରଣ, ଅପେକ୍ଷା-ଉପେକ୍ଷା, ଫଳ-ଫଳକ, ରୋଗ-ବ୍ୟାଧି, ଦୀନ-ଦୁଃଖୀ, ଉତ୍ସବ-ଆନନ୍ଦ, ଲୀଳା-ଖେଳା ।

 

(୩) ନିମ୍ନଲିଖିତ ପ୍ରାୟ ସବର୍ଣ୍ଣ ବା ସମୋଚ୍ଚାରିତ ଯୁଗ୍ମଶବ୍ଦମାନଙ୍କର ଅର୍ଥଗତ ପ୍ରଭେଦ ପ୍ରଦର୍ଶନ କର ।

ଲକ୍ଷ-ଲକ୍ଷ୍ୟ, କୋଟି-କୋଟୀ, ବିଷ-ବିସ, ଦିନ-ଦୀନ, ସର୍ବ-ଶର୍ବ, ଜାଳ-ଜାଲ, ଯାତ-ଜାତ, ସିତ-ଶୀତ, ସୁର-ଶୂର, ସୁତ-ସୂତ, ଶଙ୍ଖ-ସଙ୍ଖ ।

 

ପଞ୍ଚମ ଅଧ୍ୟାୟ

ବିପରୀତାର୍ଥବୋଧକ ଶବ୍ଦ

 

କୌଣସି ଶବ୍ଦର ବିପରୀତାର୍ଥବୋଧକ ଶବ୍ଦ ଜାଣି ଉଭୟ ଶବ୍ଦକୁ ଉପଯୁକ୍ତ ସ୍ଥଳରେ ପ୍ରୟୋଗ କରି ଶିଖିଲେ ରଚନା ଶିକ୍ଷାରେ ଅନେକ ସାହାଯ୍ୟ ହୁଏ । ନିମ୍ନରେ ସେଭଳି କେତେକ ଶବ୍ଦ ପ୍ରଦତ୍ତ ହେଲା । ଶିକ୍ଷକ ମହାଶୟ ଉଭୟ ଶବ୍ଦ ଛାତ୍ରମାନଙ୍କୁ କହି ନ ଦେଇ ପ୍ରଥମ ଶବ୍ଦଟି କହି ତାହାର ବିପରୀତ ଶବ୍ଦ କଣ ପଚାରିବେ । ଛାତ୍ରମାନେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇ ପାରିବେ । ଯେଉଁ ସ୍ଥଳରେ ଅଧିକ ଚିନ୍ତା କରି ସୁଦ୍ଧା ସେମାନେ କହି ନ ପାରିବେ କେବଳ ସେହିପରି ସ୍ଥଳରେ ଶିକ୍ଷକଙ୍କର କହିଦେବା ଉଚିତ ।

 

ପ୍ରତ୍ୟକ୍ଷ-ପରୋକ୍ଷ

 

ସାମାନ୍ୟ-ବିଶେଷ

ଭୀରୁ-ସହାସୀ

 

ଦୂର-ନିକଟ

ବିଜ୍ଞ-ଅଜ୍ଞ

 

ବିଷ-ଅମୃତ

ଉଚ୍ଚ-ନୀଚ

 

ଅନୁକୂଳ-ପ୍ରତିକୂଳ

ସଜନ-ବିଜନ

 

ସହଜ-କଠିନ

ସଫଳ-ବିଫଳ

 

ନୂତନ-ପୁରାତନ

ରୁଷ୍ଟ-ତୁଷ୍ଟ

 

ନିନ୍ଦା-ପ୍ରଶଂସା

କୃତ୍ରିମ-ନୈସର୍ଗିକ

 

ଅପାୟ-ଉପାୟ

ଧାର୍ମିକ-ପାପୀ

 

ମୂର୍ଖ-ପଣ୍ଡିତ

ସତ୍ୟ-ମିଥ୍ୟା

 

ଉତ୍ତମ-ଅଧମ

ଆଶା-ଆଶଙ୍କା

 

ସୁନ୍ଦର-କୁତ୍ସିତ

ସ୍ଥିର-ଚଞ୍ଚଳ

 

ଶୀତଳ-ଉଷ୍ମ

ହାସ୍ୟ-ରୋଦନ

 

ଶ୍ୱେତ-କୃଷ୍ଣ

ହର୍ଷ-ବିଷାଦ

 

ବାମ-ଦକ୍ଷିଣ

ସବଳ

 

 

ପ୍ରବଳ

ଦୁର୍ବଳ

ପ୍ରକାଶ୍ୟ-ଗୋପନୀୟ

ସ୍ଥୂଳ-ସୂକ୍ଷ୍ମ

 

ଜନ୍ମ-ମରଣ

ଗତି-ସ୍ଥିତି

 

ମାନ-ଅପମାନ

ଅନୁଗ୍ରହ-ନିଗ୍ରହ

 

ଆବିର୍ଭାବ-ତିରୋଭାବ

ସରସ-ନୀରସ

 

କ୍ଷୟ-ବୃଦ୍ଧି

ଦଣ୍ଡ-ପୁରସ୍କାର

 

ଅଳ୍ପ-ଅଧିକ

ହାନି-ଲାଭ

 

ଶତ୍ରୁ-ମିତ୍ର

କ୍ଷୀଣ-ପୁଷ୍ଟ

 

ସୁସ୍ଥ-ରୁଗ୍ଣ

ପ୍ରସନ୍ନ-ବିଷଣ୍ଣ

 

ଗୁରୁ-ଲଘୁ

ଶିଷ୍ଟ-ଦୁଷ୍ଟ

 

ଅଭାବ-ସଦ୍ଭାବ

ଘନ-

ତରଳ

ଉନ୍ନତି-ଅବନତି

 

ବିରଳ

ସ୍ୱର୍ଗ-ନରକ

ମଧୁର-କଟୁ

 

ପ୍ରକୃତି-ବିକୃତି

ସୁଲଭ-ଦୁର୍ଲ୍ଲଭ

 

ଆକୁଞ୍ଚନ-ପ୍ରସାରଣ

କୃତଜ୍ଞ-କୁତଘ୍ନ

 

ସରଳ-ବକ୍ର

ପ୍ରବୃତ୍ତି-ନିବୃତ୍ତି

 

ସୃଷ୍ଟି-ଲୟ

କର୍କଶ-କୋମଳ

 

ଉତ୍‌ଥାନ-ପତନ

 

ଅନୁଶୀଳନୀ

 

୧-ନିମ୍ନଲିଖିତ ଖଣ୍ଡବାକ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରି ଲେଖ ।

୧।

ବିଜ୍ଞ ଶତ୍ରୁ ଭଲ, କିନ୍ତୁ-ମିତ୍ର ଭଲ ନୁହେ ।

୨।

ଧାର୍ମିକର ମନ ନିର୍ଭୟ,-ମନ ସର୍ବଦା ଶଙ୍କାକୁଳ ।

୩।

ସଂସାରରେ ସୁଖ-,ହାସ୍ୟ-ସର୍ବଦା ଲାଗିଅଛି ।

 

 

୪।

ସାହସୀ ଲୋକକୁ ସମସ୍ତେ ଆଦର କରନ୍ତି-କେହି ଗ୍ରାହ୍ୟ କରନ୍ତି ନାହିଁ ।

୫।

ପ୍ରଶଂସା ଶୁଣି ନିତାନ୍ତ ଆହ୍ଲାଦିତ ହେବା ଏବଂ-ଶୁଣି ନିତାନ୍ତ କାତର ହେବା ଦୁର୍ବଳ ମନର ଚିହ୍ନ

୬।

ସେ ଆସିଲେ ମୋହର କାର୍ଯ୍ୟ ସିଦ୍ଧ ହୋଇପାରିବ, ଏ ବିଷୟରେ ମୋର ସମ୍ପୂର୍ଣ୍ଣ ଆଶା ଅଛି, କିନ୍ତୁ କାଳେ ସେ ନ ଆସନ୍ତି ମୋହର-ହେଉଅଛି ।

 

 

୭।

ନିକଟରେ ଥିଲେ ଚକ୍ଷୁଲଜ୍ଜା ହୁଏ-ଥିଲେ ତାହା ହୁଏ ନାହିଁ ।

୮।

ସ୍ୱଦେଶର ମମତା-ପ୍ରତି କଦାପି ହେବାର ନୁହେ ।

୯।

ପୁରାତନ ଭଲ ହେଲେ କେହି-ଆଦର କରନ୍ତି ନାହିଁ ।

୧୦।

ବ୍ୟବସାୟରେ ପ୍ରବୃତ୍ତ ହେଲେ ହାନି-ଅବଶ୍ୟ ହେବ ।

 

 

୧୧।

ଯେ ପ୍ରତ୍ୟକ୍ଷରେ ପ୍ରିୟ କଥା କହେ, ଅଥଚ-କାର୍ଯ୍ୟ ହାନି କରେ ଏପରି ଶଠ ମିତ୍ରକୁ ପରିତ୍ୟାଗ କରିବ ।

୧୨।

ବିପଦକାଳରେ ଅମୃତ-ପରି ହୁଏ ।

୧୩।

ଜନ୍ମ ହେଲେ – ନିଶ୍ଚୟ ହେବ ।

୧୪।

ଦୁଃଖ ନ କଲେ – ହେବ ନାହିଁ ।

୧୫।

ଚନ୍ଦ୍ରଙ୍କର ମାସ ମଧ୍ୟରେ କ୍ଷୟ – ହୁଏ ।

 

 

୧୬।

ଦ୍ରବ୍ୟ ସୁଲଭ ହେଲେ ସୁମୂଲ୍ୟ ହୁଏ – ହେଲେ – ହୁଏ ।

୧୭।

ବିଧାତା ଅନୁକୂଳ ହେଲେ ବିଷରୁ- ବାହାରେ – ହେଲେ ସମ୍ପଦରୁ – ବାହାରେ ।

୧୮।

ଧର୍ମ ଆଚରଣ କଲେ ମନରେ ଆତ୍ମ ପ୍ରସାଦ ଜାତ ହୁଏ, ମାତ୍ର – କଲେ – ଜାତ ହୁଏ ।

୧୯।

ଶରୀର ସବଳ ଥିଲେ ରୋଗ ଆସିପାରେ ନାହିଁ, - ହେଲେ ଆକ୍ରମଣ କରେ ।

 

 

୨୦।

ସରଳ ମାର୍ଗ ଅବଲମ୍ୱନ କଲେ କୌଣସି ଆପଦ ଘଟେ ନାହିଁ, ମାତ୍ର – ବିପତ୍‌ସଙ୍କୁଳ ।

୨୧।

କୃତ୍ରିମ ଶୋଭା କଦାପି – ଶୋଭାର ସମାନ ହୋଇ ନ ପାରେ ।

୨୨।

ସେ ଦୁଇ ସ୍ଥାନ ମଧ୍ୟରେ ସ୍ୱର୍ଗ – ପ୍ରଭେଦ ଅଛି ।

୨୩।

ଉତ୍ତମଠାରେ ପ୍ରାର୍ଥନା – ହେବା ଭଲ, - ଠାରେ – ହେବା ଭଲ ନୁହେଁ ।

୨୪।

ଉପାୟବେଳେ – ଚିନ୍ତା କରିବା ବୁଦ୍ଧିମାନର କାର୍ଯ୍ୟ ।

 

 

୨୫।

ଶରୀର ସୁସ୍ଥ ଥିଲେ ସବୁ ଭଲ ଲାଗେ – ହେଲେ କୌଣସି କାର୍ଯ୍ୟରେ ମନ ଲାଗେ ନାହିଁ ।

୨୬।

ସତ୍କାର୍ଯ୍ୟରେ – ଏବଂ ଅସତ୍କାର୍ଯ୍ୟରେ ଦଣ୍ଡ ଅବଶ୍ୟ ହେବ ।

୨୭।

ମଧୁର ବଚନରେ ସମସ୍ତେ ତୁଷ୍ଟ ହୁଅନ୍ତି, - କେହି ସୁଖ ପାନ୍ତି ନାହିଁ ।

 

 

୨୮।

ସମାଜ ସଭ୍ୟ ହେଲେ ଶାରୀରିକ ଶକ୍ତି ଅପେକ୍ଷା – ଶକ୍ତିର ଗୌରବ ଅଧିକ ହୁଏ ।

୨୯।

ସ୍ଥୂଳବୁଦ୍ଧି ଲୋକେ ଯାହା ଅସାଧ୍ୟ ମଣନ୍ତି – ଲୋକଙ୍କର ତାହା ସୁସାଧ୍ୟ ।

୩୦।

ବିବେଚନାପୂର୍ବକ ଶ୍ରମ କଲେ ତାହା ଅବଶ୍ୟ ସଫଳ ହେବ, ନତୁବା – ହେବ ।

 

୧-ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦ ଏବଂ ତାହାର ବିପରୀତାର୍ଥବୋଧକ ଶବ୍ଦ ଏକତ୍ର ବ୍ୟବହାର କରି ବାକ୍ୟ ରଚନା କର ।

ସମ୍ପଦ, ହର୍ଷ, ଅନୁକୂଳ, ବିଷ, ସ୍ୱର୍ଗ, ବୁଦ୍ଧି, ଦାନ, ଜନ୍ମ, ଉଦ୍ୟମ, ଭୀରୁ, ଗୁରୁ, ଉପାୟ, ସ୍ଥୂଳ, ଆର୍ଯ୍ୟ, ସୁନ୍ଦର ।

 

ଷଷ୍ଠ ଅଧ୍ୟାୟ

ଯୁଗ୍ମ ଶବ୍ଦ

ଅନ୍ୟାନ୍ୟ ଭାଷା ପରି ଉତ୍କଳ ଭାଷାରେ ମଧ୍ୟ ଅନେକ ସ୍ଥଳରେ ଦିଓଟି ଶବ୍ଦ ବ୍ୟବହାର କରିବାକୁ ହେଲେ ବକ୍ତାର ଇଚ୍ଛାନୁସାରେ ଗୋଟିକୁ ଆଗେ ଗୋଟିକୁ ପଛେ ବ୍ୟବହାର କଲେ ଚଳିବ ନାହିଁ । ପୂର୍ବରୁ ଯେପରି ବ୍ୟବହାର ଚଳି ଆସୁଅଛି, ସେହି ବ୍ୟବହାରର ବିରୁଦ୍ଧ ପ୍ରୟୋଗ କଲେ ଦୋଷ ଘଟିବ । ‘ହାନି ଲାଭ’-ଏହି ଯୁଗ୍ମ ଶବ୍ଦ ମଧ୍ୟରେ ଲାଭ ଆଗେ କହିଲେ ଅର୍ଥର ବ୍ୟତ୍ୟୟ ହେବ ନାହିଁ । ତଥାପି ତାହା ବ୍ୟବହାର ଅନୁମୋଦିତ ନୁହେ । ଏ ବିଷୟରେ ଅବଶ୍ୟ କୌଣସି ନିୟମ ନିର୍ଦ୍ଦେଶ କରାଯାଇ ନ ପାରେ । ତେବେ ଏତିକିମାତ୍ର ବୋଲା ଯାଇ ପାରେ ଯେ, ଅଧିକାଂଶ ସ୍ଥଳରେ ଗୁରୁସ୍ୱରବିଶିଷ୍ଟ ଶବ୍ଦ ଅଥବା ପ୍ରଧାନ ଭାବବିଶିଷ୍ଟ ଶବ୍ଦ ଆଗେ ବ୍ୟବହୃତ ହୁଏ । ନିମ୍ନରେ ସେହିଭଳି କେତେଗୁଡ଼ିଏ ଯୁଗ୍ମଶବ୍ଦ ପ୍ରଦତ୍ତ ହେଲା । ଶିକ୍ଷକମାନେ ଅନ୍ୟ ଉଦାହରଣ ସ୍ୱୟଂ ଯଥେଷ୍ଟ ଦେଇ ପାରିବେ ।

(୧) ଚାଷ-ବାସ, ଫଳ-ମୂଳ, ଇତର-ବିଶେଷ, କମ୍‌-ବେଶି, ଭଲ-ମନ୍ଦ, ଦେବା-ନେବା, କ୍ଷତି-ବୃଦ୍ଧି, ଆଖି-କାନ, ଅନ୍ନ-ବସ୍ତ୍ର, ଜଳ-ସ୍ଥଳ, ଗୋ-ମହିଷ, ପାପ-ପୁଣ୍ୟ, ବୀଜ-ଅଙ୍କର, ମାଛ-ମାଂସ, ଉଚ୍ଚ-ନୀଚ, ଜନ୍ମ-ମରଣ, ଅସ୍ତ୍ର-ଶସ୍ତ୍ର, ଅନ୍ନ-ବ୍ୟଞ୍ଜନ, କୀଟ-ପତଙ୍ଗ, ତରୁ-ଲତା, ଚନ୍ଦ୍ର-ସୂର୍ଯ୍ୟ, ଦୟା-ମାୟା, ବସନ-ଭୂଷଣ, ବିଷ-ଅମୃତ, କଳା-ଧଳା, ଦାନ-ଧ୍ୟାନ, ପଶୁ-ପକ୍ଷୀ, ଦଧି-ଦୁଗ୍‌ଧ, କ୍ଷୁଧା-ତୃଷା, ହସ୍ତ—ପଦ, ମିଛ-ସତ, ସ୍ୱର୍ଗ-ନରକ, ନାମ-ଧାମ, ଯାଇ-ଯୁଈ, ବ୍ୟାଘ୍ର-ଭଲ୍ଲୁକ, ଘର-ଦ୍ୱାର, ପରିଷ୍କୃତ-ପରିଚ୍ଛନ୍ନ ।

(୨) ନାକକାନ, ଧନରତ୍ନ, ଧ୍ୟାନଧାରଣା, ଅନ୍ନଜଳ, ଦାନଧର୍ମ, ସେବାଶୁଶ୍ରୂଷା, ଖେଳକୌତୁକ, ଭଙ୍ଗାଦଦରା, ଜୀର୍ଣ୍ଣଶୀର୍ଣ୍ଣ, ଛିନ୍ନିଭିନ୍ନ, ବେଶଭୂଷା, ଦହିଦୁଧ, ଭୋକଶୋଷ, ଭୋଗଭାଗ୍ୟ, ଦୀନହୀନ, ସୁଖସ୍ୱାଚ୍ଛନ୍ଦ୍ୟ (ଶାନ୍ତି), ବଳବୟସ, ଭୟଭ୍ରାନ୍ତି, ଡାଲିଭାତ, ପୋକଜୋକ, ହାତୀଘୋଡ଼ା, ରାଗରୋଷ, ହସଖେଳ, ଭରଣପୋଷଣ ।

(୩) ଜଣାଶୁଣା, ଧରାବନ୍ଧା, ବନ୍ଧାଛନ୍ଦା, ମାରପିଟ, ଦିଆନିଆ, ଖିଆପିଆ, ଲେଖାପଢ଼ା, କୁହାବୋଲା, ବୁଲାଚଲା, ଶୁଆବସା, କଟାବଟା, ବୁଝାମଣା, ପିନ୍ଧାପାଲଟା, ରନ୍ଧାବଢ଼ା, ଡକାହକା, ହଣାମରା ।

ଅନୁଶୀଳନୀ

୧। ଉଲ୍ଲିଖିତ ଯୁଗ୍ମ ଶବ୍ଦମାନଙ୍କର ପ୍ରୟୋଗ ବାକ୍ୟରେ ପ୍ରଦର୍ଶନ କର ।

୨। ନିମ୍ନଲିଖିତ (କ) ବ୍ୟତିହାରାତ୍ମକ ଏବଂ (ଖ) ଧ୍ୟାନାତ୍ମକ ଯୁଗ୍ମଶବ୍ଦମାନ ବ୍ୟବହାର କରି ବାକ୍ୟ ରଚନା କର ।

(କ) ଟଣାଟଣି, ଛଡ଼ାଛଡ଼ି, କନ୍ଦାକନ୍ଦି, ଛନ୍ଦାଛନ୍ଦି, ମୁଣ୍ଡାମୁଣ୍ଡି, କୁହାକୁହି, ଦେଖାଦେଖି, ଲେଖାଲେଖି, ଧୁଆଧୋଇ, ଗଡ଼ାଗଡ଼ି, ଲଗାଲଗି, କଟାକଟି, ଛୁଆଁଛୁଇଁ, ବୋଲାବୋଲି, ବଢ଼ାବଢ଼ି, ରନ୍ଧାରନ୍ଧି, ପଢ଼ାପଢ଼ି, ରଖାରଖି, ପଡ଼ାପଡ଼ି, ପିଟାପିଟି ।

(ଖ) ଧକ୍‌ଧକ୍‌, ହୁତୁହୁତୁ, ସୁସୁ, ଝଣ୍‌ଝଣ୍‌, ମଡ଼୍‌ମଡ଼୍‌, ଭୁସ୍‌ଭୁସ୍‌, ଘଡ଼ଘଡ଼, ଚଡ଼ଚଡ଼, ଗଳ୍‌ଗଳ୍‌, ଠଣ୍‌ଠଣ୍‌, ଚେଁଚେଁ, ଭଡ଼୍‌ଭଡ଼୍‌, ଠୋଠୋ, ଭୋଭୋ, ମଟମଟ, ଫୁସ୍‌ଫୁସ୍‌, ଘୁଘୁ, ଦପ୍‌ଦପ୍‌, ଝମ୍‌ଝମ୍‌, ଗମ୍‌ଗମ୍‌ ।

 

ସପ୍ତମ ଅଧ୍ୟାୟ

ରୂପାନ୍ତର ପ୍ରଦାନ

 

କୌଣସି ବାକ୍ୟର ଅର୍ଥ ଘେନି ସେହି ସେହି ଅର୍ଥକୁ ନାନାପ୍ରକାର ଲେଖିବାର ଅଭ୍ୟାସ ରଚନା ଶିକ୍ଷା ପକ୍ଷରେ ଅତ୍ୟନ୍ତ ଶ୍ରେୟସ୍କର । କୃତ୍‌ପ୍ରତ୍ୟୟ, ତଦ୍ଧିତ, ସମାସ ପ୍ରଭୃତି ଦ୍ୱାରା ବାକ୍ୟ କି ପ୍ରକାର ରୂପାନ୍ତରିତ ହୁଏ, ତାହା ଦ୍ୱିତୀୟ ଅଧ୍ୟାୟରେ ବିସ୍ତୃତ ଭାବରେ ପ୍ରଦର୍ଶିତ ହୋଇଅଛି; ତାହା ବ୍ୟତୀତ ବାକ୍ୟକୁ ରୂପାନ୍ତରିତ କରିବା ନିମନ୍ତେ ଅନ୍ୟାନ୍ୟ ପ୍ରକ୍ରିୟା ଅବଲମ୍ୱନ କରିବାକୁ ହୁଏ । କେତେବେଳେ ଅବା ଆଧାର ପରିବର୍ତ୍ତରେ ଅଧେୟ ପ୍ରୟୋଗ କରିବାକୁ ହେବ, କେବେ ବା ଆଧାର୍ଯ୍ୟ ପରିବର୍ତ୍ତରେ ଆଧାର ପ୍ରୟୋଗ କରିବାକୁ ହେବ, ଅଂଶ ପରିବର୍ତ୍ତରେ ସମଗ୍ର ବା ସମଗ୍ର ପରିବର୍ତ୍ତରେ ଅଂଶ ପ୍ରୟୋଗ କରିବାକୁ ହେବ, କେତେବେଳେ ଦିଓଟି ନିଷେଧାର୍ଥକ ଅବ୍ୟୟ ପ୍ରୟୋଗ କରିବାକୁ ହେବ । ଫଳତଃ ଏ ବିଷୟରେ କୌଣସି ବ୍ୟାପକ ନିୟମ ନିର୍ଦ୍ଦେଶ କରିବା ଅସମ୍ଭବ । ନିମ୍ନରେ ଉଦାହରଣ ସ୍ୱରୂପ କେତୋଟି ଆଦର୍ଶ ପ୍ରଦତ୍ତ ହେଉଅଛି । ଛାତ୍ରମାନେ ସେହି ଆଦର୍ଶର ଅନୁକରଣରେ ବାକ୍ୟ ରୂପାନ୍ତର କରି ଲେଖିବେ ।

 

ପ୍ରଥମ ସାଧନୀ

୧ମ-ସମସ୍ତେ ଅର୍ଥ ବାଞ୍ଛା କରନ୍ତି ।

 

୧।

ଅର୍ଥ ସମସ୍ତଙ୍କର ବାଞ୍ଛନୀୟ ଅଟେ ।

୨।

ଅର୍ଥ ଲାଭର ଇଚ୍ଛା ସମସ୍ତଙ୍କର ଅଛି ।

୩।

ସବୁରି ଅର୍ଥଲିପ୍ସା ଅଛି ।

୪।

ସମସ୍ତେ ଅର୍ଥଲିପ୍‌ସୁ ଅଟନ୍ତି ।

୫।

କଉଡ଼ିକି ସମସ୍ତେ ଚିହ୍ନନ୍ତି ।

 

 

୬।

ଟଙ୍କାକୁ ପ୍ରତ୍ୟେକ ଲୋକ ଜାଣନ୍ତି ।

୭।

ଅର୍ଥବାନ୍‌ ହେବାକୁ ସମସ୍ତଙ୍କର ଅଭିଳାଷ ଥାଏ ।

୮।

ଅର୍ଥକୁ ନ ଚିହ୍ନେ, ଏପରି ଲୋକ ନାହିଁ ।

୯।

ଧନ ସମସ୍ତଙ୍କର ସ୍ପୃହଣୀୟ ।

 

୨ୟ-ସମସ୍ତେ ମରିବେ ।

 

୧।

ଯମଦଣ୍ଡ ସମସ୍ତଙ୍କୁ ହେବ ।

୨।

ମୃତ୍ୟୁ ମନୁଷ୍ୟ ଅଦୃଷ୍ଟରେ ଅଛି ।

୩।

ସମସ୍ତେ ଯେ ମରିବେ, ଏ ବିଧାନ ପୂର୍ବରୁ ହୋଇଅଛି ।

୪।

ମୃତ୍ୟୁ ମନୁଷ୍ୟର ଅପରିହାର୍ଯ୍ୟ ।

 

 

୫।

ସମସ୍ତଙ୍କ ଦେହର ପତନ ହେବ ।

୬।

ମୃତ୍ୟୁ ପ୍ରକୃତିର ନିୟମ ଅଟେ ।

୭।

ମନୁଷ୍ୟର ଜୀବନ ସ୍ଥାୟୀ ନୁହେ ।

୮।

ମନୁଷ୍ୟର ମୃତ୍ୟୁ ଅବଶ୍ୟ ହେବ ।

 

 

୯।

ମନୁଷ୍ୟ ଅମର ନୁହେଁ ।

୧୦।

ମୃତ୍ୟୁ କାହାରିକି ଛାଡ଼ିବ ନାହିଁ ।

୧୧।

ମୃତ୍ୟୁଠାରେ କେହି ରକ୍ଷା ପାଇବ ନାହିଁ ।

୧୨।

ପଞ୍ଚଭୂତର ଦେହ ପଞ୍ଚଭୂତରେ ଲୀନ ହେବ ।

 

୩ୟ-ଅହିଂସା ପରମ ଧର୍ମ ଅଟେ ।

 

୧।

ଜୀବହିଂସା କରିବା ମହାପାପ ଅଟେ ।

୨।

ଜୀବମାନଙ୍କ ପ୍ରତି ଯେ ଦୟା କରନ୍ତି, ସେ ଧାର୍ମିକ ଅଟନ୍ତି ।

୩।

ହିଂସାବର୍ଜନକୁ ସର୍ବ ଦେଶର ଶାସ୍ତ୍ରରେ ଧର୍ମ ବୋଲା ଯାଇଅଛି ।

୪।

ଲୋକ ଅନ୍ୟ ଯେତେ ସତ୍କର୍ମ କରୁ ପଛକେ ଜୀବହିଂସା ପରିତ୍ୟାଗ ନ କଲେ ତାହାର ପ୍ରକୃତ ଧର୍ମାର୍ଜନ ହୁଏ ନାହିଁ ।

୫।

ହିଂସ୍ରପ୍ରକୃତିକ ମାତ୍ରେ ପାପୀ ଅଟନ୍ତି ।

୬।

ଯେ ଜୀବହତ୍ୟା କରେ, ତାହାକୁ କଦାପି ଧାର୍ମିକ ବୋଲାଯିବ ନାହିଁ ।

 

 

୭।

ଧର୍ମାର୍ଜନ କରିବାର ବାସନା ଥିଲେ, ସର୍ବାଗ୍ରେ ଜୀବହିଂସା ପରିତ୍ୟାଗ କର ।

୮।

ଯେ ଜୀବ ବଧ କରେ, ସେ ମହାପାପୀ ।

୯।

ଜୀବନଦାନ ମହାପୁଣ୍ୟ ମଧ୍ୟରେ ପରିଗଣିତ ହୁଏ ।

୧୦।

ଜୀବହତ୍ୟା କରିବା କଦାପି ଧର୍ମାନୁମୋଦିତ ନୁହେ ।

 

ଅନୁଶୀଳନୀ

 

ଉଲ୍ଲିଖିତ ଆଦର୍ଶ ଅନୁସରଣ କରି ନିମ୍ନଲିଖିତ ବାକ୍ୟମାନଙ୍କୁ ନାନାପ୍ରକାର କରି ଲେଖ ।

୧।

ଦରିଦ୍ରକୁ ସମସ୍ତେ ତୁଚ୍ଛ ଜ୍ଞାନ କରନ୍ତି ।

୨।

ଅହଙ୍କାରୀ ଲୋକକୁ କେହି ସୁଖ ପାନ୍ତି ନାହିଁ ।

୩।

ଋଣଗ୍ରସ୍ତ ଲୋକର ସବୁବେଳେ ଚିନ୍ତା ।

୪।

ବୁଦ୍ଧିବଳଠାରୁ ବଳ ନାହିଁ ।

୫।

ସମ୍ପଦକାଳେ ସର୍ବେ ସଖା,

 

ବିପଦେ ନ ଦିଅନ୍ତି ଦେଖା ।

୬।

ଦୁଃଖର କାରଣ କାମନା ।

 

ଦ୍ୱିତୀୟ ସାଧନୀ

 

ସୀତାଙ୍କର କ୍ରନ୍ଦନ ଶବ୍ଦ ଶ୍ରବଣ କରି, ସନ୍ନିହିତ ଋଷିତନୟାମାନେ ଶବ୍ଦାନୁସାରେ କ୍ରନ୍ଦନ ସ୍ଥାନରେ ଉପସ୍ଥିତ ହେଲେ ଏବଂ ଦେଖିଲେ, ଏକ ଅସୂର୍ଯ୍ୟମ୍ପଶ୍ୟା କାମିନୀ ହାହାକାର ଆଉ ଶିରରେ କରାଘାତ କରି ଅଶେଷବିଧ ବିଳାପ ଓ ପରିତାପ କରୁଅଛି । ତଦ୍ଦର୍ଶନରେ ସେମାନଙ୍କ କୋମଳ ହୃଦୟରେ ଯତ୍‌ପରୋନାସ୍ତି କାରୁଣ୍ୟ ଭାବର ଆବିର୍ଭାବ ହେଲା । ସେମାନେ ତ୍ୱରିତ ଗମନରେ ବାଲ୍ମୀକିଙ୍କ ସମୀପରେ ଉପସ୍ଥିତ ହୋଇ ବିନୟନମ୍ର ବଦନରେ ନିବେଦନ କଲେ, ‘‘ଭଗବନ୍‌ ! ଆମ୍ଭେମାନେ ଫଳ, ପୁଷ୍ପ, କୁଶ, ସମିଧ ଆହରଣ ନିମିତ୍ତ ଭାଗିରଥୀ ତୀରସମୀପସ୍ଥ ବନଭାଗରେ ଭ୍ରମଣ କରୁଥିଲୁଁ, ଅକସ୍ମାତ୍‌ ସ୍ତ୍ରୀଲୋକର ଆର୍ତ୍ତନାଦ ଶ୍ରବଣ କଲୁଁ ଏବଂ ଏଣେ ତେଣେ ଅନୁସନ୍ଧାନ କରି କିୟତ୍‌କ୍ଷଣ ପରେ ଦେଖିଲୁଁ, ଏକ ଅଲୌକିକକ ରୂପଲାବଣ୍ୟସମ୍ପନ୍ନା କାମିନୀ ଅତ୍ୟନ୍ତ ଅନାଥା ପ୍ରାୟ ଏକାନ୍ତ କାତର ହୋଇ ଉଚ୍ଚ ସ୍ୱରରେ ରୋଦନ କରୁଅଛନ୍ତି ।’’

 

ଉଲ୍ଲିଖିତ ସନ୍ଦର୍ଭରୁ ସ୍ଥୂଳ ଭାବ ନିମ୍ନରେ ଅନ୍ୟପ୍ରକାରେ ବ୍ୟକ୍ତ କରାଗଲା :-

ଜାନକୀ ଉଚ୍ଚ ସ୍ୱରରେ ବିଳାପ କରିବାକୁ ଲାଗିଲେ । ନିକଟସ୍ଥ ମୁନିକୁମାରୀମାନେ ସେହି ରୋଦନ ଧ୍ୱନିକୁ ଲକ୍ଷ୍ୟକରି ସେଠାକୁ ଆସି ଦେଖିଲେ ଯେ, ଗୋଟିଏ ଅବଳା ମସ୍ତକରେ ହସ୍ତ ମାରି ରୋଦନ କରୁଅଛି । ମୁନିକୁମାରୀମାନେ ସ୍ୱଭାବତଃ ଦୟାପ୍ରବଣା । ତାଙ୍କର ଏ ଅବସ୍ଥା ଦେଖି ସେମାନଙ୍କ ହୃଦୟରେ ଦୟାର ସଞ୍ଚାର ହେଲା । ସେମାନେ ବାଲ୍ମୀକିଙ୍କ ପାଖକୁ ଚଞ୍ଚଳ ଯାଇ ବିନୟପୂର୍ବକ କହିଲେ, ‘‘ପୂଜ୍ୟପାଦ ! ଆମ୍ଭେମାନେ ଫୁଲ, ଫଳ, କୁଶ, ସମିଧ ସଞ୍ଚୟ ନିମନ୍ତେ ଗଙ୍ଗାତୀରସ୍ଥିତ କାନନରେ ବୁଲୁଁ ବୁଲୁଁ ହଠାତ୍‌ ଗୋଟିଏ ସ୍ତ୍ରୀର କ୍ରନ୍ଦନ ଧ୍ୱନି ଶୁଣିଲୁଁ ଏବଂ ସେହି ଧ୍ୱନିକି ଅନୁସରଣ କରି ତାହାଙ୍କ ନିକଟବର୍ତ୍ତୀ ହେଲୁଁ । ସେହି ସ୍ତ୍ରୀର ରୂପ ଏପରି ମନୋହର ଲାବଣ୍ୟମୟ ଯେ, ମର୍ତ୍ତ୍ୟଲୋକରେ ଏପରି ରୂପ ଦେଖାଯିବ ନାହିଁ । ସେ ନିରାଶୟା ହୋଇ ନିତାନ୍ତ ଦୁଃଖରେ ବିଳାପ କରୁଅଛି ।’’

ଅନୁଶୀଳନୀ

 

୧। ଉଲ୍ଲିଖିତ ଆଦର୍ଶକୁ ଅନୁସରଣ କରି ନିମ୍ନୋଦ୍ଧୃତ ସନ୍ଦର୍ଭଗୁଡ଼ିକୁ ଭିନ୍ନ ପ୍ରକାରେ ଲେଖ-

(କ) ଚିତ୍ରପଟର ସ୍ଥଳାନ୍ତରରେ ଅଙ୍ଗୁଳି ନିର୍ଦ୍ଦେଶ କରି ଲକ୍ଷ୍ମଣ କହିଲେ, ‘‘ଏହି ଆର୍ଯ୍ୟା ମାଣ୍ଡବୀ, ଏହି ବଧୁ ଶ୍ରୁତକୀର୍ତ୍ତି ।’’ କିନ୍ତୁ ଲଜ୍ଜାବଶରୁ ଊର୍ମିଳାଙ୍କର ଉଲ୍ଲେଖ କଲେ ନାହିଁ । ସୀତା ବୁଝି ପାରି କୌତୁକ କରିବା ନିମନ୍ତେ ସହାସ୍ୟ ବଦନରେ ଊର୍ମିଳା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଲକ୍ଷ୍ମଣଙ୍କୁ ପ୍ରଶ୍ନ କଲେ, ‘‘ବତ୍ସ ! ଏଆଡ଼େ କିଏ ଚିତ୍ରିତ ରହିଅଛି ?’’ ଲକ୍ଷ୍ମଣ କୌଣସି ପ୍ରତ୍ୟୁତ୍ତର ନ ଦେଇ ଈଷଦ୍ଧାଷ୍ୟ କରି କହିଲେ, ‘‘ଦେବି ! ଦେଖ ଦେଖ, ହରଶରାସନଭଙ୍ଗବାର୍ତ୍ତା ଶ୍ରବଣରେ କ୍ରୋଧରେ ଅଧୀର ହୋଇ କ୍ଷତ୍ରିୟକୁଳାନ୍ତକାରୀ ଭଗବାନ୍‌ ଭୃଗୁନନ୍ଦନ ଆମ୍ଭମାନଙ୍କର ଅଯୋଧ୍ୟାଗମନ ପଥରୋଧ କରି ଦଣ୍ଡାୟମାନ ଅଛନ୍ତି । ପୁନର୍ବାର ଦେଖନ୍ତୁ, ଭୁବନବିଜୟୀ ଆର୍ଯ୍ୟ ତାହାଙ୍କର ଦର୍ପ ସଂହାର କରିବା ନିମନ୍ତେ ଶରାସନରେ ଶରସନ୍ଧାନ କରିଅଛନ୍ତି ।’’ ରାମ ଆତ୍ମପ୍ରଶଂସାବାଦ ଶ୍ରବଣରେ ଅତିଶୟ ବ୍ରୀଡ଼ିତ ହୁଅନ୍ତି, ଏଥିପାଇଁ କହିଲେ, ‘‘ଲକ୍ଷ୍ମଣ ! ଏହି ଚିତ୍ରରେ ଅନ୍ୟାନ୍ୟ ବିବିଧ ଦର୍ଶନୀୟ ସତ୍ତ୍ୱେ ସେହି ଅଂଶ ନେଇ ପୁନଃ ପୁନଃ ଆନ୍ଦୋଳନ କରୁଅଛ କାହିଁକି-?’’ ସୀତା ରାମଙ୍କ ବାକ୍ୟ ଶ୍ରବଣରେ ଆନନ୍ଦିତ ହୋଇ କହିଲେ, ‘‘ନାଥ ! ଏମନ୍ତ ନ ହେଲେ ସଂସାର ଲୋକେ ଏକବାକ୍ୟ ହୋଇ ଆପଣଙ୍କର ଏତେ ପ୍ରଶଂସା କରିବେ କାହିଁକି ?’’

 

(ଖ) ପ୍ରକୃତି ! ପ୍ରତିଦିନର ବିଚିତ୍ର ଏବଂ ବିଭିନ୍ନ ଘଟନାବଳୀଦ୍ୱାରା ତୁମ୍ଭେ ମାନବକୁ ଅସ୍ଥାୟିତ୍ୱର ଉପଦେଶ ଦେଉଅଛ । ନିତାନ୍ତ ଚିନ୍ତାହୀନ ଅଥବା ବିଷୟୋନ୍ମତ୍ତ ନ ହେଲେ ମନୁଷ୍ୟ ଅବିଶ୍ରାନ୍ତ ଉପଦେଶରେ ଅନାସ୍ଥା ପ୍ରଦର୍ଶନ କରି ନ ପାରେ । ଘଟନାବୈଚିତ୍ର୍ୟ ଏବଂ ରଚନାବୈଚିତ୍ର୍ୟହିଁ ତୁମ୍ଭ ଜୀବନର ମୂଳମନ୍ତ୍ର । ବିଶ୍ୱାସୀ ହୋଇ ନ ପାରିଲେ କାହିଁରେହିଁ ସୁଖ ନାହିଁ । ଅସ୍ଥିରତା ସୁଖର ପ୍ରତିବନ୍ଧକ । ଚପଳଚିତ୍ତ ପକ୍ଷରେ କବିତାମାଧୁରୀ ସୁଖକାରୀ ନୁହେ, ସ୍ୱଭାବର ଅନନ୍ତ ସୌନ୍ଦର୍ଯ୍ୟ ମଧ୍ୟ ତାହା ପକ୍ଷରେ ସଙ୍କଟକଣ୍ଟକାୟିତ । ସଂସାରର ସମ୍ପଦ, ଯୌବନ ଏବଂ ଅସ୍ଥାୟୀ ପ୍ରେମ ମଧ୍ୟରେ ଶାନ୍ତି ନାହିଁ । ସୁଖର ଶତ ଚେଷ୍ଟା ସତ୍ତ୍ୱେ ଅବିଶ୍ୱାସୀ ମାନବ ପ୍ରକୃତ ସୁଖଶାନ୍ତିର ଆସ୍ୱାଦ ପାଇବ ନାହିଁ ।

 

(ଗ) ଲୋକଶିକ୍ଷାର୍ଥ ମହାପୁରୁଷମାନଙ୍କର ଗୁଣଗ୍ରାମ ଓ କୀର୍ତ୍ତିକଳାପର ସବିସ୍ତାର ବର୍ଣ୍ଣନ ଏବଂ ଆଦର୍ଶ ଚରିତ୍ରର ମହତ୍ତ୍ୱ ପ୍ରଦର୍ଶନ ସେମାନଙ୍କ ଦ୍ୱାରା ରଚିତ ମାନବଚରିତର ପ୍ରତିପାଦ୍ୟ ବିଷୟ । ପୁରାଣରେ ଏକପ୍ରକାର ବିଷୟମାନ ବିବୃତ ଓ ସଂରକ୍ଷିତ ହୋଇଥିବାରୁ ସଂସ୍କୃତରେ ପୁରାଣାଦିକୁ ଇତିହାସ ଆଖ୍ୟା ପ୍ରଦାନ କରା ଯାଇଅଛି । ଏହି ପୁରାଣାଦି ଆମ୍ଭମାନଙ୍କ ପ୍ରାଚୀନ ସମାଜର ଇତିହାସ ରୂପେ ରକ୍ଷିତ ହୋଇଥିଲେହେଁ ତାହା ଆଧୁନିକ ଇତିହାସଲକ୍ଷଣାକ୍ରାନ୍ତ ନୁହେଁ । ସେଥିରେ ଅତିରଞ୍ଜନ ଏବଂ ଅମାନୁଷୀ କ୍ରିୟା ବର୍ଣ୍ଣନର ମାତ୍ରା ଯେପରି ସୀମାତୀତ, ବର୍ଣ୍ଣିତ ଘଟନାବଳୀର କାଳନିରୂପଣ ଅଭାବ ସେହିପରି ଆଶାତୀତ ।

 

୨। ନିମ୍ନଲିଖିତ ପଦ୍ୟାଂଶଦ୍ୱୟକୁ ପ୍ରାଞ୍ଜଳ ଗଦ୍ୟରେ ପରିଣତ କର ।

(କ) ପୁରାଣ କବି ବୃଦ୍ଧ ମୁନିଈଶ୍ୱର-

ଗହନ ବନେ କ୍ରୂର ନିଷାଦ ଶର-

ବିଦ୍ଧି କ୍ରୌଞ୍ଚବିହଙ୍ଗ ଅବଲୋକନେ

ଶୋକ ଉଚ୍ଛ୍ୱାସ ଯାର ବହିଣ ଘନେ

ଶ୍ଳୋକରୂପେ ମୋହିଲା ସର୍ବ ଅବନୀ

ଚକିତ ଶୁଣିଲେ ସେ କ୍ରନ୍ଦନ ଧ୍ୱନି ।

 

(ଖ) କି ଦଶା ମୋହର ଆଜି, କି ଥିଲି କି ହେଲି !

କାହିଁ ଗଲେ ଦାରା ସୁତ ରାଜପାଟ ଆଦି,

ରାଜସିଂହାସନ ଛାଡ଼ି ଚଣ୍ଡାଳ ଅଧୀନେ

ଶୁଳ୍କଗ୍ରାହୀ ହୋଇ ମୁହିଁ ଭ୍ରମୁଛି ଏକାକୀ

ଏ ମଶାଣେ ସୂଚୀଭେଦ୍ୟ ଏ ନିଶା-ଅନ୍ଧାରେ,

ଏହି ତ ପ୍ରାଣୀର ଗତି ଏ ମର୍ତ୍ତମଣ୍ଡଳେ ।

କରାଳ ନିୟତି-କରେ କନ୍ଦୁକ ପରାୟେ

ଉଠନ୍ତି ପଡ଼ନ୍ତି ପ୍ରାଣୀ ଏହିରୂପେ ସିନା !

ଭାଗ୍ୟଚକ୍ର ଆବର୍ତ୍ତନ ଅଭିନୟ କେତେ

କରନ୍ତି ପ୍ରାଣୀଏ ଏହି ଭବ-ରଙ୍ଗଭୂମେ ।

ମାପ୍ତ